
- କୁଟାସିଂହା ଅଞ୍ଚଳରେ ତୀବ୍ର ଜନ ଅସନ୍ତୋଷ
- ମନ୍ଥର ଗତିରେ ଚାଲିଛି ସୁବର୍ଣ୍ଣପୁର ଜିଲ୍ଲାର ବନ୍ଦୋବସ୍ତ ପ୍ରକ୍ରିୟା
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ କୁଟାସିଂହା ଅଂଚଳରୁ ଉଭୟ ବଲାଙ୍ଗିର – ସୁବର୍ଣ୍ଣପୁର ଜିଲ୍ଲାକୁ ଗମନାଗମନରେ ଯୋଡିବାକୁ କୁଟାସିଂହା -କପାଶିରା ମଧ୍ୟରେ ପ୍ରବାହିତ ଅଙ୍ଗନଦୀ ଉପରେ ଏକ ସୁ-ଉଚ୍ଚ ସେତୁ ନିର୍ମାଣ କାମ ୨୦୧୯ରେ ଆରମ୍ଭ ହୋଇଥିଲା । ରାଜ୍ୟ ସରକାରଙ୍କ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ପକ୍ଷରୁ ନିର୍ମାଣକାରୀ ସଂସ୍ଥା ଆଶୀର୍ବାଦ କନଷ୍ଟ୍ରକସନ ନିର୍ମାଣ କାମ କରୁଥିଲା ଏବଂ ୩-୩-୨୦୨୪ରେ କାର୍ଯ୍ୟ ଶେଷ କରିବାକୁ ସୂଚନା ଫଳକରେ ଉଲ୍ଲେଖ ରହିଥିଲା । ଏଠାରେ ସୂଚନା ଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲାର ଉପାନ୍ତ ଅଞ୍ଚଳ ହୋଇଥିବାରୁ ଜିଲ୍ଲା ପ୍ରଶାସନ, ବିଭାଗୀୟ କର୍ତ୍ତୃପକ୍ଷ ଓ ନିର୍ବାଚିତ ଲୋକ ପ୍ରତିନିଧି ଦୃଷ୍ଟି ଦେଉ ନଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ନଦୀ ଉପରେ ସେତୁ କାମ ପ୍ରାୟ ସରି ଯାଇଥିଲେ ହେଁ ସେତୁ ସଂଲଘ୍ନ ଉଭୟ ପାର୍ଶ୍ୱ ରାସ୍ତା କାମ ବାକି ରହିଛି । ଏନେଇ ବିଭିନ୍ନ ଖବର କାଗଜରେ ଖବର ମଧ୍ୟ ପ୍ରକାଶିତ ହୋଇଛି । ଏହି ବ୍ରିଜ ସମ୍ପୂର୍ଣ୍ଣ ହେଲେ ବଲାଙ୍ଗିର ସୋନପୁର ଜିଲ୍ଲାର ଜନସାଧାରଣ ଉପକୃତ ହେବେ । ବିଶେଷ କରି ସାଲେଭଟା, ପଟୁଆପାଲି, ଯୋଗୀସର୍ଡା, ବାଦିବାହାଲ, ମୂର୍ସୁନ୍ଧି, କପଶିରା, ଜୁଲୁଣ୍ଡା, ଲଛିପୁର୍, ଦିଗ୍ସିରା ଗ୍ରାମ ପଞ୍ଚାୟତ ଏବଂ ଆଗଲପୁର ବ୍ଲକ୍, ଲୋଇସିଂହା ବ୍ଲକ, ସୋନପୁର ବ୍ଲକ୍, ବିନିକା ବ୍ଲକ୍, ଡୁଙ୍ଗୁରିପାଲି ବ୍ଲକ୍ ବଲାଙ୍ଗିର ଓ ସୋନପୁର ବ୍ଲକକୁ ସିଧାସଳଖ ଭାବେ ସ୍ଥାନୀୟ ଲୋକଙ୍କ ଗମନାଗମନରେ ସୁବିଧା ହେବ । ଏ ଅଞ୍ଚଳର ଜନସାଧାରଣ, ବୁଦ୍ଧିଜୀବୀ କହିବା ଅନୁସାରେ ଏନେଇ ବହୁବାର ସ୍ଥାନୀୟ ଜନପ୍ରତିନିଧି, ଲୋଇସିଂହା ବିଧାୟକ, ସୋନପୁର ବିଧାୟକ ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରୁନାହିଁ । ଏଇ କିଛି ଦିନ ପରେ କାମ ଆରମ୍ଭ ହୋଇଯିବ ବୋଲି କହି ଭୁଆଁ ବୁଲାଉଛନ୍ତି । ଫଳରେ ଲୋକଙ୍କ ମଧ୍ୟରେ ଦିନକୁ ଦିନ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ବର୍ତ୍ତମାନ ସୁଦ୍ଧା ୱାର୍କ ବିଭାଗକୁ ପଚାରିଲେ ସୋନପୁରର ବନ୍ଦୋବସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ସମ୍ପୂର୍ଣ୍ଣ ହେଲା ପରେ ବିଭାଗ ତରଫରୁ ଟେଣ୍ଡର ପ୍ରକ୍ରିୟା ପାଇଁ ଡିପିଆର ପ୍ରସ୍ତୁତି ହେବ ବୋଲି କହିଛନ୍ତି । ଅଧୁରା ରହି ଯିବ କି ଅଙ୍ଗନଦୀ ସେତୁର ଆପ୍ରୋଚ ରାସ୍ତା ବୋଲି ଲୋକଙ୍କ ମଧ୍ୟରେ ଆଶଙ୍କା ରହିଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ, ଜିଲ୍ଲପାଳ, ବିଭାଗୀୟ ଅଧିକାରୀ ଦୃଷ୍ଟିଦେଇ ସେତୁ ସମ୍ପୂର୍ଣ୍ଣ କରିବାକୁ ଅଂଚଳବାସୀ ଦାବି କରିଛନ୍ତି । ସୋନପୁର ଓ ବଲାଙ୍ଗିର ଜିଲ୍ଲା ତରଫରୁ ରାଜସ୍ୱ ବିଭାଗ ତରଫରୁ ଓ ଜିଲ୍ଲା ପ୍ରଶାସନ ତରଫରୁ ବିଭାଗୀୟ ଅଧିକାରୀମାନେ ଉପାନ୍ତ ଅଞ୍ଚଳ ହୋଇଥିବାରୁ ଗୁରୁତ୍ୱ ଦେଉନଥିବାରୁ ଅଞ୍ଚଳର ବୁଦ୍ଧିଜୀବୀ, ସାମାଜିକ କର୍ମୀମାନେ ମତ ପ୍ରକାଶ କରିଛନ୍ତି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ତରଫରୁ ଦୃଢ଼ ପଦକ୍ଷେପ ଗ୍ରହଣ କରିବା ପାଇଁ ଅଞ୍ଚଳରେ ଆଲୋଚନା ହେଉଥିବାର ଜଣାପଡ଼ିଛି ।