
ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କେବଳ ପାଠପଢ଼ା ନୁହେଁ, କ୍ରୀଡ଼ା ମାଧ୍ୟମରେ ମଧ୍ୟ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନ ହୋଇଥାଏ । ଖେଳ ପଡ଼ିଆରେ ପ୍ରତିଯୋଗିତା, ଶୃଙ୍ଖଳା ଓ ସଫଳତାର ମନ୍ତ୍ର ଶିଖିଲେ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଆଗକୁ ବଢ଼ିବାର ଆତ୍ମ ବିଶ୍ୱାସ ଜନ୍ମ ନିଏ । ଏଭଳି ଏକ ଉଦ୍ଦେଶ୍ୟ ନେଇ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ସାଇ ପ୍ରଭୁଜୀ ଗ୍ଲୋବାଲ ସ୍କୁଲ ପକ୍ଷରୁ ଆୟୋଜିତ ଦୁଇଦିନିଆ ବାର୍ଷିକ କ୍ରୀଡ଼ା ଉତ୍ସବ ଉତ୍ସାହ ଓ ଉଦ୍ଦୀପନାର ସହ ଉଦ୍ଯାପିତ ହୋଇଯାଇଛି । କ୍ରୀଡ଼ା ଉତ୍ସବର ଉଦ୍ଘାଟନୀ ସମାରୋହରେ ତୀର୍ଥବାସୀ ଘଡ଼ାଇ ଓ ପ୍ରକାଶ ଚନ୍ଦ୍ର ନାୟକ ଯୋଗଦେଇ ଉତ୍ସବର ଶୁଭାରମ୍ଭ କରିଥିଲେ । ଏହି ଅବସରରେ କ୍ରୀଡ଼ା କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ବରଂ ଶାରୀରିକ ସୁସ୍ଥତା ସହ ମାନସିକ ଦୃଢ଼ତା, ନେତୃତ୍ୱ ଗୁଣ ଓ ଶୃଙ୍ଖଳାବୋଧ ସୃଷ୍ଟି କରିବାର ଏକ ଶକ୍ତିଶାଳୀ ମାଧ୍ୟମ ବୋଲି ମତ ପ୍ରକାଶ ପାଇଥିଲା । ଏହି ଦୁଇଦିନିଆ ଆୟୋଜନରେ ବିଦ୍ୟାଳୟର ବିଭିନ୍ନ ଶ୍ରେଣୀର ଛାତ୍ରଛାତ୍ରୀ ଉତ୍ସାହର ସହ ଭାଗ ନେଇ ନିଜ ନିଜର କ୍ରୀଡ଼ା ପ୍ରତିଭା ପ୍ରଦର୍ଶନ କରିଥିଲେ । ଖେଳପଡ଼ିଆରେ ପ୍ରତିଯୋଗୀ ମାନଙ୍କ ଉତ୍ସାହ, ଉଦ୍ୟମ ଓ ପ୍ରତିଦ୍ୱନ୍ଦିତା ଏକ ଉତ୍ସବମୁଖର ପରିବେଶ ସୃଷ୍ଟି କରିଥିଲା । ବିଜୟ ହାସଲ କରିବା ସହ ପରାଜୟକୁ ସ୍ୱୀକାର କରିବାର ମନୋଭାବ ମଧ୍ୟ ଏହି ଉତ୍ସବରୁ ଶିକ୍ଷା ମିଳିଥିଲା । ଏଥିସହ ସହଯୋଗ, ଏକତା ଓ ଦଳଗତ ମନୋଭାବର ଏକ ସୁନ୍ଦର ଉଦାହରଣ ପ୍ରତିଫଳିତ ହୋଇଥିଲା । କ୍ରୀଡ଼ା ଉତ୍ସବର ସମସ୍ତ କାର୍ଯ୍ୟକ୍ରମକୁ ପ୍ରଦୀପ ବକ୍ସି ଓ କାହ୍ନା ଡାକୁଆ ସୂଚାରୁ ରୂପେ ପରିଚାଳନା କରିଥିଲେ । ଉଦ୍ଯାପନୀ ସମାରୋହରେ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି ଯୋଗଦେଇ ଦୁଇଦିନିଆ କ୍ରୀଡ଼ା ଉତ୍ସବର ଉଦ୍ଯାପନ କରିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମ୍ପାଦକ ଇଂ. ଅଭିଜିତ ମିଶ୍ର ଓ ଅଧ୍ୟକ୍ଷ ରବି ନାରାୟଣ ମିଶ୍ରଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ । ପିଲାଙ୍କ ମଧ୍ୟରେ ଲୁକ୍କାୟିତ କ୍ରୀଡ଼ା ପ୍ରତିଭାକୁ ଚିହ୍ନଟ କରିବା ସହ ସେମାନଙ୍କୁ ଭବିଷ୍ୟତରେ ଜଣେ ଉତ୍ତମ ଖେଳାଳି ଓ ଦାୟିତ୍ୱବାନ ନାଗରିକ ଭାବେ ଗଢ଼ି ତୋଳିବା ଦିଗରେ ବିଦ୍ୟାଳୟର ଏହି ପ୍ରୟାସକୁ ଅଭିଭାବକ ଓ ଶିକ୍ଷାପ୍ରେମୀ ମହଲରେ ସ୍ୱାଗତ କରାଯାଇଛି ।