jayashree

ବଲାଙ୍ଗିର ଜିଲ୍ଲା ପରିଷଦ ସଭାଗୃହରେ ଜିଲ୍ଲା ବିକାଶ ସମନ୍ୱୟ ଓ ତଦାରଖ କମିଟି (ଦିଶା)ର ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପରିଷଦ ସଭାଗୃହରେ ଜିଲ୍ଲା ବିକାଶ ସମନ୍ୱୟ ଓ ତଦାରଖ କମିଟି (ଦିଶା)ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନାର ସଫଳ ରୂପାୟନ ଏବଂ ଏହାର ଅଗ୍ରଗତି ସମୀକ୍ଷା କରାଯାଇଥିଲା । ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କଣ୍ଟାବାଞ୍ଜି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଲକ୍ଷ୍ମଣ ବାଗ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ଓ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଯୋଗ ଦେଇଥିଲେ । ବୈଠକରେ କୃଷି, ପଶୁପାଳନ, ଗ୍ରାମ୍ୟ ଉନ୍ନୟନ, ପାନୀୟ ଜଳ ଯୋଗାଣ, ବିଦ୍ୟୁତୀକରଣ, ସଡ଼କ ନିର୍ମାଣ, ଗୃହ ନିର୍ମାଣ ଓ ସାମାଜିକ ସୁରକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ଚାଲିଥିବା ଯୋଜନା ଓ ପ୍ରକଳ୍ପ ଗୁଡ଼ିକର ଅଗ୍ରଗତି ଉପରେ ବିସ୍ତୃତ ସମୀକ୍ଷା କରାଯାଇଥିଲା । ବିଶେଷକରି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା, ଜଳ ଜୀବନ ମିଶନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମନରେଗା, ପିଏମ୍-କିଷାନ, ଫସଲ ବୀମା ଓ ଆୟୁଷ୍ମାନ ଭାରତ ଭଳି ପ୍ରମୁଖ ଯୋଜନାର ସଫଳ ରୂପାୟନ ସମ୍ପର୍କରେ ଆଲୋଚନା ହୋଇଥିଲା । ଜିଲ୍ଲାର ପାନୀୟ ଜଳ ସମସ୍ୟାକୁ ଗୁରୁତ୍ୱର ସହ ନେଇ ସାଂସଦ ଶ୍ରୀମତୀ ସିଂହଦେଓ ବିଭିନ୍ନ ଅଞ୍ଚଳରେ ଜଳରେ ଫ୍ଲୋରାଇଡ୍ ଓ ଆଇରନ୍‌ର ଅଧିକ ମାତ୍ରା ଥିବା ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦେଇଥିଲେ । ଜଳର ମାନ ଯାଞ୍ଚ ସହ ଏହି ଦୂଷିତ ଉପାଦାନଗୁଡ଼ିକର ମାତ୍ରା ହ୍ରାସ ପାଇଁ ଆବଶ୍ୟକ ବୈଷୟିକ ଓ ପ୍ରଶାସନିକ ପଦକ୍ଷେପ ଗ୍ରହଣ ସମ୍ପର୍କରେ ସେ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ଏଥିସହ ସମସ୍ତ ଜନକଲ୍ୟାଣକାରୀ ଯୋଜନାରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ବଜାୟ ରଖିବା ସହ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟ ସମ୍ପାଦନ କରିବାକୁ ସେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଧାୟକ ଲକ୍ଷ୍ମଣ ବାଗ ଗ୍ରାମାଞ୍ଚଳରେ ରହିଥିବା ମୌଳିକ ସମସ୍ୟାଗୁଡ଼ିକର ସମାଧାନକୁ ପ୍ରାଥମିକତା ଦେବା ସହ ଜନସାଧାରଣଙ୍କ ଅଭିଯୋଗ ଉପରେ ତ୍ୱରିତ ପଦକ୍ଷେପ ଗ୍ରହଣ ପାଇଁ ପ୍ରଶାସନକୁ ପରାମର୍ଶ ଦେଇଥିଲେ । ଅନ୍ୟପକ୍ଷରେ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ବୈଠକରେ ଆଲୋଚିତ ପ୍ରସଙ୍ଗଗୁଡ଼ିକର ଫଳପ୍ରଦ କାର୍ଯ୍ୟାନୁଷ୍ଠାନ ଉପରେ ଗୁରୁତ୍ୱ ଦେଇଥିଲେ । ସରକାରୀ ଯୋଜନାର ସୁଫଳ ଯେପରି ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ଏବଂ କେହି ଏଥିରୁ ବଞ୍ଚିତ ନହେବେ, ସେଥିପ୍ରତି ସମସ୍ତ ବିଭାଗ ସଜାଗ ରହିବାକୁ ସେ କହିଥିଲେ । ବୈଠକରେ ବିଭିନ୍ନ ପଞ୍ଚାୟତ ସମିତିରୁ ଯୋଗ ଦେଇଥିବା ଜନପ୍ରତିନିଧିମାନେ ନିଜ ନିଜ ଅଞ୍ଚଳର ସମସ୍ୟା ଓ ଅଭାବ ଅସୁବିଧା ସମ୍ପର୍କରେ ଜିଲ୍ଲା ପ୍ରଶାସନକୁ ଅବଗତ କରାଇଥିଲେ । ଏହି ସମସ୍ୟାଗୁଡ଼ିକର ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ଏହି ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ତରଣୀ ସୁନା, ବଲାଙ୍ଗିର ଉପଜିଲ୍ଲାପାଳ ଆଲୋକ କୁମାର ପଟେଲ, ଟିଟିଲାଗଡ଼ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ, ପାଟଣାଗଡ଼ ଉପଜିଲ୍ଲାପାଳ ସୁନିଲ କୁମାର ମେହେରଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଜନପ୍ରତିନିଧିମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.