
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଲୌହ ମାନବ ସର୍ଦ୍ଦାର ବଲ୍ଳଭ ଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ମୁରିବାହାଲ ବ୍ଲକ ପ୍ରଶାସନ ଓ ବ୍ଲକର ସାମ୍ବାଦିକଙ୍କ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କବାଡି ପ୍ରତିଯୋଗିତା ଗୁରୁବାର ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, ସାଂସଦ ପ୍ରତିନିଧି ଶ୍ରୀବତ୍ସ ବେହେରା, ବିଧାୟକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା, ବ୍ଲକ ଅର୍ଥ ଅଧିକାରୀ ଘେନୁରାମ ତାଣ୍ଡି, ବରିଷ୍ଠ ସାମ୍ବାଦିକ ଭଗବାନ ମହାନ୍ତି, ଦୁର୍ଗାନନ୍ଦ ମହାକୁର ଅତିଥି ରୂପେ ଯୋଗଦେଇଥିଲେ । ଖେଳ ଶିକ୍ଷକ ସୁନନ୍ଦ ପ୍ରଧାନ, ନିତେଶ ତାଣ୍ଡି ଓ ଝସକେତନ ରାଜହଂସ କବାଡି ପ୍ରତିଯୋଗିତା ପରିଚାଳନା କରିଥିଲେ । ବ୍ଲକ ପ୍ରଶାସନ ପକ୍ଷରୁ ଅଧିନାୟକ ଡବଲ୍ୟୁଇଓ ଭୀମରାମ ମାଝୀଙ୍କ ନେତୃତ୍ୱରେ ସମସ୍ତ ବ୍ଲକ କର୍ମଚାରୀ ଓ ସାମ୍ବାଦିକଙ୍କ ପକ୍ଷରୁ ଅଧିନାୟକ ପ୍ରଫୁଲ୍ଲ କୁମାର ବଘାରଙ୍କ ନେତୃତ୍ୱରେ ସମସ୍ତ ସାମ୍ବାଦିକ ଏହି କବାଡି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଶେଷରେ ତୀବ୍ର ପ୍ରତିନ୍ଦ୍ୱନ୍ଦିତାରେ ବ୍ଲକ ପ୍ରଶାସନ ସାମ୍ବାଦିକଙ୍କୁ ପରାସ୍ତ କରି ବିଜେତା ଟ୍ରଫି ହାସଲ କରିଥିବା ବେଳେ ସାମ୍ବାଦିକଙ୍କୁ ଉପବିଜେତା ଟ୍ରଫି ପ୍ରଦାନ କରାଯାଇଥିଲା । ବ୍ଲକ ବିଏସ୍ଏସ୍ଓ ରିଙ୍କୁ ମେହେରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ଲକ ଓଏଲଏମ୍ ବିପିଏମ୍ ଗୋପାଳକୃଷ୍ଣ ଦୀପ କାର୍ଯ୍ୟକ୍ରମ ପରିଚାଳନା ଓ ଧନ୍ୟବାଦ୍ ଦେଇଥିଲେ ।