
- ସାଇଣ୍ଟିଫିକ୍ ଟିମ୍ର ତଦନ୍ତ ଆରମ୍ଭ
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅର୍ନ୍ତଗତ ସାଲେପାଲି- ସମଲେଇଚୁଆଁ ରାସ୍ତାର କେନାଲ ରାସ୍ତାରେ ପାଙ୍କେଲ ଗ୍ରାମ ନିକଟରେ ଗତକାଲି ରାତି ପ୍ରାୟ ୮ଟା ବେଳେ ଏକ ଗୁଳିକାଣ୍ଡ ଘଟିଛି । ଗୁଳିକାଣ୍ଡରେ ସୁଦାମ ନାଗ (୩୫) ନାମକ ଜଣେ ୱେଲ୍ଡିଙ୍ଗ ମିସ୍ତ୍ରୀଙ୍କ ଘଟଣା ସ୍ଥଳରେ ମୃତ୍ୟ ଘଟିଛି । ତାଙ୍କ ମୁଣ୍ଡ, ପିଠି ଓ ଜଂଘରେ ଗୁଳି ବାଜିଥିବା ଜଣାପଡିଛି । ଦୁର୍ବୃତ୍ତମାନେ ପ୍ରାୟ ୪ରୁ ୫ ରାଉଣ୍ଡ ଗୁଳିମାଡ କରି ଫେରାର ହୋଇଯାଇଛନ୍ତି । ମୃତଦେହ ରାସ୍ତା ଉପରେ ପଡ଼ି ରହିଥିବା ବେଳେ ସୂଚନା ପାଇ ସୁବର୍ଣ୍ଣପୁର ଏସ୍ପି ନାରାୟଣ ନାୟକ, ଏସ୍ଡିପିଓ କଲ୍ୟାଣୀ ବେହେରା, ଡୁଙ୍ଗୁରିପାଲି ଆଇଆଇସି ରୋଜାଲିନ ପଟେଲ ଓ ରାମପୁର ଆଇଆଇସି ବିନୋଦିନୀ ବରିହା ତୁରନ୍ତ ରାତିରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଗୁଳିମାଡ଼ରେ ଯୁବକଙ୍କ ମୃତଦେହ ରାସ୍ତାରେ ପଡିରହିଛି । ସୂଚନା ଅନୁଯାୟୀ, ରାମପୁର ଥାନା ବ୍ରାହ୍ମଣୀପାଲି ଗ୍ରାମର ସୁଦାମ ଜଣେ ୱେଲ୍ଡିଙ୍ଗ ମିସ୍ତ୍ରୀ ଭାବରେ ସ୍ଥାନୀୟ କାମ କରୁଥିଲେ । ମଙ୍ଗଳବାର ଦିନ କୌଣସି କାମରେ ସେ ଡୁଙ୍ଗୁରିପାଲି ଯାଇଥିଲେ । କାମ ସାରି ରାତିରେ ବାଇକ୍ ଯୋଗେ ସାଲେପାଲି- ସମଲେଇଚୁଆଁ ରାସ୍ତାରେ ନିଜ ଘରକୁ ଫେରୁଥିଲେ । ପାଙ୍କେଲ ଗାଁ ବୁଲାଣି ରାସ୍ତା ନିକଟରେ ଦୁର୍ବୃତ୍ତମାନେ ତାଙ୍କୁ ଗୁଳିମାଡ କରିଛନ୍ତି । ପ୍ରାୟ ୨ ରାଉଣ୍ଡ ଗୁଳି ତାଙ୍କ ଦେହରେ ବାଜିଛି । ଡୁଙ୍ଗୁରିପାଲି ଆଇଆଇସି ରୋଜାଲିନ ପଟେଲ ଓ ରାମପୁର ଆଇଆଇସି ବିନୋଦିନୀ ବରିହାଙ୍କ ନେତୃତ୍ୱରେ ପୋଲିସ ଟିମ୍ ଅଭିଯୁକ୍ତଙ୍କୁ ଧରିବାକୁ ତନାଘନା ଆରମ୍ଭ କରିଛନ୍ତି । ତେବେ ଗୁଳିକାଣ୍ଡର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ । ସେପଟେ ଆଜି ସକାଳୁ ବଲାଙ୍ଗିରରୁ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଲାଇଛି ।