jayashree

କଟକରେ ‘ବାଲି ଯାତ୍ରା ୨୦୨୬’ରେ ଯୋଗଦେଲେ ରାଷ୍ଟ୍ରପତି

  • ବର୍ତ୍ତମାନକୁ ଗଢ଼ିବା ଏବଂ ଭବିଷ୍ୟତକୁ ଉଜ୍ଜ୍ୱଳ କରିବା ପାଇଁ ଅତୀତରୁ ପ୍ରେରଣା ନିଅନ୍ତୁ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

କଟକ, (ପିଆଇବି) : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କଟକ ବାଲିଯାତ୍ରା ମହୋତ୍ସବରେ ଯୋଗଦେଇଛନ୍ତି ।

ଏହି ଅବସରରେ ଉଦ୍‌ବୋଧନ ଦେଇ ରାଷ୍ଟ୍ରପତି କହିଥିଲେ, ବାଲିଯାତ୍ରା ଏକ ଅନନ୍ୟ ପର୍ବ, ଯାହା ଓଡ଼ିଶାର ଗୌରବମୟ ଇତିହାସର ସ୍ମୃତିଚାରଣକରିଥାଏ। ସାମୁଦ୍ରିକ ବାଣିଜ୍ୟର ଇତିହାସ ଏକ ପରମ୍ପରାର ରୂପ ନେଇଛି ଏବଂ ସେହି ପରମ୍ପରା ଏବେ ଏକ ଉତ୍ସବରେ ପରିଣତ ହୋଇଛି। ଏହା ଓଡ଼ିଶାର ଲୋକମାନଙ୍କର ସୃଜନଶୀଳତା ଏବଂ ଐତିହାସିକ ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଛି।

ରାଷ୍ଟ୍ରପତି କହିଥିଲେ,ଓଡ଼ିଶାର ସାଧବପୁଅମାନେ ବାଣିଜ୍ୟ ଓ ବ୍ୟବସାୟ କରିବା ପାଇଁ ଦୂର ଦେଶକୁ ଯାତ୍ରା କରୁଥିଲେ। ବାଣିଜ୍ୟ ମାଧ୍ୟମରେ ସେମାନେ ଦେଶ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିଥିଲେ। ସେମାନେ ନୂତନ ସାମୁଦ୍ରିକ ପଥ ଆବିଷ୍କାର କରିଥିଲେ ଏବଂ ଅନ୍ତର୍ଜାତୀୟ ସମ୍ପର୍କକୁ ସୁଦୃଢ଼ କରିଥିଲେ। ସେମାନେ ସାଂସ୍କୃତିକ ସମ୍ପର୍କ ସ୍ଥାପନର ଏକ ମାଧ୍ୟମ ମଧ୍ୟ ସାଜିଥିଲେ।

ରାଷ୍ଟ୍ରପତି କହିଥିଲେ, ଓଡ଼ିଶା ଏବଂ ବାଲି ମଧ୍ୟରେ ଥିବା ଐତିହାସିକ ସମ୍ପର୍କକୁ ଆଧୁନିକ ବାଣିଜ୍ୟିକ ଓ ସାଂସ୍କୃତିକ ସହଯୋଗରେ ରୂପାନ୍ତରିତ କରାଯାଇପାରିବ। ଇଣ୍ଡୋନେସିଆର ସାଂସ୍କୃତିକ ଦଳଗୁଡ଼ିକ ଏହି ବାଲି ଯାତ୍ରାରେ ଅଂଶଗ୍ରହଣ କରିବା ନେଇ ସେ ଖୁସିବ୍ୟକ୍ତ କରିଥିଲେ । ସେ କହିଥିଲେ, ବାଲିରେ ମଧ୍ୟ ଦୁଇ ଦିନ ଧରି ‘ଓଡ଼ିଶା ମହୋତ୍ସବ’ ପାଳନ କରାଯାଉଛି, ଯେଉଁଥିରେ ଓଡ଼ିଶାର ନୃତ୍ୟ ଓ ସଙ୍ଗୀତ, ହସ୍ତତନ୍ତ, ହସ୍ତଶିଳ୍ପ ଏବଂ ପାରମ୍ପରିକ ଖାଦ୍ୟ ପ୍ରଦର୍ଶିତ ହେଉଛି। ଏଭଳି ସାଂସ୍କୃତିକ ଆଦାନପ୍ରଦାନ ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ଥିବା ଐତିହାସିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବସେ ଆଶା ବ୍ୟକ୍ତ କରିଛନ୍ତି ।

