
ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାରେ ଜଙ୍ଗଲ ସମ୍ପଦର ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ଚଢ଼ାଉ ଜୋରଦାର କରାଯାଇଥିବା ବେଳେ କାଠ ମାଫିଆଙ୍କ ବେଆଇନ କାରବାର ଉପରେ ପୁଣି ଏକ ବଡ଼ ଧରଣର ଆଘାତ ଲାଗିଛି । କୋଟଗଡ଼ ବନାଞ୍ଚଳ ଅଧୀନ ଲାସେରୀ ଜଙ୍ଗଲରୁ ଶାଳ କାଠ ଚୋରାଚାଲାଣ ହେଉଥିବା ସମୟରେ ବନ ବିଭାଗ ଚଢ଼ାଉ କରି ୯୨ ଖଣ୍ଡ ଶାଳ କାଠ ସହ ଏକ ମହିନ୍ଦ୍ରା ମ୍ୟାକ୍ସ ବୋଲେରୋ ପିକ୍ଅପ୍ ଗାଡ଼ିକୁ ଜବତ କରିଛି । ଜବତ କାଠର ଆନୁମାନିକ ବଜାର ମୂଲ୍ୟ ୧ ଲକ୍ଷ ୩୪ ହଜାର ଟଙ୍କା ହେବ ବୋଲି ବନ ବିଭାଗ ପକ୍ଷରୁ ଜଣାପଡ଼ିଛି । ସୂଚନା ଅନୁଯାୟୀ, ବାଲିଗୁଡ଼ା ବନଖଣ୍ଡ ଅଧୀନ କୋଟଗଡ଼ ବନାଞ୍ଚଳର ସୁପାମାହା ବିଟ୍ ଅନ୍ତର୍ଗତ ଲାସେରୀ ଜଙ୍ଗଲରୁ ଏକ ପିକ୍ଅପ୍ ଗାଡ଼ି ଯୋଗେ ଶାଳ କାଠ ଚାଲାଣ ହେଉଥିବା ନେଇ ବନ ବିଭାଗକୁ ଗୁପ୍ତ ସୂଚନା ମିଳିଥିଲା । ଏହାପରେ ବନ ବିଭାଗର ଏକ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଚଢ଼ାଉ କରିଥିଲା । ବନ କର୍ମଚାରୀଙ୍କୁ ଦେଖି ଗାଡ଼ି ଚାଳକ ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଫଳରେ ବନ ବିଭାଗ କାଠ ବୋଝେଇ ଗାଡ଼ିକୁ ଜବତ କରିବାରେ ସଫଳ ହୋଇଥିଲା । ଜବତ ଗାଡ଼ିର ନମ୍ବର ଓଡ଼ି-୦୨-ଡିଇ-୭୨୦୯ ବୋଲି ଜଣାପଡ଼ିଛି । ଗାଡ଼ିରୁ ମୋଟ ୯୨ ଖଣ୍ଡ ଶାଳ କାଠ ଜବତ କରାଯାଇଛି । ଏହି କାଠଗୁଡ଼ିକର ଆକାର ଓ ମାପ ଯାଞ୍ଚ କରାଯିବା ସହ ଚୋରାଚାଲାଣ ପଛରେ କେଉଁମାନଙ୍କ ସମ୍ପୃକ୍ତି ରହିଛି, ସେନେଇ ତଦନ୍ତ ଜାରି ରହିଛି । ଏହି ଚଢ଼ାଉରେ ଲାସେରୀ ଫରେଷ୍ଟର ରବି ମୋହନ ନାୟକ, ଦୀପକ ପଟ୍ଟନାୟକ ଓ ଜୟାନନ୍ଦ ସେଠୀ ପ୍ରମୁଖ ବନ କର୍ମଚାରୀ ସାମିଲ ଥିଲେ । ଏନେଇ ବନ ବିଭାଗ ପକ୍ଷରୁ ୯/୨୦୨୬-୨୭ ନମ୍ବରରେ ଏକ ମାମଲା ରୁଜୁ କରାଯାଇଛି । କୋଟଗଡ଼ ବନାଞ୍ଚଳ ଅଧିକାରୀ ବାଳଗୋପାଳ ବେହେରା ଏହି ସୂଚନା ଦେଇଛନ୍ତି । ତେବେ ଏହି ଘଟଣା ପୁଣିଥରେ ଜଙ୍ଗଲ ସମ୍ପଦର ସୁରକ୍ଷା ଓ ବେଆଇନ କାଠ ଚାଲାଣ ରୋକିବା ଦିଗରେ ବନ ବିଭାଗର ନିୟମିତ ନଜରଦାରି ଏବଂ କଡ଼ା ପଦକ୍ଷେପର ଆବଶ୍ୟକତାକୁ ସାମ୍ନାକୁ ଆଣିଛି ।