jayashree

ପଟାଭାଡି ରାମଜୀ ମନ୍ଦିରରେ ତିନିଦିନିଆ ଅଷ୍ଟପ୍ରହରୀ ନାମଯଜ୍ଞ ଉଦଯାପିତ : ହରିନାମ ସଂକୀର୍ତ୍ତନରେ ପ୍ରକମ୍ପିତ ହେଲା ପରିବେଶ

​ସୋନପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ସହର ସ୍ଥିତ ପଟାଭାଡି ରାମଜୀ ମନ୍ଦିର ପ୍ରାଙ୍ଗଣରେ ଗତ ତିନିଦିନ ଧରି ଅତ୍ୟନ୍ତ ଭକ୍ତିପୂତ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପାଳିତ ହୋଇ ଆସୁଥିବା ଅଷ୍ଟପ୍ରହରୀ ନାମଯଜ୍ଞ ଆଜି ମହାସମାରୋହରେ ଉଦଯାପିତ ହୋଇଯାଇଛି । ଅହୋରାତ୍ର ହରେକୃଷ୍ଣ ହରେରାମ ମହାମନ୍ତ୍ର ଧ୍ୱନି, ଖୋଳ-କରତାଳର ତାଳ ଏବଂ ଶ୍ରଦ୍ଧାଳୁଙ୍କ ଭକ୍ତିଭାବରେ ସମଗ୍ର ପଟାଭାଡି ଅଞ୍ଚଳ ଏକ ଆଧ୍ୟାତ୍ମିକ ତୀର୍ଥକ୍ଷେତ୍ରରେ ପରିଣତ ହୋଇଥିଲା । ​ଗତ ୨୨ ତାରିଖ ରବିବାର ଦିନ ପଟାଭାଡି ଲୋକନାଥ ମନ୍ଦିର ପୋଖରୀରୁ ପବିତ୍ର ଜଳ ସଂଗ୍ରହ କରାଯାଇ ଏକ ଭବ୍ୟ କଳସ ଶୋଭାଯାତ୍ରା ବାହାରିଥିଲା । ଏଥିରେ ପଟାଭାଡି ଅଞ୍ଚଳର ଶହ ଶହ ମହିଳା ଓ ମା’ମାନେ ଅତ୍ୟନ୍ତ ନିଷ୍ଠାର ସହ ସାମିଲ ହୋଇ ରାମଜୀ ମନ୍ଦିର ପୂଜା ମଣ୍ଡପ ପର୍ଯ୍ୟନ୍ତ ଆସିଥିଲେ । ସେଠାରେ ରୀତିନୀତି ଅନୁଯାୟୀ ମଣ୍ଡଳୀକରଣ କରାଯାଇ ନାମଯଜ୍ଞର ଶୁଭାରମ୍ଭ ହୋଇଥିଲା ।​ ୨୩ ତାରିଖ ସୋମବାର ଦିନ ଶ୍ରୀ ରାଧାକୃଷ୍ଣଙ୍କ ବିଧିପୂର୍ବକ ପୂଜାର୍ଚ୍ଚନା କରାଯାଇଥିଲା । ଏହି ଅବସରରେ ବରଗଡ଼ ଜିଲ୍ଲା ରେମୁଣ୍ଡାର ବୁଲୁ ଶତପଥୀ ଓ ଗୁଡ଼େସିରାର ରଘୁନାଥ ବଘାତଙ୍କ ସମେତ ପ୍ରଦୀପ ପାଣିଗ୍ରାହୀ, ଚନ୍ଦନ ମାହାର, ବିଶ୍ୱାମିତ୍ର ପାଣ୍ଡେ, ଡୋଳାମଣି ମହାରଣା, ଶ୍ରୀୟା ମେହେର ଏବଂ ଆଲୋକ ପଟ୍ଟନାୟକଙ୍କ ଭଳି ବିଭିନ୍ନ ଅଞ୍ଚଳରୁ ଆସିଥିବା ପ୍ରମୁଖ ସଂକୀର୍ତ୍ତନ ମଣ୍ଡଳୀମାନେ ସୁମଧୁର ହରିନାମ ଗାନ କରି ଉପସ୍ଥିତ ଭକ୍ତମାନଙ୍କୁ ଭାବବିହ୍ୱଳ କରିଦେଇଥିଲେ । ଏହି ତିନିଦିନିଆ ଧାର୍ମିକ କାର୍ଯ୍ୟକ୍ରମରେ ପଟାଭାଡିର ପ୍ରହଲ୍ଲାଦ ମେହେର ଓ ତାଙ୍କ ଧର୍ମପତ୍ନୀ ମମତା ମେହେର କର୍ତ୍ତା ଭାବେ ନିଷ୍ଠାର ସହ ପୂଜା ଦାୟିତ୍ୱ ନିର୍ବାହ କରିଥିଲେ । ଉଦୟନଗର ଅଞ୍ଚଳର ବୀରବର ମିଶ୍ର ମୁଖ୍ୟ ପୂଜକ ଭାବେ ସମସ୍ତ ବୈଦିକ ପୂଜାକାର୍ଯ୍ୟ ସମ୍ପାଦନ କରିଥିବା ବେଳେ ଡୁଗୁ ମିଶ୍ର ତାଙ୍କୁ ସହଯୋଗ କରିଥିଲେ । ​ଆଜି ୨୪ ତାରିଖ ମଙ୍ଗଳବାର ଦିନ ସଂକୀର୍ତ୍ତନ ସମାପନ ପରେ ଏକ ବିଶାଳ ନଗର କୀର୍ତ୍ତନ ଅନୁଷ୍ଠିତ ହୋଇଥିଲା । ଏହାପରେ ଅପରାହ୍ନ ୩ଟାରୁ ବୈଠକୀ କୀର୍ତ୍ତନ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିଥିଲା । ଉଦଯାପନୀ ଦିବସରେ ପ୍ରବଳ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ବେଳେ ସମସ୍ତ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ପଟାଭାଡି ଅଞ୍ଚଳବାସୀଙ୍କ ସାମୂହିକ ସହଯୋଗରେ ଏହି ଆଧ୍ୟାତ୍ମିକ ମହୋତ୍ସବ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି ।

Leave A Reply

Your email address will not be published.