jayashree

ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ : ୫୫ ବର୍ଷୀୟ ବ୍ୟକ୍ତି ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ଅନ୍ତର୍ଗତ ମାଣ୍ଡୋସିଲ ଗ୍ରାମର ଇନ୍ଦିରାନଗର ପଡ଼ାରେ ଜଣେ ୧୨ ବର୍ଷୀୟା ନାବାଳିକାଙ୍କୁ ଅସଦାଚରଣ ଉଦ୍ୟମ, ଜାତିଆଣ ଆକ୍ଷେପ ଓ ଧମକ ଦେବା ଅଭିଯୋଗରେ ପୁଲିସ ଜଣେ ୫୫ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତି ହେଲେ ମାଣ୍ଡୋସିଲ ଗ୍ରାମର ଉମାଦତ୍ତ ଶର୍ମା ଓରଫ ଶର୍ମା । ପୁଲିସରେ ଦାଖଲ ଅଭିଯୋଗ ଅନୁଯାୟୀ, ଗତ ୧୭ ତାରିଖ ଅପରାହ୍ନ ପ୍ରାୟ ୨ଟା ସମୟରେ ନାବାଳିକାଙ୍କ ବାପା ଓ ମାଆ ଘରେ ନଥିବା ବେଳେ ଅଭିଯୁକ୍ତ ତାଙ୍କ ଘରେ ପ୍ରବେଶ କରିଥିଲେ । ସେଠାରେ ଏକୁଟିଆ ଥିବା ନାବାଳିକାଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ସହ ଅସଦାଚରଣ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଏଥିସହ ଏକ ହଜାର ଟଙ୍କାର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ପାଇଁ ବାଧ୍ୟ କରିଥିବା ଏବଂ ନାବାଳିକା ଏଥିରେ ରାଜି ନହେବାରୁ ଜାତିଆଣ ଆକ୍ଷେପ କରିବା ସହ ଘଟଣା ସମ୍ପର୍କରେ କାହାକୁ ଜଣାଇଲେ ଧମକ ଦେଇଥିବା ନାବାଳିକାଙ୍କ ପିତା ଅଭିଯୋଗରେ ଦର୍ଶାଇଛନ୍ତି । ଏନେଇ ନାବାଳିକାଙ୍କ ପିତା ତୁଳସୀ ସିନ୍ଦୂର ଗତ ୧୮ ତାରିଖ ଅପରାହ୍ନରେ ପାଇକମାଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାକୁ ଆଧାର କରି ପୁଲିସ କେସ୍ ନଂ ୨୯୯/୨୬ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପରେ ବୁଧବାର ସନ୍ଧ୍ୟାରେ ଅଭିଯୁକ୍ତଙ୍କୁ ଗିରଫ କରି ପଦ୍ମପୁର କୋର୍ଟକୁ ଚାଲାଣ କରିଛି । ଘଟଣାରେ ପୁଲିସର ଅଧିକ ତଦନ୍ତ ଜାରି ରହିଥିବା ପାଇକମାଲ ଥାନାଧିକାରୀ କୈଳାସ ଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.