jayashree

ଜର୍ମାନୀ ଚାନ୍ସେଲରଙ୍କ ସହ ଟେଲିଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ

  • ଭାରତ – ଜର୍ମାନୀ ରଣନୀତିକ ଭାଗୀଦାରୀକୁ ଆହୁରି ସୁଦୃଢ଼ କରିବା ପାଇଁ ଉଭୟ ନେତା ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି
  • ବିଶ୍ୱ ଶାନ୍ତି, ସ୍ଥିରତା ଏବଂ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ପାଇଁ ଉଭୟ ନେତା ଘନିଷ୍ଠ ଭାବେ କାର୍ଯ୍ୟ କରିବାକୁ ସହମତ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜର୍ମାନୀର ଚାନ୍ସେଲର ମହାମହିମ ଫ୍ରେଡରିକ୍ ମର୍ଜଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇଛନ୍ତି।
ଦୁଇ ନେତା ଭାରତ-ଜର୍ମାନୀ ରଣନୈତିକ ସହଭାଗିତାର ଅଗ୍ରଗତି ସମୀକ୍ଷା କରିବା ସହ ଦ୍ୱିପାକ୍ଷିକ ସମ୍ପର୍କରେ ନିରନ୍ତର ଗତିଶୀଳତା ନେଇ ସନ୍ତୋଷ ପ୍ରକାଶ କରିଥିଲେ। ଚଳିତ ବର୍ଷ ଭାରତ ଓ ଜର୍ମାନୀ ମଧ୍ୟରେ କୂଟନୈତିକ ସମ୍ପର୍କର ୭୫ ବର୍ଷ ପୂର୍ତ୍ତି ପାଳନ ହେଉଥିବାବେଳେ, ପ୍ରତିରକ୍ଷା ଓ ଉନ୍ନତ ଜ୍ଞାନକୌଶଳ ସମେତ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ସହଯୋଗକୁ ଆହୁରି ସୁଦୃଢ଼ କରିବା ନେଇ ଦୁଇ ନେତା ପ୍ରତିବଦ୍ଧତା ଦୋହରାଇଥିଲେ। ଭାରତ-ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ରାଜିନାମା ଦ୍ୱିପାକ୍ଷିକ ବାଣିଜ୍ୟ ଓ ନିବେଶ ସମ୍ପ୍ରସାରଣ ପାଇଁ ଅନେକ ନୂତନ ସୁଯୋଗ ସୃଷ୍ଟି କରିବ ବୋଲି ସେମାନେ ମତ ପ୍ରକାଶ କରିଥିଲେ।
ଉଭୟ ନେତା ପାରସ୍ପରିକ ଆଗ୍ରହର ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ଘଟଣାକ୍ରମ ଉପରେ ମତ ବିନିମୟ କରିଥିଲେ। ବିଶ୍ୱ ଶାନ୍ତି, ସ୍ଥିରତା ଏବଂ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ପାଇଁ ସେମାନେ ଘନିଷ୍ଠ ଭାବେ ମିଳିମିଶି କାର୍ଯ୍ୟ ଜାରି ରଖିବାକୁ ସହମତ ହୋଇଥିଲେ। ଏହା ସହିତ, ସାମ୍ପ୍ରତିକ ବିଶ୍ୱସ୍ତରୀୟ ଆହ୍ୱାନଗୁଡ଼ିକର ମୁକାବିଲା କରିବା ପାଇଁ ବିଭିନ୍ନ ବହୁପକ୍ଷୀୟ ମଞ୍ଚରେ ନିରନ୍ତର ସହଯୋଗର ଗୁରୁତ୍ୱ ଉପରେ ମଧ୍ୟ ସେମାନେ ଜୋର୍ ଦେଇଥିଲେ ।

Leave A Reply

Your email address will not be published.