
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ଛେତଗାଁ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଭୁଲିଯାଇଥିବା ପାରମ୍ପରିକ ଖାଦ୍ୟ ଓ ଅବହେଳିତ ଫସଲର ସଂରକ୍ଷଣ ତଥା ପୁନରୁଦ୍ଧାର ଉଦ୍ଦେଶ୍ୟରେ ଏକ ବିଦ୍ୟାଳୟସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦେବଦତ୍ତ କ୍ଲବ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ‘ଭୁଲିଯାଇଥିବା ଖାଦ୍ୟ ଓ ଅବହେଳିତ ଫସଲର ପୁନରୁଦ୍ଧାର ଏବଂ ସ୍ଥାୟୀ ଉନ୍ନତି’ (FF & NC) ପ୍ରକଳ୍ପ ଅନ୍ତର୍ଗତ ଏହି କାର୍ଯ୍ୟକ୍ରମରେ ପଦ୍ମପୁର ବ୍ଲକ କୃଷି ଅଧିକାରୀ ପ୍ରଶାନ୍ତ କୁମାର ବାଗ, ପାଇକମାଲ ବ୍ଲକ କୃଷି ଅଧିକାରୀ ନୂତନ କୁମାର ସୋରେନ ଏବଂ ପାଇକମାଲ ଉଦ୍ୟାନ କୃଷି ସମ୍ପ୍ରସାରଣ ଅଧିକାରୀ ରିଷଭ ହୋତା ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ପାରମ୍ପରିକ ଫସଲ, ଭୁଲିଯାଇଥିବା ଖାଦ୍ୟ, ଅବହେଳିତ ଫସଲର ପୁନରୁଦ୍ଧାର, ଦେଶୀ ବିହନର ସଂରକ୍ଷଣ ଏବଂ ସ୍ଥାୟୀ କୃଷି ପଦ୍ଧତିର ଗୁରୁତ୍ୱ ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ରାଜ କୁମାର ସ୍ୱାଇଁଙ୍କ ସମେତ ସମସ୍ତ ଶିକ୍ଷକ ଓ କର୍ମଚାରୀ, FF & NC ପ୍ରକଳ୍ପର ADPC ବିଜୟ କୁମାର ଧୀର, ସିଆର୍ପି କର୍ଣ୍ଣ ପାଣ୍ଡେ, ଟଙ୍କଧର ରଣା ଓ ଶ୍ରୀମତୀ ସରୋଜା ରଣା ତଥା ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଏହି ସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣୀୟ ଓ ଶିକ୍ଷଣୀୟ କରିବା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବନ୍ଧ ଲିଖନ, ବିତର୍କ ଓ ଚିତ୍ରାଙ୍କନ ଭଳି ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ପ୍ରତ୍ୟେକ ପ୍ରତିଯୋଗିତାର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାରୀଙ୍କୁ ପୁରସ୍କାର ସହ ଟ୍ରଫି ପ୍ରଦାନ କରି ଉତ୍ସାହିତ କରାଯାଇଥିଲା । ଏଥିସହିତ ପାରମ୍ପରିକ ଦେଶୀ ବିହନର ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ ମଧ୍ୟ ଆୟୋଜନ କରାଯାଇଥିଲା । ଏହି ପ୍ରଦର୍ଶନୀ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଦେଶୀ ବିହନର ମହତ୍ତ୍ୱ, ଏହାର ଉପଯୋଗିତା ଏବଂ ଭବିଷ୍ୟତ ପିଢ଼ି ପାଇଁ ଏହାର ସଂରକ୍ଷଣର ଆବଶ୍ୟକତା ବିଷୟରେ ଜ୍ଞାନ ଆହରଣ କରିଥିଲେ । ଭୁଲିଯାଇଥିବା ପାରମ୍ପରିକ ଖାଦ୍ୟ ଓ ଅବହେଳିତ ଫସଲର ପୁନରୁଦ୍ଧାର ଏବଂ ସଂରକ୍ଷଣ ନିମନ୍ତେ ଏକ ସ୍ୱାକ୍ଷର ଅଭିଯାନ ମଧ୍ୟ ଅନୁଷ୍ଠିତ ହୋଇଥିଲା । ପାରମ୍ପରିକ ଖାଦ୍ୟ ସଂସ୍କୃତି, ଦେଶୀ ବିହନ ଓ ଅବହେଳିତ ଫସଲର ସୁରକ୍ଷା ସହ ଆଗାମୀ ପିଢ଼ି ମଧ୍ୟରେ ସ୍ଥାୟୀ କୃଷି ପ୍ରତି ଆଗ୍ରହ ଓ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଥିବା ବେଳେ ପରିଶେଷରେ ଉପସ୍ଥିତ ଅତିଥି, ଶିକ୍ଷକ, ଛାତ୍ରଛାତ୍ରୀ ଓ ସମସ୍ତ ଅଂଶଗ୍ରହଣକାରୀଙ୍କୁ ବିଜୟ ଧୀର ଧନ୍ୟବାଦ ଅର୍ପଣ କରିଥିଲେ ।