
ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ଶିକ୍ଷାର ପ୍ରୋତ୍ସାହନ ଓ ଗ୍ରାମାଞ୍ଚଳର ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ପାଇଁ ଉତ୍ସାହିତ କରିବା ଲକ୍ଷ୍ୟରେ ଭୁଷଲାଡ଼ ଯୁବା ମଞ୍ଚ ପକ୍ଷରୁ ଶିଶୁ ଦିବସ ଅବସରରେ ଶିକ୍ଷାବୃତ୍ତି ବିତରଣ ସମାରୋହ ଆୟୋଜିତ ହୋଇଯାଇଛି । ଭୀମ ଭୋଇ ଉଚ୍ଚ ବିଦ୍ୟାଳୟ ପରିସରରେ ଏହି ସମାରୋହ ଅନୁଷ୍ଠିତ ହୋଇଥିଲା । ଏଥିରେ ଗାଁର ୨୨ ଜଣ ମନୋନୀତ ଛାତ୍ରଛାତ୍ରୀଙ୍କୁ ଶିକ୍ଷାବୃତ୍ତି ପ୍ରଦାନ କରାଯାଇଥିଲା । ସମାରୋହରେ ଅବସରପ୍ରାପ୍ତ ଶିକ୍ଷକ ପ୍ରଚଣ୍ଡ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବିଦ୍ୟାଳୟର ପ୍ରଧାନଶିକ୍ଷକ କବିରାଜ ସାହୁ, ଅର୍ଜୁନ ପୁଟେଲ, ଟେପରା ସାହୁ, ମାଗିରାମ ସାହୁ, ନିଲୁ ସାହୁ ଓ ଡିସେମ୍ବର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଯୁବା ମଞ୍ଚର ସମ୍ପାଦକ ଘିନୁ ବେହେରା ସଭାରେ ସଭାପତିତ୍ୱ କରିଥିବା ବେଳେ ସାଂଗଠନିକ ସମ୍ପାଦକ ଲୋଚନ ସାହୁ ସଭା ପରିଚାଳନା କରିଥିଲେ । ମଞ୍ଚର କୋଷାଧ୍ୟକ୍ଷ ଟିକେରାଜ ସାହୁ, ମିଡିଆ ପ୍ରଭାରୀ ଝସକେତନ ସାହୁ, ସହ-ସମ୍ପାଦକ ଦୟା ତାଣ୍ଡି ଓ ଉପ-ସଭାପତି ସିଦ୍ଧାନ୍ତ ବାଘ ଓ ବଢିଆ ବେହେରାଙ୍କ ସମେତ ଅନ୍ୟ ସଦସ୍ୟମାନେ କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଗତ ନୂଆଁଖାଇ ଭେଟଘାଟ୍ ଅବସରରେ ଯୁବା ମଞ୍ଚ ପକ୍ଷରୁ ଗାଁର ୨୧ ଜଣ ଛାତ୍ରଛାତ୍ରୀଙ୍କୁ ଶିକ୍ଷାବୃତ୍ତି ଦେବା ନେଇ ଘୋଷଣା କରାଯାଇଥିଲା । ପରବର୍ତ୍ତୀ ସମୟରେ ମନୋନୀତ ତାଲିକାରେ ଜଣେ ଅଧିକ ଛାତ୍ରଛାତ୍ରୀଙ୍କୁ ସାମିଲ କରାଯାଇ ମୋଟ ୨୨ ଜଣଙ୍କୁ ଏହି ସହାୟତା ପ୍ରଦାନ କରାଯାଇଛି । ଯୁବା ମଞ୍ଚର ଏହି ପଦକ୍ଷେପ ଗ୍ରାମାଞ୍ଚଳରେ ଶିକ୍ଷାର ପ୍ରସାର, ସାମାଜିକ ଦାୟିତ୍ୱବୋଧ ଓ ଯୁବପିଢ଼ିଙ୍କ ସାମୂହିକ ଉଦ୍ୟମର ଏକ ପ୍ରଶଂସନୀୟ ଉଦାହରଣ । ଶିକ୍ଷାର ଆଲୋକରେ ଗାଁର ପ୍ରତ୍ୟେକ ପିଲାଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହେଉ, ଏହି ଆଶା ଓ ସଂକଳ୍ପ ସହ ଯୁବା ମଞ୍ଚ ଆଗକୁ ମଧ୍ୟ ଏଭଳି ଜନକଲ୍ୟାଣମୂଳକ କାର୍ଯ୍ୟ ଜାରି ରଖିବାକୁ ଲକ୍ଷ୍ୟ ରଖିଛି ।