jayashree

ମୁରିବାହାଲ ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ପକ୍ଷରୁ ଅନୁଷ୍ଠିତ ଜାତୀୟ ପ୍ରେସ୍ ଦିବସରେ ୮ବିଶିଷ୍ଟ ପ୍ରତିଭା ସମ୍ବର୍ଦ୍ଧିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନ ପକ୍ଷରୁ ତୃତୀୟ ବର୍ଷ ଜାତୀୟ ପ୍ରେସ୍ ଦିବସ ସ୍ଥାନୀୟ ରାଧାକୃଷ୍ଣ ଓ ଶିବ ମନ୍ଦିର ସମ୍ମୁଖ ପଡ଼ିଆରେ ସୋମବାର ଏକ ଭବ୍ୟ ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଆସୋସିଏସନ ସଭାପତି ଦୁର୍ଗାନନ୍ଦ ମହାକୁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଗଣତନ୍ତ୍ରରେ ସାମ୍ବାଦିକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତପ୍ରକାଶ କରିଥିଲେ । ମୁଖ୍ୟବକ୍ତା ଭାବେ ଯୁକ୍ତ ୨ କଲେଜ ଅଧ୍ୟକ୍ଷ ଡ. ରମେଶ ଚନ୍ଦ୍ର ମହାନନ୍ଦ ଯୋଗଦେଇ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସାମ୍ବାଦିକମାନେ ଗ୍ରାଉଣ୍ଡ ଜିରୋକୁ ଯାଇ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରୁଥିବାରୁ ସେମାନଙ୍କୁ ଯେତେ ଧନ୍ୟବାଦ ଦେଲେ ମଧ୍ୟ କମ୍ ହେବ ବୋଲି ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ମିଥିଲା ମାଝୀ, ସାଂସଦ ପ୍ରତିନିଧି ତଥା ବିଜେପି ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରା, ଡ଼ିଗ୍ରୀ କଲେଜ ଅଧ୍ୟକ୍ଷ ସରୋଜ କୁମାର ନାୟକ, ଥାନା ଆଇଆଇସି ବୁଲୁ ମୁଣ୍ଡା, ଆସୋସିଏସନ ଉପଦେଷ୍ଟା ଡ. ଭଗବାନ ମହାନ୍ତି, ପଞ୍ଚାୟତ ହାଇସ୍କୁଲ ପ୍ରଧାନ ଶିକ୍ଷକ ସୁଶାନ୍ତ କୁଁଅର, ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ତ୍ରିବିକ୍ରମ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ ବ୍ଲକ ଅଞ୍ଚଳର ବିଭିନ୍ନ କ୍ଷେତ୍ରର ୮ ଜଣ ବିଶିଷ୍ଟ ପ୍ରତିଭାଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସ୍ଵତନ୍ତ୍ର ରୂପେ ସମ୍ମାନିତ କରାଯାଇଥିଲା । ସମ୍ମାନିତ ବ୍ୟକ୍ତିତ୍ୱମାନେ ହେଲେ ବରିଷ୍ଠ ସାମ୍ବାଦିକ ଜୀବନାନନ୍ଦ ମହାନ୍ତି, ମେଡିକାଲ୍ ଛାତ୍ର ଆକାଶ ପୁଟେଲ, ଛାତ୍ରୀ ରାଜଶ୍ରୀ କୁଅଁର ଓ ତପସ୍ୱିନୀ ବାଗ, ଦଣ୍ଡକଳାକାର ଉତ୍କଣ୍ଠ ମହାନନ୍ଦ, ବରିଷ୍ଠ ସଂକୀର୍ତ୍ତନ ଗୁରୁ ମାର୍କଣ୍ଡ ମହାକୁର, ଜାତୀୟ ଥାଙ୍ଗଟା ଖେଳାଳି ଯୁବରାଜ ଜାଲ, ସାରଙ୍ଗୀ କଳାକାର କାନ୍ଦରୁ ଦେବଗୁରୁ । ଏହି ଅବସରରେ ମୁରିବାହାଲ ୟୁପି ସ୍କୁଲ, କେଜିବିଭି, ହାଇସ୍କୁଲ, ଓଏଭି, ଯୁକ୍ତ-୩ ଓ ଯୁକ୍ତ-୨ କଲେଜର ଛାତ୍ରୀମାନେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ବାଗ ପୂର୍ବରୁ ନିର୍ମାଣାଧୀନ ସାମ୍ବାଦିକ ଭବନ ପରିଦର୍ଶନ କରି ଭବନ ନିର୍ମାଣ ପାଇଁ ୬ ଲକ୍ଷ ଟଙ୍କା ଅନୁଦାନ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ସେହିପରି ସାଂସଦ ପ୍ରତିନିଧି ଶ୍ରୀ ବେହେରା ମଧ୍ୟ ସାଂସଦ ପାଣ୍ଠିରୁ ୫ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଥିଲେ । କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ ସରପଞ୍ଚ, ବ୍ଲକ ବିକାଶ ମଞ୍ଚ, ସ୍ୱାମୀ ବିବେକାନନ୍ଦ ଯୁବକ ସଂଘ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହ ବହୁ ଅନୁଷ୍ଠାନ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ କାର୍ଯ୍ୟକାରୀ ସଭାପତି ଖଗେଶ୍ୱର ସାହୁ, ଉପସଭାପତି ପ୍ରେମାନନ୍ଦ ତାଣ୍ଡି, ଗିରିଧାରୀ ସାହୁ, ସୁବାସ ମାଝୀ, ମଦନ ମୋହନ ସାହୁ ପ୍ରମୁଖ ସହଯୋଗ କରିଥିଲେ । ସାଧାରଣ ସମ୍ପାଦକ ଜୟନ୍ତ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କୋଷାଧ୍ୟକ୍ଷ ନବୀନ କୁମାର ତାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.