jayashree

ବାଲିଗୁଡ଼ାରେ ଧୁମ୍‌ଧାମରେ ପାଳିତ ହେଲା ଶିଶୁ ଦିବସ

  • ନେହେରୁଙ୍କ ଜୟନ୍ତୀରେ ଶୋଭାଯାତ୍ରାରେ କମ୍ପିଲା ସହର

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଶିଶୁଙ୍କ ହସ, ଖୁସି ଓ ଉତ୍ସାହରେ ମୁଖରିତ ହୋଇଉଠିଲା ବାଲିଗୁଡ଼ା ସହର । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମଜୟନ୍ତୀ ଅବସରରେ ସମଗ୍ର ଦେଶରେ ପାଳିତ ହେଉଥିବା ଶିଶୁ ଦିବସ ବାଲିଗୁଡ଼ା ସମେତ ଏହାର ଆଖପାଖ ଅଞ୍ଚଳରେ ଆନନ୍ଦ ଓ ଉତ୍ସାହର ସହ ପାଳିତ ହୋଇଯାଇଛି । ଏହି ଅବସରରେ ବାଲିଗୁଡ଼ା ଟାଉନର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ନିଜ ନିଜ ବିଦ୍ୟାଳୟ ନିକଟରେ ଏକତ୍ରିତ ହୋଇ ଏକ ବିରାଟ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ହାତରେ ବିଭିନ୍ନ ସଚେତନତାମୂଳକ ବାର୍ତ୍ତା ଓ ନେହେରୁଙ୍କ ସମ୍ପର୍କିତ ସ୍ଲୋଗାନ ମାନ ଦେଇ ଛାତ୍ରଛାତ୍ରୀମାନେ ସମଗ୍ର ସହର ପରିକ୍ରମା କରିଥିଲେ । ଶିଶୁଙ୍କ ଉତ୍ସାହପୂର୍ଣ୍ଣ ଉପସ୍ଥିତିରେ ସହରରେ ଏକ ଉତ୍ସବ ମୁଖର ପରିବେଶ ସୃଷ୍ଟି ହୋଇଥିଲା । ଶୋଭାଯାତ୍ରା ବଜାର ଛକ ନିକଟରେ ପହଞ୍ଚିବା ପରେ ସେଠାରେ ଥିବା ପଣ୍ଡିତ ଜବାହରଲାଲ ନେହେରୁଙ୍କ ପ୍ରତିମୂର୍ତ୍ତି ନିକଟରେ ଦୀପ ଓ ଧୂପ ପ୍ରଜ୍ଜ୍ୱଳନ କରାଯାଇଥିଲା । ଏଥିସହ ଛାତ୍ରଛାତ୍ରୀ ଓ ଉପସ୍ଥିତ ବ୍ୟକ୍ତିମାନେ ନେହେରୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରି ତାଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ଜଣାଇଥିଲେ । ଅନ୍ୟପକ୍ଷରେ ବିଭିନ୍ନ ବିଦ୍ୟାଳୟ ପରିସରରେ ଶିଶୁ ଦିବସ ଉପଲକ୍ଷେ ଚିତ୍ରାଙ୍କନ, ବକ୍ତୃତା, ରଚନା ଓ ଅନ୍ୟାନ୍ୟ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଛାତ୍ରଛାତ୍ରୀମାନେ ଏସବୁ ପ୍ରତିଯୋଗିତାରେ ଉତ୍ସାହର ସହ ଭାଗ ନେଇ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । ପରେ ବିଭିନ୍ନ ବିଭାଗରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଶିଶୁ ମାନେ ହେଉଛନ୍ତି ଦେଶର ଭବିଷ୍ୟତ । ସେମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ବିକାଶ, ସୃଜନଶୀଳତାର ପ୍ରସାର ଓ ଶିକ୍ଷା ପ୍ରତି ଆଗ୍ରହ ବୃଦ୍ଧି କରିବା ହିଁ ଶିଶୁ ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ । ଏହି ଦିବସ ପାଳନ ମାଧ୍ୟମରେ ଶିଶୁଙ୍କ ଅଧିକାର, ସୁରକ୍ଷା ଓ ସାମଗ୍ରିକ ବିକାଶ ପ୍ରତି ସମାଜର ଦାୟିତ୍ୱକୁ ପୁଣିଥରେ ମନେପକାଇ ଦିଆଯାଇଛି ।

Leave A Reply

Your email address will not be published.