
ରାଉରକେଲା, (ସସ୍ମିତା ପ୍ରଧାନ) : ମଧୁବାବୁ ଯୋଜନାରେ ଭତ୍ତା ପ୍ରଦାନ ବ୍ୟବସ୍ଥାକୁ ଅଧିକ ସ୍ଵଚ୍ଛ, ପାରଦର୍ଶୀ ଓ ସରଳୀକରଣ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଏକୀକୃତ ପେନସନ୍ ପରିଚାଳନା ପୋର୍ଟାଲ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଶନିବାର ସ୍ଥାନୀୟ ଛେଣ୍ଡ ସ୍ଥିତ ମଧୁସୂଦନ ମଣ୍ଡପ ଠାରେ ମହାନଗର ନିଗମସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ୩୧୦୦ ଜଣ ଯୋଗ୍ୟ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ବିଧାୟକ ରଘୁନାଥପାଲି ଦୁର୍ଗା ଚରଣ ତନ୍ତୀ ଉପସ୍ଥିତ ରହି ସରକାରଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିଥିଲେ । ଏହା ସହ କହିଥିଲେ ଯେ, ଏହି ପୋର୍ଟାଲ୍ ମାଧ୍ୟମରେ ଭତ୍ତା ପ୍ରଦାନ ବ୍ୟବସ୍ଥା ଅଧିକ ସରଳ ଓ ତ୍ଵରିତ ହେବା ସହ ଏହା ଦ୍ୱାରା କେହିବି ଯୋଗ୍ୟ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ ହେବେ ନାହିଁ । ସାମାଜିକ ସୁରକ୍ଷା ଓ ଜନକଲ୍ୟାଣକୁ ସୁନିଶ୍ଚିତ କରିବା ସହ ସମସ୍ତଙ୍କୁ ବିକଶିତ ଭାରତର ମୁଖ୍ୟସ୍ରୋତରେ ସାମିଲ କରିବା ଦିଗରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ ମତ ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ସହ ରାଉରକେଲା ମହାନଗର ନିଗମ ଆୟୁକ୍ତ ଶ୍ରୀମତୀ ଦୀନା ଦସ୍ତଗୀର୍, ଯୁଗ୍ମ ଆୟୁକ୍ତ ଶ୍ରୀମତୀ ପଲ୍ଲବୀ ନାୟକଙ୍କ ସହ ଅନ୍ୟ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ଲୋକ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।