
ବ୍ଲକସ୍ତରୀୟ ପ୍ରାଣୀସମ୍ପଦ ମେଳାରେ ଯୋଗଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ, ହିତାଧିକାରୀଙ୍କୁ ବାଣ୍ଟିଲେ କାର୍ଯ୍ୟାଦେଶ
ବଲାଙ୍ଗିର, (କେପିଏନ୍ଏସ୍) : ଚାଷୀଙ୍କ ଆର୍ଥିକ ସ୍ଥିତିକୁ ମଜବୁତ କରିବା ସହ ପଶୁପାଳନକୁ ରୋଜଗାରର ଏକ ପ୍ରମୁଖ ମାଧ୍ୟମ କରିବା ଉପରେ ଗୁରୁତ୍ୱ। ଏଥିପାଇଁ ଆୟୋଜିତ ବ୍ଲକସ୍ତରୀୟ ପ୍ରାଣୀସମ୍ପଦ ମେଳାରେ ଯୋଗଦେଇ ଚାଷୀ ଓ ପଶୁପାଳକଙ୍କୁ ଉତ୍ସାହିତ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ। ଏହି ଅବସରରେ ବିଭିନ୍ନ ସରକାରୀ ଯୋଜନାରେ ଚୟନ ହୋଇଥିବା ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି ମନ୍ତ୍ରୀ। ମେଳାରେ ଗୋପାଳନ, ଛେଳି ପାଳନ, କୁକୁଡ଼ା ଚାଷ, ମାଛ ଚାଷ ଓ ଦୁଗ୍ଧ ଉତ୍ପାଦନ ସମ୍ପର୍କିତ ବିଭିନ୍ନ ଷ୍ଟଲ୍ ଖୋଲାଯାଇଥିଲା। ଏଥିସହ ପ୍ରାଣୀ ଚିକିତ୍ସକମାନେ ପଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଟିକାକରଣ, ଚିକିତ୍ସା ଓ ଔଷଧ ବ୍ୟବହାର ସମ୍ପର୍କରେ ଚାଷୀଙ୍କୁ ସଚେତନ କରିଥିଲେ। ଉନ୍ନତ ପ୍ରଜାତିର ପଶୁପାଳନ ମାଧ୍ୟମରେ କିପରି ଅଧିକ ଲାଭ ଓ ରୋଜଗାର କରିହେବ, ସେନେଇ ମଧ୍ୟ ପରାମର୍ଶ ଦିଆଯାଇଥିଲା। କାର୍ଯ୍ୟାଦେଶ ପାଇବା ପରେ ଗୋପାଳନ, ଛେଳି ପାଳନ ଓ କୁକୁଡ଼ା ପାଳନ ଯୋଜନାର ହିତାଧିକାରୀଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଥିଲା। ଏହି ଅବସରରେ ମନ୍ତ୍ରୀ କହିଥିଲେ, ଚାଷୀ ହେଉଛି ଦେଶର ମେରୁଦଣ୍ଡ । କେବଳ ଚାଷ ନୁହେଁ, ଏହା ସହିତ ପଶୁପାଳନକୁ ଯୋଡ଼ିଲେ ଚାଷୀଙ୍କ ଆୟ ବହୁଗୁଣିତ ହୋଇପାରିବ । ଚାଷୀ ଓ ପଶୁପାଳକଙ୍କ ଉନ୍ନତି ବିନା ବିକଶିତ ଭାରତର ସ୍ୱପ୍ନ ସାକାର ହେବା ସମ୍ଭବ ନୁହେଁ। ଚାଷୀଙ୍କ କଲ୍ୟାଣ ପାଇଁ ଡବଲ ଇଞ୍ଜିନ ସରକାର ସର୍ବଦା ପ୍ରତିବଦ୍ଧ ବୋଲି ସେ କହିଥିଲେ। ମେଳାରେ ବ୍ଲକ୍ ପ୍ରଶାସନର ଅଧିକାରୀ, ପ୍ରାଣୀସମ୍ପଦ ବିଭାଗର କର୍ମଚାରୀ, ଜନପ୍ରତିନିଧିଙ୍କ ସମେତ ବହୁ ସଂଖ୍ୟାରେ ଚାଷୀ ଓ ପଶୁପାଳକ ଉପସ୍ଥିତ ଥିଲେ ।