
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ବିଜାଢୋଲ ସରକାରୀ (ଏସ୍ଏସ୍ଡି) ଉଚ୍ଚ ବିଦ୍ୟାଳୟ ପରିସରରେ ଜନଜାତୀୟ ଗୌରବ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରାଜୀବ ଲୋଚନ ପ୍ରଧାନଙ୍କ ସଭାପତିତ୍ୱରେ ଏହି ଉତ୍ସବ ଆୟୋଜିତ ହୋଇଥିଲା । ଏହି ଅବସରରେ ଶିକ୍ଷକ ପ୍ରତାପ ସାହୁ ମହାନ ଜନଜାତୀୟ ସ୍ୱାଧୀନତା ସଂଗ୍ରାମୀ ତଥା ବୀର ଯୋଦ୍ଧା ଭଗବାନ ବିର୍ସା ମୁଣ୍ଡାଙ୍କ ଜୀବନୀ, ସଂଘର୍ଷ ଓ ଦେଶ ପାଇଁ ତାଙ୍କର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ତାଙ୍କର ତ୍ୟାଗ, ସାହସ ଓ ଦେଶପ୍ରେମରୁ ପ୍ରେରଣା ନେଇ ଛାତ୍ରଛାତ୍ରୀମାନେ ଦେଶପ୍ରେମୀ, ଦାୟିତ୍ୱବାନ ଓ ଆଦର୍ଶ ନାଗରିକ ହେବାକୁ ସେ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ବିଦ୍ୟାଳୟରେ ନୂତନ ଭାବେ ଯୋଗଦାନ କରିଥିବା ଶିକ୍ଷକ ସମୀର କୁମାର ସାହୁ, ମୁନ୍ନା ବେହେରା ଓ ସୁନୀଲ ସାହୁଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଥିଲା । ଏହି ଅବସରରେ ଧ୍ରୁବ ଚରଣ ହାତୀ, ଲକ୍ଷ୍ମଣ ସଗର ଓ ଜହନ କୁମ୍ଭାର ଉପସ୍ଥିତ ରହି ନୂତନ ଶିକ୍ଷକମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଅଣଶିକ୍ଷକ କର୍ମଚାରୀ, ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଯୋଗଦେଇଥିଲେ । ଶେଷରେ ଶିକ୍ଷକ ଇନ୍ଦ୍ରଜିତ ପଧାନ ଧନ୍ୟବାଦ ଅର୍ପଣ କରିବା ସହ କାର୍ଯ୍ୟକ୍ରମର ପରିସମାପ୍ତି ଘୋଷଣା କରିଥିଲେ ।