jayashree

ବ୍ରହ୍ମପୁରରେ ମହାନ ସ୍ୱାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକଙ୍କ ୧୨୭ତମ ଜୟନ୍ତୀ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମହାନ ସ୍ୱାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକଙ୍କ ୧୨୭ତମ ଜୟନ୍ତୀ ରବିବାର ବ୍ରହ୍ମପୁର ମଣ୍ଡଳ କାରାଗାର ପରିସରରେ ପାଳିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ, ଆନୁକୂଲ୍ୟରେ ଆୟୋଜିତ ଏହି ଅବସରରେ ଅତିଥିମାନେ ଶହୀଦଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କ ଅମର ବଳିଦାନର ସ୍ମତିଚାରଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଧାୟକ କେ. ଅନୀଲ କୁମାର, ବ୍ରହ୍ମପୁର ମହାନଗର ନିଗମ ମେୟର ସଂଘମିତ୍ରା ଦଳେଇ, କମିଶନର ଆକବରମ ସସ୍ୟା ରେଡ୍ଡୀଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯୋଗଦେଇ ଶହୀଦ ଲକ୍ଷ୍ମଣ ନାୟକଙ୍କ ଅଦମ୍ୟ ସାହସ, ଦେଶପ୍ରେମ ଓ ତ୍ୟାଗର ଅମର ମହାନ ଗାଥା ସ୍ମରଣ କରିଥିଲେ । ବ୍ରିଟିଶ ଶାସନ ବିରୋଧରେ କୋରାପୁଟ ଅଞ୍ଚଳର ଆଦିବାସୀମାନଙ୍କୁ ସଂଗଠିତ କରିବା ଏବଂ ୧୯୪୨ର ଭାରତ ଛାଡ଼ ଆନ୍ଦୋଳନରେ ତାଙ୍କର ନିର୍ଭୀକ ନେତୃତ୍ୱ ଓ ବଳିଦାନ ସ୍ୱାଧୀନତା ସଂଗ୍ରାମର ଏକ ଅଲିଭା ଅଧ୍ୟାୟ ବୋଲି ସେମାନେ ଉଲ୍ଲେଖ କରିଥିଲେ । ତାଙ୍କ ତ୍ୟାଗ ଓ ବଳିଦାନର ଆଦର୍ଶକୁ ଯୁବପିଢ଼ି ନିକଟରେ ପହଞ୍ଚାଇବା ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଗଞ୍ଜାମ ସୌରଭ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ମଣ୍ଡଳ କାରାଗାରର ବରିଷ୍ଠ ଅଧୀକ୍ଷକ ଧୀରେନ୍ଦ୍ରନାଥ ବାରିକ, ଜେଲର ଲକ୍ଷ୍ମୀକାନ୍ତ ଧାଙ୍ଗଡ଼ା ମାଝୀ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ବ୍ରହ୍ମପୁର ବିକ୍ରମ ମହାରଣା, ସଂଚାଳକ ଲୋକନାଥ ଶତପଥୀ, କାରାଗାରର କର୍ମଚାରୀ, ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇଥିଲେ । ଉଲ୍ଲେଖଯୋଗ୍ୟ, ୧୮୯୯ ମସିହା ନଭେମ୍ବର ୨୨ରେ ଜନ୍ମଗ୍ରହଣ କରିଥିବା ଶହୀଦ ଲକ୍ଷ୍ମଣ ନାୟକଙ୍କୁ ୧୯୪୩ ମସିହା ମାର୍ଚ୍ଚ ୨୯ରେ ଏହି ବ୍ରହ୍ମପୁର କାରାଗାରରେ ବ୍ରିଟିଶ ଶାସକ ଫାଶୀ ଦେଇଥିଲେ । ତାଙ୍କ ବଳିଦାନର ସାକ୍ଷୀ ଏହି କାରାଗାର ପରିସରରେ ଜୟନ୍ତୀ ପାଳନ ତାଙ୍କ ସ୍ମୃତିକୁ ଜୀବନ୍ତ ରଖିବା ସହ ଦେଶ ପାଇଁ ତାଙ୍କ ଅମର ତ୍ୟାଗକୁ ପୁନଃ ସ୍ମରଣ କରାଇଛି ।

Leave A Reply

Your email address will not be published.