
ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ପ୍ରାକୃତିକ ବିପର୍ଯ୍ୟୟର ଆଶଙ୍କା ଆସିଲେ ଘାରି ହେଉଛି ଘରଦ୍ୱାର । ନିଜ ଭିଟାମାଟିରେ ରହିବା ପରିବର୍ତ୍ତେ ସୁରକ୍ଷିତ ଆଶ୍ରୟ ଖୋଜିବାକୁ ପଡ଼ୁଛି । ବର୍ଷା ଓ ବାତ୍ୟାର ଖବର ଶୁଣିବା ମାତ୍ରେ ପିଲାଛୁଆଙ୍କୁ ଧରି ଆଶ୍ରୟସ୍ଥଳକୁ ଦୌଡ଼ିବାକୁ ପଡ଼ୁଛି । ଏଭଳି ଅନିଶ୍ଚିତତା ଓ ଭୟ ମଧ୍ୟରେ ଦିନ କାଟୁଛନ୍ତି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ୍ ହାତୀମୁଣ୍ଡା ପଞ୍ଚାୟତର କୁମ୍ଭାରୀପଦ୍ର ଗ୍ରାମବାସୀ । ସମ୍ଭାବ୍ୟ ‘ଅକଭାନ’ ବାତ୍ୟାକୁ ନେଇ ପ୍ରଶାସନ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଥିବା ବେଳେ ଭୂସ୍ଖଳନ ଆଶଙ୍କାରେ ଗ୍ରାମବାସୀ ନିଜ ଘର ଛାଡ଼ି ତାମାଙ୍ଗି ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ଅସ୍ଥାୟୀ ଆଶ୍ରୟସ୍ଥଳରେ ରହିଛନ୍ତି । ବିଦ୍ୟାଳୟର ବାରଣ୍ଡା ଓ ବିଭିନ୍ନ କୋଠରୀରେ ମହିଳା, ପୁରୁଷ ଓ ଶିଶୁମାନେ ଆଶ୍ରୟ ନେଇଥିବା ବେଳେ ସେମାନଙ୍କ ପାଇଁ ନିକଟସ୍ଥ ରୋଷେଇ ସେଡ୍ରେ ଖାଦ୍ୟ ପ୍ରସ୍ତୁତ କରାଯାଉଛି । ପ୍ରଶାସନ ପକ୍ଷରୁ ଖାଦ୍ୟ ଓ ରହିବାର ବ୍ୟବସ୍ଥା ହୋଇଥିବାରୁ ବିପଦ ସମୟରେ ଏହା ଗ୍ରାମବାସୀଙ୍କୁ ଆଶ୍ୱସ୍ତି ଦେଇଛି । କିନ୍ତୁ ପ୍ରତିଥର ବିପଦ ଆସିଲେ ଆଶ୍ରୟସ୍ଥଳକୁ ଯିବା ଏହି ଗ୍ରାମବାସୀଙ୍କ ପାଇଁ ଏକ ସ୍ଥାୟୀ ସମାଧାନ ହୋଇପାରିବ କି ? ଏହି ପ୍ରଶ୍ନ ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଗ୍ରାମବାସୀ ଅଶୋକ ବଳିଆରସିଂଙ୍କ ସୂଚନା ଅନୁଯାୟୀ, କୁମ୍ଭାରୀପଦ୍ର ଗ୍ରାମର ଶାହିମୁଣ୍ଡ ଅଞ୍ଚଳରେ ୨୦୧୯ ମସିହାରୁ ଭୂସ୍ଖଳନ ସମସ୍ୟା ଦେଖାଦେଇଛି । ଦୀର୍ଘ ସାତ ବର୍ଷ ଧରି ଏହି ବିପଦର ଆଶଙ୍କା ମଧ୍ୟରେ ଜୀବନ ବିତାଉଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ ହୋଇପାରିନାହିଁ । ପୂର୍ବରୁ ପ୍ରଶାସନ ପକ୍ଷରୁ ଗ୍ରାମବାସୀଙ୍କ ବିସ୍ଥାପନ ପାଇଁ କେତେକ ସ୍ଥାନ ଚିହ୍ନଟ କରାଯାଇଥିଲା । ହେଲେ ଏଯାବତ୍ ସେହି ଯୋଜନା ବାସ୍ତବ ରୂପ ନେଇପାରିନାହିଁ । ଫଳରେ ଗ୍ରାମବାସୀଙ୍କ ମନରୁ ଭୂସ୍ଖଳନ ଭୟ ଦୂର ହେଉନାହିଁ । ପ୍ରତିଥର ବାତ୍ୟା କିମ୍ବା ପ୍ରବଳ ବର୍ଷାର ପୂର୍ବାଭାସ ମିଳିଲେ ନିଜ ଘର ଛାଡ଼ି ଅନ୍ୟତ୍ର ଆଶ୍ରୟ ନେବାକୁ ପଡ଼ୁଛି । ଏହାଦ୍ୱାରା ଦୈନନ୍ଦିନ ଜୀବନ, ପିଲାମାନଙ୍କ ପାଠପଢ଼ା, ଜୀବିକା ଓ ପାରିବାରିକ କାର୍ଯ୍ୟକଳାପ ପ୍ରଭାବିତ ହେଉଛି । ନିଜ ଘର ସୁରକ୍ଷିତ ଅଛି କି ନାହିଁ, ଫେରିଲେ ପୁଣି ସେଠାରେ ରହିପାରିବେ କି ନାହିଁ, ଏଭଳି ଆଶଙ୍କା ମଧ୍ୟରେ ରହୁଛନ୍ତି ପରିବାରଗୁଡ଼ିକ । ବିପର୍ଯ୍ୟୟ ସମୟରେ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରଖିବା ପ୍ରଶାସନର ତତ୍କାଳୀନ ଦାୟିତ୍ୱ ହୋଇଥିବା ବେଳେ ଦୀର୍ଘଦିନ ଧରି ଭୂସ୍ଖଳନ ଆଶଙ୍କାରେ ରହୁଥିବା ପରିବାର ଗୁଡ଼ିକର ସ୍ଥାୟୀ ଥଇଥାନ ମଧ୍ୟ ସମାନ ଗୁରୁତ୍ୱ ବହନ କରୁଛି । ଚିହ୍ନଟ ହୋଇଥିବା ବିସ୍ଥାପନ ସ୍ଥାନରେ ଆବଶ୍ୟକ ଭିତ୍ତିଭୂମି, ଘର ଓ ମୌଳିକ ସୁବିଧା ଯୋଗାଇ ଶୀଘ୍ର ପୁନର୍ବାସ ପ୍ରକ୍ରିୟା ଆରମ୍ଭ କରିବାକୁ ଗ୍ରାମବାସୀ ଦାବି ଉଠାଇଛନ୍ତି । ବର୍ତ୍ତମାନର ବାତ୍ୟା ପରିସ୍ଥିତିରେ ପ୍ରଶାସନର ତତ୍ପରତା ଓ ଆଶ୍ରୟସ୍ଥଳରେ ଖାଦ୍ୟ ବ୍ୟବସ୍ଥାକୁ ଗ୍ରାମବାସୀ ସ୍ୱାଗତ କରିଛନ୍ତି । ତେବେ ସାମୟିକ ରିଲିଫ୍ରେ ସମସ୍ୟାର ଅନ୍ତ ହେବ ନାହିଁ । ୨୦୧୯ରୁ ଲାଗି ରହିଥିବା ଭୂସ୍ଖଳନ ସମସ୍ୟାର ବୈଜ୍ଞାନିକ ଅନୁଧ୍ୟାନ କରିବା ସହ ବିସ୍ଥାପନ ଓ ପୁନର୍ବାସ ଯୋଜନାକୁ ତ୍ୱରାନ୍ୱିତ କରିବା ଏବେ ଜିଲ୍ଲା ପ୍ରଶାସନ ପାଇଁ ଏକ ବଡ଼ ଆହ୍ୱାନ ହୋଇଛି । ବିପଦ ଆସିଲେ ଘର ଛାଡ଼ିବା, ବିପଦ ଟଳିଲେ ପୁଣି ଫେରିବା ଏହି ଅନିଶ୍ଚିତ ଜୀବନରୁ କୁମ୍ଭାରୀପଦ୍ରବାସୀଙ୍କୁ କେବେ ମିଳିବ ମୁକ୍ତି ? ଏବେ ସମସ୍ତଙ୍କ ନଜର ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ ଉପରେ ।