jayashree

ଗୁଣିଗାରେଡ଼ି ଓ ତାନ୍ତ୍ରିକ କାର୍ଯ୍ୟକଳାପ ଅଭିଯୋଗରେ ଗାଙ୍ଗପୁର ଥାନା ପକ୍ଷରୁ ଜଣେ ଯୁବକ ଗିରଫ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗୁଣିଗାରେଡ଼ି ଓ ତାନ୍ତ୍ରିକ କାର୍ଯ୍ୟକଳାପ ଅଭିଯୋଗରେ ଗାଙ୍ଗପୁର ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ଗିରଫ ଯୁବକ ଜଣକ ହେଲେ କୃଷ୍ଣ ମୁନି (୨୪), ପିତା- ଟୁନା ମୁନି, ଗ୍ରାମ- ଡି. ସିଂପୁର (ରାଜା ସାହି), ଥାନା- ଗାଙ୍ଗପୁର, ଜିଲ୍ଲା- ଗଞ୍ଜାମ । ଏହି ଘଟଣାରେ ଗାଙ୍ଗପୁର ଥାନା କେସ୍ ନଂ. ୫୫୫/୨୦୨୬, ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌)ର ଧାରା ୩୧୮(୪)/୧୨୩/୧୨୫/୨୭୧/୩(୫) ସହିତ ଓଡ଼ିଶା ଡାହାଣୀ ଶିକାର ନିରୋଧ ଆଇନ, ୨୦୧୩ର ଧାରା ୩/୫/୬ ଏବଂ ଡ୍ରଗ୍ସ ଆଣ୍ଡ ମ୍ୟାଜିକ୍ ରେମେଡିଜ୍ (ଆପତ୍ତିଜନକ ବିଜ୍ଞାପନ) ଆଇନ, ୧୯୫୪ର ଧାରା ୩/୭ ଅନୁଯାୟୀ ମାମଲା ରୁଜୁ ହୋଇଛି ।
ଗାଙ୍ଗପୁର ଥାନା ଅଧିକାରୀ ଇନ୍ସପେକ୍ଟର ବନବିହାରୀ ପ୍ରଧାନଙ୍କ ସ୍ୱତଃପ୍ରବୃତ୍ତ ରିପୋର୍ଟ ଆଧାରରେ ଏହି ମାମଲା ରୁଜୁ ହୋଇଥିଲା । ସୂଚନା ଅନୁଯାୟୀ ଗତ ୧୨.୧୧.୨୦୨୬ ତାରିଖ ଅପରାହ୍ନ ପ୍ରାୟ ୩ଟା ୪୫ ମିନିଟ୍ ସମୟରେ ଅଭିଯୁକ୍ତ ଦୀର୍ଘଦିନ ଧରି ଗାଁ ଶେଷ ମୁଣ୍ଡରେ ଥିବା ଏକ ଅର୍ଦ୍ଧନିର୍ମିତ ମନ୍ଦିରରେ ଗୋପନରେ ଗୁଣିଗାରେଡ଼ି, ଝଡ଼ାଫୁଙ୍କା ଓ ତାନ୍ତ୍ରିକ ପୂଜାପାଠ କରୁଥିବା ବେଳେ ଗାଙ୍ଗପୁର ଥାନାକୁ ସୂଚନା ମିଳିଥିଲା । ଏହାପରେ ପୋଲିସ ଟିମ୍ ଗାଁରେ ଗୋପନୀୟ ଭାବେ ତଦନ୍ତ କରି ଉକ୍ତ ମନ୍ଦିରରୁ ଧୂପଦାନୀ, କଉଡ଼ି, ନାଲି ସୂତା, ବିଭିନ୍ନ ରଙ୍ଗର ଗୁଣ୍ଡ, ସିନ୍ଦୂର ଓ ଏକ ଷ୍ଟିଲ୍ ଛୁରୀ ସମେତ ବିଭିନ୍ନ ତାନ୍ତ୍ରିକ ସାମଗ୍ରୀ ଜବତ କରିଥିଲା । ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ନିଜକୁ ଗୁଣିଆ ବୋଲି ପରିଚୟ ଦେଇ ମନ୍ତ୍ର, ତାବିଜ ଓ ତାନ୍ତ୍ରିକ ପୂଜା ମାଧ୍ୟମରେ ରୋଗ ଭଲ କରିବା, ବିବାଦର ସମାଧାନ କରିବା ଏବଂ ବିରୋଧୀଙ୍କୁ ନିୟନ୍ତ୍ରଣ କରିବାର ଦାବି କରୁଥିଲା । ସେ ମୁଖ୍ୟତଃ ମୁଖେ ମୁଖେ ପ୍ରଚାର କରିବା ସହ ଇନ୍‌ଷ୍ଟାଗ୍ରାମ୍ ମାଧ୍ୟମରେ ମଧ୍ୟ ଏହି ପ୍ରଚାର କରୁଥିଲା । ଫଳରେ ଗଞ୍ଜାମ, ଖୋର୍ଦ୍ଧା, ଭଦ୍ରକ, ବାଲେଶ୍ୱର ସମେତ ଅନ୍ୟ ରାଜ୍ୟରୁ ମଧ୍ୟ ଲୋକମାନେ ତାଙ୍କ ନିକଟକୁ ଆସୁଥିଲେ । ଗତ ମାସରେ ଉକ୍ତ ମନ୍ଦିରରେ ଅଭିଯୁକ୍ତ ଏକ ହୋମଯଜ୍ଞ ଆୟୋଜନ କରିଥିଲା, ଯେଉଁଥିରେ ପ୍ରାୟ ୫୦ରୁ ୧୦୦ ଜଣ ଲୋକ ଯୋଗ ଦେଇଥିଲେ । ଏହି ତାନ୍ତ୍ରିକ କାର୍ଯ୍ୟକଳାପ ସମୟରେ କୌଶଳ କିମ୍ବା କୌଣସି ପଦାର୍ଥ ବ୍ୟବହାର କରି କେତେକ ଆଗନ୍ତୁକଙ୍କୁ ଅଚେତ କରାଯାଉଥିବା ଏବଂ ସେମାନଙ୍କଠାରୁ କୌଣସି ସୁଫଳ ନ ଦେଇ ବିପୁଳ ଅର୍ଥ ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ଅଭିଯୁକ୍ତଙ୍କ ସାନଭାଇ ଶିବରାମ ମୁନି (୨୨) ମଧ୍ୟ ସହଯୋଗ କରୁଥିବା ଅଭିଯୋଗ ରହିଛି । ସେ ବର୍ତ୍ତମାନ ଫେରାର ଥିବାବେଳେ ତାଙ୍କୁ ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି । ଘଟଣାସ୍ଥଳ ପରିଦର୍ଶନ ଓ ସାକ୍ଷୀମାନଙ୍କ ବୟାନରୁ ପ୍ରାଥମିକ ଭାବେ ଅଭିଯୋଗର ସତ୍ୟତା ଜଣାପଡ଼ିବା ପରେ ସମସ୍ତ ଆଇନଗତ ପ୍ରକ୍ରିୟା ପାଳନ କରି ୧୨.୧୧.୨୦୨୬ ତାରିଖ ରାତି ୧୦ଟା ୧୩ ମିନିଟ୍ ସମୟରେ ଅଭିଯୁକ୍ତ କୃଷ୍ଣ ମୁନିଙ୍କୁ ଗିରଫ କରାଯାଇଥିଲା । ୧୩.୧୧.୨୦୨୬ ତାରିଖରେ ତାଙ୍କୁ ଆସ୍କାର ମାନ୍ୟବର ଜେଏମ୍‌ଏଫ୍‌ସି ଅଦାଲତରେ ହାଜର କରାଯାଇଛି । ଗଞ୍ଜାମ ପୋଲିସ ସାଧାରଣ ଜନତାଙ୍କୁ ଏଭଳି ଠକ ଓ ଭଣ୍ଡ ଗୁଣିଆଙ୍କ ପ୍ରଲୋଭନରେ ନ ପଡ଼ିବାକୁ ଅନୁରୋଧ କରିଛି । ଏପରି କୌଣସି ସନ୍ଦେହଜନକ କାର୍ଯ୍ୟକଳାପ ଦେଖିଲେ ନିକଟସ୍ଥ ଥାନା କିମ୍ବା ଡାଏଲ୍ ୧୧୨କୁ ସୂଚନା ଦେବାକୁ ପୋଲିସ ପକ୍ଷରୁ ନିବେଦନ କରାଯାଇଛି ।

Leave A Reply

Your email address will not be published.