jayashree

ଭଞ୍ଜପୁର ଜଗଦ୍ଧାତ୍ରୀ ମେଳା – ୨୦୨୬ ଉଦ୍‌ଘାଟିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ସ୍ଥାନୀୟ ଭଞ୍ଜପୁର ଠାରେ ଉତ୍ତର ଓଡିଶାର ପ୍ରସିଦ୍ଧ ଜଗଦ୍ଧାତ୍ରୀ ମେଳା – ୨୦୨୬ ଉଦ୍‌ଘାଟିତ ହୋଇଯାଇଛି । ମା’ ଜଗଦ୍ଧାତ୍ରୀଙ୍କ ୭୪ ତମ ପୂଜା ଅବସରରେ ଆୟୋଜିତ ୩୨ ତମ ମେଳାକୁ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ହେମକାନ୍ତ ସୟ, ସମ୍ମାନନୀୟ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲ୍ଲୀ ଓ ସ୍ୱତନ୍ତ୍ର ଅତିଥି ଭାବେ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ. ମହେନ୍ଦ୍ର କୁମାର ମହାନ୍ତି ଯୋଗଦେଇ ଉଦ୍‌ଘାଟନ କରିବା ସହ ମେଳାର ଉତ୍ତୋରତର ଉନ୍ନତି କାମନା କରିଥିଲେ । ପୂଜା କମିଟି ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ସଭାରେ ମେଳା କମିଟି ଅଧ୍ୟକ୍ଷ ତଥା ପୂର୍ବତନ ଉପ ବାଚସ୍ପତି ସାନନ୍ଦ ମାରାଣ୍ଡି, କାର୍ଯ୍ୟକାରୀ କମିଟି ଅଧ୍ୟକ୍ଷ ତଥା ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ମୁଖ୍ୟ ସାଧାରଣ ସମ୍ପାଦକ ଦର୍ପ ନାରାୟଣ ପାଲ, ଉପଦେଷ୍ଟା କମିଟିର ଅଧ୍ୟକ୍ଷ ଡ. ଦେବାଶିଷ ମାରାଣ୍ଡି, ଉପାଧ୍ୟକ୍ଷ ତଥା ସମାଜସେବୀ ନନ୍ଦିକେଶ ଶେଜପଡା, ସାଧାରଣ ସମ୍ପାଦକ ରସିକାନନ୍ଦ ମିଶ୍ର, ପ୍ରସନ୍ନଜିତ ମହାନ୍ତି, ସାଂସ୍କୃତିକ ସମ୍ପାଦକ କିଶୋର ପଲେଇ ପ୍ରମୁଖ ଉପସ୍ଥିତ ରହି ମେଳାକୁ ଶାନ୍ତିଶୃଙ୍ଖଳା ସହ ଉପଭୋଗ କରିବାକୁ ଅନୁରୋଧ କରିଥିଲେ । ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ମଞ୍ଚ ପରିଚାଳନା କରିଥିଲେ । ଅନୁରାଧା ମହାନ୍ତି, ସୋନାଲି ମୁର୍ମୁ, ସାଇ ଜ୍ୟୋତି ଓ ସାଇ ପ୍ରୀତି ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ । ଶେଷରେ ଆଦିବାସୀ ଷ୍ଟୁଡେଣ୍ଟ ୟୁନିୟନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ମେଳାରେ ବିଭିନ୍ନ ପ୍ରାନ୍ତରୁ ଆସିଥିବା ଷ୍ଟଲ ପ୍ରଦର୍ଶିତ ହୋଇଛି ଓ ମେଳା ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ଅବସରରେ ମେଳାକୁ ସଫଳ କରିବା ପାଇଁ ସହଯୋଗର ହାତ ବଢ଼ାଇଥିବା ଜିଲ୍ଲା ପ୍ରଶାସନ, ଜିଲ୍ଲା ପୋଲିସ ପ୍ରଶାସନ, ଅଗ୍ନିଶମ ବିଭାଗ, ବାରିପଦା ମ୍ୟୁନିସିପାଲିଟି, ରେଳ ବିଭାଗ, ବିଦ୍ୟୁତ ବିଭାଗ ଏବଂ ସମସ୍ତ ସାମ୍ବାଦିକ ବନ୍ଧୁମାନଙ୍କୁ କମିଟି ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା ।

Leave A Reply

Your email address will not be published.