jayashree

ବରିଷ୍ଠ ନାଗରିକ ସଂଘର ନିଜସ୍ୱ ଗୃହ ନିର୍ମାଣ ପାଇଁ ଭୂମିପୂଜା ଓ ଭିତ୍ତିପ୍ରସ୍ତର ସ୍ଥାପନ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଦୀର୍ଘଦିନର ପ୍ରତୀକ୍ଷାର ଅନ୍ତ ଘଟାଇ ବାଲିଗୁଡ଼ା ଉପଖଣ୍ଡର ବରିଷ୍ଠ ନାଗରିକ ମାନଙ୍କ ପାଇଁ ନିର୍ମାଣ ହେବାକୁ ଯାଉଛି ଏକ ସ୍ଥାୟୀ ମିଳନସ୍ଥଳ । ଉପଖଣ୍ଡ ସ୍ତରୀୟ ବରିଷ୍ଠ ନାଗରିକ ସଂଘ, ବାଲିଗୁଡ଼ାର ନିଜସ୍ୱ କାର୍ଯ୍ୟାଳୟ ତଥା ମନୋରଞ୍ଜନ ଗୃହ ନିର୍ମାଣ ନିମନ୍ତେ ଭୂମିପୂଜା ଓ ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଛି । ସଂଘର ସଭାପତି ଡଃ. ମଧୁସୂଦନ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଉତ୍ସବରେ ସଂଘର ସଦସ୍ୟ ଓ ସଦସ୍ୟା ମାନେ ବିପୁଳ ଉତ୍ସାହର ସହ ସାମିଲ ହୋଇଥିଲେ । ସଂଘ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରା ବାହାରି କୋର୍ଟ ନିକଟସ୍ଥ ଆମ୍ବତୋଟା ପାଖରେ ପହଞ୍ଚିଥିଲା । ସେଠାରେ ନିଜସ୍ୱ ଜମି ଉପରେ ପ୍ରସ୍ତାବିତ ଗୃହ ନିର୍ମାଣ ପାଇଁ ବିଧିବଦ୍ଧ ଭାବେ ଭୂମିପୂଜା ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ଏହି ଅବସରରେ ଟାଉନ ହଲ୍‌ଠାରେ ରାଜବୀର ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଏକ ସ୍ୱତନ୍ତ୍ର ସଭା ଆୟୋଜିତ ହୋଇଥିଲା । ଟ୍ରଷ୍ଟର ଓଡ଼ିଶା ଶାଖା ନିର୍ଦ୍ଦେଶକ ଅମିତ ପଲାଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭୂମିପୂଜା ଓ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟର ଶୁଭାରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ଶିଶୁ, ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଶ୍ରୀ ପଲାଇ ଉପସ୍ଥିତ ସମସ୍ତଙ୍କୁ ଶୀତବସ୍ତ୍ର ବଣ୍ଟନ କରିଥିଲେ । ନିର୍ମାଣ ହେବାକୁ ଥିବା ଏହି ଗୃହ କେବଳ ସଂଘର କାର୍ଯ୍ୟାଳୟ ମଧ୍ୟରେ ସୀମିତ ରହିବ ନାହିଁ, ବରଂ ବାଲିଗୁଡ଼ା ଉପଖଣ୍ଡର ବରିଷ୍ଠ ନାଗରିକମାନଙ୍କ ପାଇଁ ଏକ ସାମାଜିକ ଓ ସାଂସ୍କୃତିକ କେନ୍ଦ୍ର ଭାବେ ପରିଚିତ ହେବ । ଏଠାରେ ନିୟମିତ ବୈଠକ, ଆଲୋଚନା, ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମନୋରଞ୍ଜନର ସୁଯୋଗ ସୃଷ୍ଟି ହୋଇପାରିବ । ବୟସର ଅପରାହ୍ନରେ ଏକାକୀପଣ ଦୂର କରିବା ସହ ପରସ୍ପର ମଧ୍ୟରେ ଭାବ ଓ ଅନୁଭୂତି ବିନିମୟ ପାଇଁ ଏହି ଗୃହ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପାଲଟିବ ବୋଲି ଆଶା କରାଯାଉଛି । ସଂଘର ଦୀର୍ଘଦିନର ସ୍ୱପ୍ନକୁ ସାକାର କରିବା ଦିଗରେ ଏହା ଏକ ଐତିହାସିକ ପଦକ୍ଷେପ ବୋଲି ସଦସ୍ୟମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ସଂଘର କର୍ମକର୍ତ୍ତା, ଉପଦେଷ୍ଟା ଓ ବହୁ ସଂଖ୍ୟାରେ ସଦସ୍ୟ ଓ ସଦସ୍ୟା ଉପସ୍ଥିତ ରହି ଉତ୍ସବକୁ ସଫଳ କରିଥିଲେ । ଶେଷରେ ସଂଘର ସମ୍ପାଦକ ପ୍ରକାଶ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.