jayashree

ଜନଗଣନା-୨୦୨୭ ପାଇଁ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର

  • ଜାନୁଆରୀ ୧୦ରୁ ଆରମ୍ଭ ହେବ ସ୍ୱୟଂ ଗଣନା, ୨୫ରୁ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗାମୀ ଜନଗଣନା-୨୦୨୭କୁ ସଠିକ୍ ଓ ବ୍ୟବସ୍ଥିତ ଢଙ୍ଗରେ ସମ୍ପାଦନ କରିବା ପାଇଁ ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଜନଗଣନାର ଦ୍ୱିତୀୟ ପର୍ଯ୍ୟାୟ ଅର୍ଥାତ୍ ଜନସଂଖ୍ୟା ଗଣନା କାର୍ଯ୍ୟ ସମ୍ପର୍କରେ ଅଧିକାରୀ ଓ କର୍ମଚାରୀଙ୍କୁ ଅବଗତ କରାଇବା ନିମନ୍ତେ ଦୁଇଦିନିଆ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ମୁଖ୍ୟ ଜନଗଣନା ଅଧିକାରୀ ତଥା ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିରିକ୍ତ ଜିଲ୍ଲାପାଳ ଡମ୍ବରୁଧର ମଲ୍ଲିକ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ତରଣୀ ସୁନାଙ୍କ ସମେତ ବଲାଙ୍ଗିର, ପାଟଣାଗଡ଼ ଓ ଟିଟିଲାଗଡ଼ର ଉପଜିଲ୍ଲାପାଳ ଯୋଗ ଦେଇଥିଲେ । ଜନଗଣନା ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ଡା. ଅଭୟ ନାରାୟଣ ନାୟକ, ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀ ଲଲାଟେନ୍ଦୁ ପଣ୍ଡା ଓ ଜିଲ୍ଲା ଜନଗଣନା ଦାୟିତ୍ୱପ୍ରାପ୍ତ ଅଧିକାରୀ ସଞ୍ଜିତ ରଜକ ପ୍ରଶିକ୍ଷକ ଭାବେ ଯୋଗଦେଇ ଜନଗଣନାର ବିଭିନ୍ନ ପର୍ଯ୍ୟାୟ, ତଥ୍ୟ ସଂଗ୍ରହ ପଦ୍ଧତି, ନିୟମାବଳୀ ଓ ଦାୟିତ୍ୱ ସମ୍ପର୍କରେ ବିସ୍ତୃତ ତାଲିମ ପ୍ରଦାନ କରିଥିଲେ । ପ୍ରଶିକ୍ଷଣରେ ଆଗାମୀ ଜନଗଣନାର ସମୟ ସୂଚୀ ଉପରେ ମଧ୍ୟ ଆଲୋଚନା ହୋଇଥିଲା । ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ୨୦୨୭ ଜାନୁଆରୀ ୧୦ରୁ ୨୪ ତାରିଖ ପର୍ଯ୍ୟନ୍ତ ସ୍ୱୟଂ ଗଣନା ବା ସେଲ୍ଫ ଏନୁମେରେସନ୍ କରାଯିବ । ଏହାପରେ ଜାନୁଆରୀ ୨୫ରୁ ଫେବୃଆରୀ ୨୮ ପର୍ଯ୍ୟନ୍ତ ଜନଗଣନାକାରୀମାନେ ଘରକୁ ଘର ଯାଇ ଜନସଂଖ୍ୟା ସମ୍ପର୍କିତ ତଥ୍ୟ ସଂଗ୍ରହ କରିବେ । ମାର୍ଚ୍ଚ ୧ରୁ ୫ ତାରିଖ ମଧ୍ୟରେ ସଂଗୃହୀତ ତଥ୍ୟର ସଂଶୋଧନ ଓ ଯାଞ୍ଚ କରାଯିବ । ଏହି ପର୍ଯ୍ୟାୟରେ ନିର୍ଦ୍ଧାରିତ ୪୦ଟି ପ୍ରଶ୍ନ ମାଧ୍ୟମରେ ପରିବାରର ସଦସ୍ୟ ସଂଖ୍ୟା, ବୟସ, ଲିଙ୍ଗ, ଶିକ୍ଷାଗତ ଯୋଗ୍ୟତା, ବୃତ୍ତି ଓ ଅନ୍ୟାନ୍ୟ ଜନସାଂଖ୍ୟିକ ତଥ୍ୟ ସଂଗ୍ରହ କରାଯିବ । ଏହି ତଥ୍ୟ ଦେଶର ପ୍ରକୃତ ଜନସଂଖ୍ୟା ଚିତ୍ର ଉପସ୍ଥାପନ କରିବା ସହ ଭବିଷ୍ୟତର ବିକାଶ ଯୋଜନା, ସରକାରୀ ସେବା ଓ ସମ୍ବଳ ବଣ୍ଟନ ପାଇଁ ମୁଖ୍ୟ ଆଧାର ହେବ । ଶିବିରରେ ଡେପୁଟି କଲେକ୍ଟର ନିବେଦିତା ସ୍ୱାଇଁ, ସହକାରୀ ଜିଲ୍ଲାପାଳ ରାମ ନାରାୟଣ ମିଶ୍ରଙ୍କ ସମେତ ଜିଲ୍ଲାର ସମସ୍ତ ତହସିଲଦାର, ଅତିରିକ୍ତ ତହସିଲଦାର, ପୌରାଞ୍ଚଳ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧିକାରୀ, କିରାଣି ଏବଂ ବୈଷୟିକ ସହାୟକମାନେ ଯୋଗ ଦେଇଥିଲେ । ଜିଲ୍ଲାପାଳ କାର୍ଯ୍ୟାଳୟର ସାଧାରଣ ଓ ବିବିଧ ଶାଖାର ବରିଷ୍ଠ ରାଜସ୍ୱ ସହାୟକ ଚମ୍ପେଶ୍ୱର ବଧୀଆଙ୍କ ସମେତ କାର୍ଯ୍ୟାଳୟର କର୍ମଚାରୀମାନେ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.