ରାଷ୍ଟ୍ରପତି କହିଥିଲେ, ଅତୀତର ଗୌରବକୁ ନେଇ ଗର୍ବ କରିବା ଏବଂ ଆମ ପର୍ବପର୍ବାଣୀ ପାଳନ କରିବା ଏକ ଭଲ କଥା। କିନ୍ତୁ, ବର୍ତ୍ତମାନକୁ ଗଢ଼ିବା ଏବଂ ଭବିଷ୍ୟତକୁ ଉଜ୍ଜ୍ୱଳ କରିବା ପାଇଁ ଆମକୁ ଅତୀତରୁ ପ୍ରେରଣା ନେବା ଉଚିତ୍। ବିଶେଷକରି ଆମର ଯୁବ ପିଢ଼ି, ଆମ ବ୍ୟବସାୟୀମାନଙ୍କ ସାହସ ଓ ଦକ୍ଷତାରୁ ଅନେକ କିଛି ଶିଖିପାରିବେ।

ରାଷ୍ଟ୍ରପତି କହିଥିଲେ, ବିକଶିତ ଭାରତଗଠନ କରିବା ଆମର ଜାତୀୟ ଲକ୍ଷ୍ୟ। ଅନ୍ତର୍ଜାତୀୟ ମଞ୍ଚରେ ଭାରତର ପ୍ରତିଷ୍ଠା ବୃଦ୍ଧି ପାଇଛି। ବିଶ୍ୱର ଅନେକ ଅଞ୍ଚଳରେ ଅଶାନ୍ତି ଏବଂ ବିଶ୍ୱ ଅର୍ଥବ୍ୟବସ୍ଥାରେ ଅସ୍ଥିରତା ଥିବା ସତ୍ତ୍ୱେ, ଭାରତର ଅର୍ଥବ୍ୟବସ୍ଥା ସୁଦୃଢ଼ ରହିଛି। ‘ବିକଶିତ ଭାରତ’ ହେବା ଦିଗରେ ଆମ ଯାତ୍ରା ପାଇଁ ଏହା ଏକ ଆଶାପ୍ରଦ ସଙ୍କେତ।

ଓଡ଼ିଶା ଏକ ଶିଳ୍ପ କେନ୍ଦ୍ର ଭାବରେ ବିକଶିତହେବା ଏବଂ ଅଧିକରୁ ଅଧିକ ନିବେଶକଙ୍କୁ ଆକର୍ଷିତ କରୁଥିବାରୁରାଷ୍ଟ୍ରପତି ଖୁସି ବ୍ୟକ୍ତ କରିଛନ୍ତି। ଓଡ଼ିଶାର ଉଦ୍ୟୋଗୀ, କାରିଗର, ବୁଣାକାର ଏବଂ ଯୁବ ପିଢ଼ି ନିଜର ଦକ୍ଷତା ଓ ଉଦ୍ୟମଶୀଳତା ମାଧ୍ୟମରେ ରାଜ୍ୟର ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରୁଛନ୍ତି। ‘ବିକଶିତ ଓଡ଼ିଶା’ର ସ୍ୱପ୍ନକୁ ସାକାର କରିବା ଦିଗରେ ସେମାନଙ୍କର ବର୍ଦ୍ଧିତ ଅବଦାନ ପ୍ରଗତିର ଏକ ଉତ୍ସାହଜନକ ସଙ୍କେତ ବୋଲିରାଷ୍ଟ୍ରପତିକହିଥିଲେ ।

Leave A Reply

Your email address will not be published.