jayashree

ବାତ୍ୟା ‘ଅକ୍ୱାନ’ ଭୟ : ପୁଣି ସିଲ୍‌ ହେଲା ଗାଜଲବାଡ଼ି ଘାଟି, ଉଭୟ ପଟୁ ଯାତାୟାତ ବନ୍ଦ

  • ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ନେଇ ବଢ଼ିଲା ଚିନ୍ତା

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ପ୍ରକୃତିର ଦାଉରୁ ଏଯାଏଁ ସମ୍ପୂର୍ଣ୍ଣ ମୁକୁଳି ନଥିବା କନ୍ଧମାଳ ଜିଲ୍ଲାକୁ ପୁଣି ଘାରିଛି ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ର ଭୟ । ବାତ୍ୟାର ସମ୍ଭାବ୍ୟ ପ୍ରଭାବ ଓ ଘାଟି ଅଞ୍ଚଳରେ ଭୂସ୍ଖଳନ ଆଶଙ୍କାକୁ ଗୁରୁତ୍ୱ ଦେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଛି ଆଗୁଆ ସତର୍କତାମୂଳକ ପଦକ୍ଷେପ । କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାକୁ ସଂଯୋଗ କରୁଥିବା ଦାରିଙ୍ଗବାଡ଼ି ସୀମାନ୍ତ ଗାଜଲବାଡ଼ି ଘାଟି ରାସ୍ତାକୁ ପୁଣି ଉଭୟ ପଟୁ ସିଲ୍‌ କରି ଦିଆଯାଇଛି । ଫଳରେ ଦାରିଙ୍ଗବାଡ଼ି ଦେଇ ବ୍ରହ୍ମପୁର ଓ ଭଞ୍ଜନଗରକୁ ଯାତାୟାତ ସମ୍ପୂର୍ଣ୍ଣ ଠପ୍‌ ହୋଇପଡ଼ିଛି । କନ୍ଧମାଳ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଘାଟି ରାସ୍ତାରେ ସମସ୍ତ ପ୍ରକାର ଯାନବାହନ ଚଳାଚଳକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି । ଗଞ୍ଜାମ ଜିଲ୍ଲା ପଟେ ଗାଜଲବାଡ଼ି ନିକଟରେ ସୋରଡ଼ା ଥାନା ଆଇଆଇସି ସୁନୀଲ ପ୍ରଧାନଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ପୁଲିସ ବାହିନୀ ମୁତୟନ ହୋଇ ଯାନବାହନ ଚଳାଚଳକୁ ରୋକିଛନ୍ତି । ସେହିପରି କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣଙ୍କ ନିର୍ଦ୍ଦେଶକ୍ରମେ ଦାରିଙ୍ଗବାଡ଼ି ବିଡିଓ ପ୍ରୀତିରଞ୍ଜନ ରଥ, ତହସିଲଦାର ଧୀରଜ ପାତ୍ର ଓ ଥାନା ଆଇଆଇସି ସଂଗ୍ରାମ କେଶରୀ ଜେନାଙ୍କ ଉପସ୍ଥିତିରେ ବାଇମାଲା ଚେକ୍‌ଗେଟ୍‌ ନିକଟରେ ରାସ୍ତାକୁ ସିଲ୍‌ କରାଯାଇଛି । ଉଭୟ ପଟେ ପୁଲିସ ମୁତୟନ ରହି ଯାନବାହନ ଚାଳକଙ୍କୁ ଆଗକୁ ନଯିବା ପାଇଁ ସତର୍କ କରାଉଛନ୍ତି । ପ୍ରଶାସନ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁଯାୟୀ, ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଘାଟି ଅଞ୍ଚଳରେ ପ୍ରବଳ ବର୍ଷା ଓ ପବନ ହେଲେ ଭୂସ୍ଖଳନ, ପାହାଡ଼ରୁ ପଥର ଓ ମାଟି ଧସିବା ସହ ରାସ୍ତା ଓ ପୋଲର ଭିତ୍ତିଭୂମି କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି । ବିଶେଷକରି ପାହାଡ଼ିଆ ଓ ଦୁର୍ବଳ ଭୂମି ଦେଇ ଯାଇଥିବା ଏହି ଘାଟି