
- କାନ୍ଥ ଖୋଳି ଲୁଟିନେଲେ ୧୦ କେଜି ରୁପା ଓ ୨୦ ଗ୍ରାମ ସୁନା, ପୁଲିସର ତଦନ୍ତ ଜାରି
ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ସହରରେ ଏକ ସୁନା ଦୋକାନରୁ ବଡ଼ଧରଣର ଚୋରି ହୋଇଛି। ତିନିକୋଣିଆ ଛକ ନିକଟରେ ଥିବା ମୁରଲୀ ଜ୍ୱେଲର୍ସରୁ ଦୁର୍ବୃତ୍ତମାନେ ଦୋକାନର ପଛପଟ କାନ୍ଥ ଖୋଳି ଭିତରେ ପଶି ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ଚୋରି କରି ନେଇଛନ୍ତି। ଚୋରି ଘଟଣା ଜଣାପଡ଼ିବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୯ଟାରେ ଦୋକାନ ବନ୍ଦ କରି ମାଲିକ ଘରକୁ ଯାଇଥିଲେ। ତେବେ ଆଜି ସକାଳେ ଦୋକାନ ଖୋଲିବା ପରେ ପଛପଟ କାନ୍ଥ ଖୋଳାଯାଇଥିବା ଦେଖିବାକୁ ପାଇଥିଲେ। ଦୋକାନ ଭିତରେ ଥିବା ସୁନା ଓ ରୁପା ଅଳଙ୍କାର ଚୋରି ହୋଇଥିବା ଜାଣିବା ପରେ ତୁରନ୍ତ ମୁନିଗୁଡ଼ା ପୁଲିସକୁ ସୂଚନା ଦେଇଥିଲେ। ଖବର ପାଇ ମୁନିଗୁଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି। ଚୋରି କରିବା ପରେ ଦୁର୍ବୃତ୍ତମାନେ ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରା ମଧ୍ୟ ଭାଙ୍ଗି ଦେଇଥିବା ଜଣାପଡ଼ିଛି। ଦୋକାନ ମାଲିକଙ୍କ କହିବା ଅନୁଯାୟୀ, ପ୍ରାୟ ୧୦ କେଜି ରୁପା ଓ ୨୦ ଗ୍ରାମ ସୁନା ଚୋରି ହୋଇଛି। ଅନ୍ୟପକ୍ଷରେ, ଘଟଣାର ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ୍ ଟିମ୍କୁ ଅପେକ୍ଷା କରାଯାଇଛି। ଟିମ୍ର ଯାଞ୍ଚ ପରେ ଚୋରିର ସମ୍ପୂର୍ଣ୍ଣ ପରିମାଣ ଓ ଅନ୍ୟାନ୍ୟ ତଥ୍ୟ ସ୍ପଷ୍ଟ ହେବ। ଦୁର୍ବୃତ୍ତଙ୍କୁ ଚିହ୍ନଟ କରିବା ସହ ଚୋରି ସାମଗ୍ରୀ ଉଦ୍ଧାର କରିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି।