jayashree

ଦଶମ ଶ୍ରେଣୀ ମେଧାବୀ ଛାତ୍ରୀଙ୍କୁ ଶିକ୍ଷାବିତ୍ ପୀତବାସ ପଣ୍ଡାଙ୍କ ଦିଗଦର୍ଶନ

  • “ମାନସିକ ଓ ଶାରୀରିକ ପ୍ରସ୍ତୁତି ସହ ଅଧ୍ୟବସାୟ ହିଁ ସଫଳତାର ମୂଳମନ୍ତ୍ର”

ବଲାଙ୍ଗିର, (କେପିଏନ୍‌ଏସ୍‌) : ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ମେଧାବୀ ଛାତ୍ରୀମାନଙ୍କୁ ଶିକ୍ଷାବିତ୍ ପୀତବାସ ପଣ୍ଡା ଶିକ୍ଷା ଓ ସଫଳତାର ମନ୍ତ୍ର ପ୍ରଦାନ କରିବା ସହ ଆଗାମୀ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ନିମନ୍ତେ ଦିଗଦର୍ଶନ ଦେଇଥିଲେ । ଚଳିତ ଶିକ୍ଷାବର୍ଷରେ କିପରି ନିଜକୁ ସୁପରିକଳ୍ପିତ ଭାବରେ ପ୍ରସ୍ତୁତ କରିବେ, ପାଠପଢ଼ାରେ କିପରି ନିୟମିତତା ଓ ଶୃଙ୍ଖଳା ବଜାୟ ରଖିବେ, ସେ ସମ୍ପର୍କରେ ସେ ଛାତ୍ରୀମାନଙ୍କୁ ବିସ୍ତୃତ ଭାବରେ ବୁଝାଇଥିଲେ । କେବଳ ପାଠ୍ୟପୁସ୍ତକରେ ସୀମିତ ନରହି ମାନସିକ ଓ ଶାରୀରିକ ସ୍ତରରେ ମଧ୍ୟ ନିଜକୁ କିପରି ପ୍ରସ୍ତୁତ କରିବାକୁ ହେବ, ସେ ଦିଗରେ ଗୁରୁତ୍ୱ ଦେଇଥିଲେ । ପରୀକ୍ଷା ସମୟରେ ଆତ୍ମବିଶ୍ୱାସ, ଏକାଗ୍ରତା ଓ ଧୈର୍ଯ୍ୟ ରକ୍ଷା କରିବା ସହ ନିୟମିତ ଅଭ୍ୟାସ, ସମୟର ସଠିକ୍ ଉପଯୋଗ, ପର୍ଯ୍ୟାପ୍ତ ବିଶ୍ରାମ ଓ ସୁସ୍ଥ ଜୀବନଶୈଳୀ ଅବଲମ୍ବନ କରିବାକୁ ସେ ପରାମର୍ଶ ଦେଇଥିଲେ । ପରୀକ୍ଷାକୁ ଭୟ ନକରି ଏକ ସୁଯୋଗ ଭାବରେ ଗ୍ରହଣ କରିବା ସହ ନିଜର ଲକ୍ଷ୍ୟ ପ୍ରତି ଦୃଢ଼ ସଂକଳ୍ପବଦ୍ଧ ହେବାକୁ ଉତ୍ସାହିତ କରିଥିଲେ । ଏହି ଅବସରରେ ଶିକ୍ଷାବିତ୍ ଶ୍ରୀ ପଣ୍ଡା ଦଶମ ଶ୍ରେଣୀର ଇଂରାଜୀ ବ୍ୟାକରଣ ବିଷୟରେ ମଧ୍ୟ ଶିକ୍ଷାଦାନ କରିଥିଲେ । ବ୍ୟାକରଣର ବିଭିନ୍ନ ଦିଗକୁ ସରଳ ଓ ସହଜ ଉପାୟରେ ବୁଝାଇବା ସହ ଛାତ୍ରୀମାନଙ୍କୁ ଅଭ୍ୟାସ ମାଧ୍ୟମରେ ଇଂରାଜୀ ଭାଷାରେ ଦକ୍ଷତା ବୃଦ୍ଧି କରିବାକୁ ଆହ୍ୱାନ ଦେଇଥିଲେ । ତାଙ୍କର ଏହି ମାର୍ଗଦର୍ଶନ ଛାତ୍ରୀମାନଙ୍କ ମନରେ ନୂତନ ଉତ୍ସାହ ଓ ଆତ୍ମବିଶ୍ୱାସ ସୃଷ୍ଟି କରିବା ସହ ଆଗାମୀ ବୋର୍ଡ ପରୀକ୍ଷାରେ ଉତ୍କୃଷ୍ଟ ଫଳାଫଳ ହାସଲ ପାଇଁ ପ୍ରେରଣା ଯୋଗାଇଥିଲା । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସ୍ୱରୂପା ମଞ୍ଜରୀ ସାମନ୍ତରା, ବରିଷ୍ଠ ଶିକ୍ଷୟିତ୍ରୀ ନୂତନ ନାୟକ, ଶିକ୍ଷୟିତ୍ରୀ ଦେବସ୍ମିତା ପାଣିଗ୍ରାହୀଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.