jayashree

ୟୁନିଫାଏଡ୍ ପେନସନ୍ ମ୍ୟାନେଜମେଣ୍ଟ ପୋର୍ଟାଲର ଶୁଭାରମ୍ଭ ଓ ମଧୁବାବୁ ପେନସନ୍ ବଣ୍ଟନ କଲେ ଉପମୁଖ୍ୟମନ୍ତ୍ରୀ

  • ଯୋଗ୍ୟ ବ୍ୟକ୍ତିଙ୍କୁ ଆଉ ଅପେକ୍ଷା କରିବାକୁ ପଡ଼ିବ ନାହିଁ, ସୋନପୁର ଜିଲ୍ଲାରେ ୫୦୬୨ ଜଣ ନୂତନ ହିତାଧିକାରୀ ସାମିଲ
  • ପେନସନରୁ ବଞ୍ଚିତ ହେବେନାହିଁ ଯୋଗ୍ୟ ହିତାଧିକାରୀ : କେ.ଭି. ସିଂହଦେଓ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ଟାଉନ୍ ହଲ ଠାରେ ଆଜି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ୟୁନିଫାଏଡ୍ ପେନସନ୍ ମ୍ୟାନେଜମେଣ୍ଟ ପୋର୍ଟାଲର ଶୁଭାରମ୍ଭ ହେବା ସହ ମଧୁବାବୁ ପେନସନ୍ ଯୋଜନାରେ ସାଚୁରେସନ୍ ମୋଡ୍‌ରେ ପେନସନ୍ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବହୁ ହିତାଧିକାରୀ, ବରିଷ୍ଠ ନାଗରିକ, ଭିନ୍ନକ୍ଷମ ଏବଂ ବିଧବା ମହିଳାମାନେ ଯୋଗ ଦେଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗ ଦେଇ କହିଥିଲେ, ରାଜ୍ୟ ସରକାର କୌଣସି ଯୋଗ୍ୟ ହିତାଧିକାରୀ ଯେପରି ପେନସନରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ଏକୀକୃତ ପେନସନ୍ ପରିଚାଳନା ପୋର୍ଟାଲ୍ ଆରମ୍ଭ କରିଛନ୍ତି । ଏବେ ଆବେଦନରୁ ଆରମ୍ଭ କରି ଯାଞ୍ଚ ଓ ଟଙ୍କା ପ୍ରଦାନ ପର୍ଯ୍ୟନ୍ତ ସବୁ କାମ ଗୋଟିଏ ଜାଗାରେ ହେବ । କୋଟା ବ୍ୟବସ୍ଥା ଉଚ୍ଛେଦ ହେବା ପରେ ଯୋଗ୍ୟ ବ୍ୟକ୍ତିଙ୍କୁ ଆଉ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ପୁଣି ଶ୍ରୀ ସିଂହଦେଓ କହିଥିଲେ ଯେ, ବର୍ତ୍ତମାନ ରାଜ୍ୟ ସରକାରଙ୍କ ମଧୁବାବୁ ପେନସନ ଯୋଜନାରେ ବାର୍ଦ୍ଧକ୍ୟ ଓ ଅନ୍ୟାନ୍ୟ ଭତ୍ତା ପାଇଁ ଦୀର୍ଘ ଦିନ ଧରି ଅପେକ୍ଷାରେ ଥିବା ୫ ଲକ୍ଷ ୫ ହଜାର ୮୧୭ ଜଣଙ୍କୁ ଚଳିତ ମାସ ଅକ୍ଟୋବରରୁ ଭତ୍ତା ଦେବା ପାଇଁ ରାଜ୍ୟ ସରକାର ଐତିହସିକ ପଦକ୍ଷେପ ସରକାର ଗ୍ରହଣ କରିଛନ୍ତି । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସାଂସଦ ସଙ୍ଗୀତା କୁମାରୀ ସିଂଦେଓ ଯୋଗ ଦେଇ କହିଥିଲେ, ବୃଦ୍ଧ, ଭିନ୍ନକ୍ଷମ ଓ ଅସହାୟ ଲୋକଙ୍କ ପାଇଁ ପେନସନ୍ କେବଳ ଟଙ୍କା ନୁହେଁ, ଏହା ସମ୍ମାନ ଓ ଆତ୍ମନିର୍ଭରଶୀଳତାର ପ୍ରତୀକ । ପୋର୍ଟାଲ୍ ମାଧ୍ୟମରେ ସେମାନେ ଘରେ ବସି କିମ୍ବା ନିକଟସ୍ଥ ଜନ ସେବା କେନ୍ଦ୍ରରେ ସହଜରେ ଆବେଦନ କରିପାରିବେ । ପୁଣି ଶ୍ରