jayashree

କାର୍ତ୍ତିକ ପୂର୍ଣ୍ଣିମାରେ ଦେବାଳୟରେ ଭକ୍ତିର ମହାସମାଗମ ବୋଇତ ବନ୍ଦାଣ ସହ କେଦାର ବ୍ରତ ଓ କାର୍ତ୍ତିକ ବ୍ରତର ଉଦ୍‌ଯାପନ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଭକ୍ତି, ଆସ୍ଥା ଓ ଓଡ଼ିଆ ପରମ୍ପରାର ଅନନ୍ୟ ସମନ୍ୱୟରେ ମୁଖରିତ ହୋଇଉଠିଲା ସମଗ୍ର ବାଲିଗୁଡ଼ା ଅଞ୍ଚଳ । ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବୋଇତ ବନ୍ଦାଣ ଉତ୍ସବ ସହ କେଦାର ବ୍ରତ ଓ କାର୍ତ୍ତିକ ବ୍ରତର ଉଦ୍‌ଯାପନ ଶ୍ରଦ୍ଧା ଓ ନିଷ୍ଠାର ସହ ପାଳିତ ହୋଇଛି । ଏହି ଅବସରରେ ବାଲିଗୁଡ଼ା ସମେତ କନ୍ଧମାଳ ଜିଲ୍ଲାର ବିଭିନ୍ନ ମନ୍ଦିର, ଶୈବପୀଠ ଓ ଧାର୍ମିକ ଅନୁଷ୍ଠାନରେ ଭକ୍ତଙ୍କ ପ୍ରବଳ ସମାଗମ ହୋଇଥିଲା । ପରମ୍ପରା ଅନୁଯାୟୀ, ଭୋରରୁ ଶ୍ରଦ୍ଧାଳୁମାନେ ପ୍ରାତଃ ସ୍ନାନ ସାରି ନୂତନ ବସ୍ତ୍ର ପରିଧାନ କରି ମନ୍ଦିର ଅଭିମୁଖେ ବାହାରିଥିଲେ । ଦେବଦେବୀଙ୍କ ଦର୍ଶନ, ପୂଜାର୍ଚ୍ଚନା, ଦୀପଦାନ ଓ ବ୍ରତ ଉଦ୍‌ଯାପନରେ ସାମିଲ ହୋଇଥିଲେ ଶତାଧିକ ଶ୍ରଦ୍ଧାଳୁ । ଅନ୍ୟପଟେ ବୋଇତ ବନ୍ଦାଣ ପରମ୍ପରାକୁ ଅକ୍ଷୁଣ୍ଣ ରଖିବା ପାଇଁ ଜଳାଶୟ ଓ ନଦୀକୂଳରେ କଦଳୀ ପଟୁଆରେ ନିର୍ମିତ ଛୋଟ ଛୋଟ ଡଙ୍ଗାରେ ଦୀପ ଜାଳି ଭକ୍ତିଭାବର ସହ ଭସାଇଥିଲେ ଲୋକେ । ବିଶେଷକରି ବାଲିଗୁଡ଼ାର ବିରୁପାକ୍ଷ ମନ୍ଦିର ଓ ରାମେଶ୍ୱର ମନ୍ଦିର, ଦଣ୍ଡପଦର ସ୍ଥିତ ଧବଳେଶ୍ୱର ମନ୍ଦିର, ଜାଲେଶପଟ୍ଟାର ଜଳେଶ୍ୱର ପୀଠ, ଚକାପାଦର ବିରୁପାକ୍ଷ ମନ୍ଦିର ଏବଂ ଡୁଙ୍ଗୀସ୍ଥିତ ପଞ୍ଚଲିଙ୍ଗେଶ୍ୱର ପୀଠରେ ଦିନତମାମ ଭକ୍ତଙ୍କ ଭିଡ଼ ଲାଗି ରହିଥିଲା । ସେହିପରି ବିଭିନ୍ନ ଅଞ୍ଚଳର ଜଗନ୍ନାଥ ମନ୍ଦିର, ମା’ ପାଟଖଣ୍ଡା ମନ୍ଦିର ଓ ରାଧାକୃଷ୍ଣ ମନ୍ଦିରରେ ମଧ୍ୟ ସ୍ୱତନ୍ତ୍ର ପୂଜାନୀତି ଅନୁଷ୍ଠିତ ହୋଇଥିଲା । ମନ୍ଦିର ପରିସରରେ ଘଣ୍ଟ, ଶଙ୍ଖ ଓ ହରିନାମ ସଂକୀର୍ତ୍ତନର ଧ୍ୱନି ଆଧ୍ୟାତ୍ମିକ ପରିବେଶକୁ ଅଧିକ ଭାବଗମ୍ଭୀର କରିଥିଲା । ତୁଳସୀ ଚଉରା ନିକଟରେ ମହିଳାମାନେ ସ୍ୱତନ୍ତ୍ର ପୂଜାବିଧି କରିବା ସହ ପରିବାରର ମଙ୍ଗଳ, ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଥିଲେ । କେତେକ ସ୍ଥାନରେ ନାମଯଜ୍ଞ, ଘୃତଯଜ୍ଞ ଓ ଅନ୍ନଯଜ୍ଞ ଭଳି ଧାର୍ମିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା । କାର୍ତ୍ତିକ ମାସର ଦୀର୍ଘ ଏକମାସ ବ୍ୟାପୀ ଧାର୍ମିକ ଆଚରଣ ଓ ନିଷ୍ଠାର ପରିସମାପ୍ତି ଭାବେ ପୂର୍ଣ୍ଣିମା ଦିନଟିକୁ ଶ୍ରଦ୍ଧାଳୁମାନେ ବିଶେଷ ଭାବେ ପାଳନ କରିଥିଲେ । ଅନେକ ପରିବାର ସଦସ୍ୟଙ୍କ ସହ ବିଭିନ୍ନ ମନ୍ଦିର ପରିଦର୍ଶନ କରି ପୂଜାର୍ଚ୍ଚନା କରିଥିବା ବେଳେ ମନ୍ଦିର ଗୁଡ଼ିକରେ ଭକ୍ତିମୟ ପରିବେଶ ସହ ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା । ଓଡ଼ିଆ ଜାତିର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଧବପୁଅଙ୍କ ସାହସିକ ସମୁଦ୍ରଯାତ୍ରାର ସ୍ମୃତି ବହନ କରେ ବୋଇତ ବନ୍ଦାଣ ପରମ୍ପରା । ଏହି ପରମ୍ପରା ମାଧ୍ୟମରେ ନିଜର ଐତିହ୍ୟ, ସଂସ୍କୃତି ଓ ପୂର୍ବପୁରୁଷଙ୍କ ଗୌରବମୟ ଇତିହାସକୁ ସ୍ମରଣ କରିଥିଲେ ଅଞ୍ଚଳବାସୀ । ଏହିପରି ଭାବେ ଧାର୍ମିକ ନିଷ୍ଠା, ପାରମ୍ପରିକ ଆସ୍ଥା ଓ ଓଡ଼ିଆ ଅସ୍ମିତାର ବାର୍ତ୍ତା ନେଇ ଶାନ୍ତିପୂର୍ଣ୍ଣ ଭାବେ ସମାପନ ହୋଇଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ ।

Leave A Reply

Your email address will not be published.