ରାସ୍ତାରେ ଯାତାୟାତ କରିବା ଯାତ୍ରୀ ଓ ଅନ୍ୟ ରାସ୍ତା ବ୍ୟବହାରକାରୀଙ୍କ ପାଇଁ ବିପଦପୂର୍ଣ୍ଣ ହୋଇପାରେ । ତେଣୁ ଜନସାଧାରଣଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା ତଥା ସମ୍ଭାବ୍ୟ ଅଘଟଣକୁ ଏଡ଼ାଇବା ଲକ୍ଷ୍ୟରେ ଏହି କଟକଣା ଲାଗୁ କରାଯାଇଛି । ପରବର୍ତ୍ତୀ ସରକାରୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଘାଟି ରାସ୍ତାରେ ଯାନବାହନ ଚଳାଚଳ ବନ୍ଦ ରହିବ । ତେବେ ଘାଟି ରାସ୍ତା ବନ୍ଦ ହେବା ଫଳରେ କେବଳ ଯାତ୍ରୀ ପରିବହନ ନୁହେଁ, ଦୈନନ୍ଦିନ ଜୀବନଯାପନ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି । ଗଞ୍ଜାମ ଜିଲ୍ଲାରୁ କନ୍ଧମାଳକୁ ନିୟମିତ ଆସୁଥିବା ରାସନ ସାମଗ୍ରୀ, ପନିପରିବା ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଦ୍ରବ୍ୟର ପରିବହନ ଏହି ରାସ୍ତା ଉପରେ ଅନେକାଂଶରେ ନିର୍ଭର କରିଥାଏ । ରାସ୍ତା ବନ୍ଦ ରହିଲେ ଏହାର ଯୋଗାଣ ବ୍ୟବସ୍ଥା ପ୍ରଭାବିତ ହେବା ସହ ବ୍ୟବସାୟୀ ଓ ସାଧାରଣ ଲୋକେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚିନ୍ତା ବଢ଼ିଛି । ସୂଚନାଯୋଗ୍ୟ ଯେ, ପୂର୍ବରୁ ବାତ୍ୟା ‘ଅର୍ଣ୍ଣବ’ ସମୟରେ ଗତ ୨୯ ତାରିଖରେ ଏହି ଗାଜଲବାଡ଼ି ଘାଟି ରାସ୍ତାରେ ବଡ଼ଧରଣର ଭୂସ୍ଖଳନ ହୋଇଥିଲା । ଏଥିସହ ଗାଜଲବାଡ଼ିକୁ ସଂଯୋଗ କରୁଥିବା ଅଡ଼ଙ୍ଗୀ ନଦୀ ନିକଟରେ ପ୍ରାୟ ୩୬୦ ମିଟର ରାସ୍ତା ଓ ପୋଲ ବର୍ଷାଜଳର ପ୍ରବଳ ସ୍ରୋତରେ ଧୋଇ ହୋଇଯାଇଥିଲା । ପରବର୍ତ୍ତୀ ସମୟରେ ଅସ୍ଥାୟୀ ମରାମତି କରାଯାଇ ଚଳିତ ମାସ ୬ ତାରିଖଠାରୁ କେବଳ ହାଲୁକା ଯାନବାହନ ଚଳାଚଳକୁ ଅନୁମତି ଦିଆଯାଇଥିଲା । ଯାତ୍ରୀବାହୀ ବସ୍‌ ଓ ଭାରୀଯାନ ଚଳାଚଳ ଉପରେ କିନ୍ତୁ ପୂର୍ବରୁ କଟକଣା ଜାରି ରହିଥିଲା । ଏବେ ପୁଣି ଏକ ସମ୍ଭାବ୍ୟ ବାତ୍ୟାର ଆଶଙ୍କା ଦେଖାଦେବା ପରେ ପ୍ରଶାସନ ପକ୍ଷରୁ ଘାଟି ରାସ୍ତାକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବା ଘଟଣା ଏହି ଅଞ୍ଚଳରେ ଯାତାୟାତ ଓ ଯୋଗାଣ ବ୍ୟବସ୍ଥାକୁ ପୁଣି ଅନିଶ୍ଚିତତା ମଧ୍ୟକୁ ଠେଲି ଦେଇଛି । ତଥାପି ପ୍ରଶାସନର ଏହି ପଦକ୍ଷେପ ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ତେଣୁ ଯାତ୍ରୀ, ଗାଡ଼ିଚାଳକ ଓ ସାଧାରଣ ଲୋକେ ପ୍ରଶାସନର ନିର୍ଦ୍ଦେଶକୁ ଅବମାନନା ନକରି ଧୈର୍ଯ୍ୟର ସହ ପରିସ୍ଥିତିର ମୁକାବିଲା କରିବା ସହ ନିଜ ସୁରକ୍ଷା ଏବଂ ଅନ୍ୟମାନଙ୍କ ସୁରକ୍ଷା ପ୍ରତି ସଚେତନ ରହିବାକୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.