jayashree

ଦେଓଗାଁ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳାରେ ଅବ୍ୟବସ୍ଥା, ମଞ୍ଚରେ ଜନପ୍ରତିନିଧିଙ୍କ ଅସନ୍ତୋଷ

  • ଶୁଖିଲା ପୋଖରୀରେ ହେଉଛି ମାଛ ଚାଷ
  • ଅଭିଯୋଗ ଉଠାଇଲେ ବ୍ଲକ ଉପାଧ୍ୟକ୍ଷା
  • ମାଇକ ଛଡ଼ାଇ ଅଧିକାରୀଙ୍କୁ ତାଗିଦ କଲେ ପୂବ ବ୍ଲକ ଅଧ୍ୟକ୍ଷ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳାରେ ଦେଖିବାକୁ ମିଳିଛି ଅବ୍ୟବସ୍ଥା। ମେଳାକୁ ଆମନ୍ତ୍ରିତ ହୋଇଥିବା ଜଣେ ନିର୍ବାଚିତ ଜନପ୍ରତିନିଧିଙ୍କୁ ମଞ୍ଚରେ ନିଜ ମତ ରଖିବାକୁ ସୁଯୋଗ ମିଳିନଥିବାରୁ ସୃଷ୍ଟି ହୋଇଥିଲା ଉତ୍ତେଜନା। ଶେଷରେ ସାଲେପାଲି ସମିତି ସଭ୍ୟ ମାଇକ୍‌ ଧରି ନିଜର ଅସନ୍ତୋଷ ପ୍ରକାଶ କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟପଟେ ଏହି ମେଳାରେ ଯୋଗଦେଇ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ବିକାଶ ପାଇଁ ଛୋଟ ଚାଷୀଙ୍କୁ ଅଧିକ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ। ବଡ଼ ଉଦ୍ୟୋଗପତିଙ୍କ ଅପେକ୍ଷା ଗ୍ରାମାଞ୍ଚଳର ଛୋଟ ମତ୍ସ୍ୟ ଓ ପ୍ରାଣୀପାଳକଙ୍କୁ ସରକାରୀ ଯୋଜନାରେ ଅଧିକ ସୁଯୋଗ ମିଳିଲେ ଗାଁର ଆର୍ଥିକ ବିକାଶ ହୋଇପାରିବ ବୋଲି ସେ କହିଥିଲେ। ସେହିପରି ଦେଓଗାଁ ବ୍ଲକରେ ପ୍ରକୃତରେ କେତେ ଜଣ ମତ୍ସ୍ୟ ଓ ପ୍ରାଣୀପାଳକ ଅଛନ୍ତି, ସେ ସମ୍ପର୍କରେ ବିଭାଗଠାରୁ ତଥ୍ୟ ମାଗିଥିଲେ ବ୍ଲକ ଉପାଧ୍ୟକ୍ଷା ସୂର୍ଯ୍ୟକାନ୍ତି ଛତ୍ରିଆ। ଏଥିସହ ଶୁଖିଲା ପୋଖରୀରେ ମାଛଚାଷ ଦର୍ଶାଇ ସରକାରୀ ସବସିଡି ହଡ଼ପ କରାଯାଉଥିବା ନେଇ ସେ ଅଭିଯୋଗ ଉଠାଇଥିଲେ। ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ବଲାଙ୍ଗିର ଜିଲ୍ଲା ମତ୍ସ୍ୟ ଅଧିକାରୀ ଜୟଶ୍ରୀ ରାଉତ। ୟୁଟ୍ୟୁବ୍‌ ଦେଖି ଏଭଳି ଅଭିଯୋଗ କରାଯାଉଥିବା ସେ କହିବା ସହ ଅଭିଯୋଗର ସତ୍ୟତା ଯାଞ୍ଚ ପାଇଁ ତଦନ୍ତ କରାଯିବ ବୋଲି ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ପରିଷଦ ସଭାପତି ଦେବକୀ ସାହୁ, ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ, ଉପାଧ୍ୟକ୍ଷା ସୂର୍ଯ୍ୟକାନ୍ତି ଛତ୍ରିଆଙ୍କ ସମେତ ବିଭିନ୍ନ ଜନପ୍ରତିନିଧି ଓ ବିଭାଗୀୟ ଅଧିକାରୀ ମଞ୍ଚାସୀନ ଥିଲେ। ମେଳାର ଉଦ୍ଦେଶ୍ୟ ଚାଷୀଙ୍କୁ ସରକାରୀ ଯୋଜନା ଓ ଆଧୁନିକ ଚାଷ ପ୍ରଣାଳୀ ସମ୍ପର୍କରେ ଅବଗତ କରାଇବା ହୋଇଥିବାବେଳେ, ଆୟୋଜନରେ ଦେଖାଦେଇଥିବା ଏହି ଅସନ୍ତୋଷ ଓ ସବସିଡି ବଣ୍ଟନକୁ ନେଇ ଉଠିଥିବା ପ୍ରଶ୍ନ ଏବେ ଚର୍ଚ୍ଚାରେ ରହିଛି।

Leave A Reply

Your email address will not be published.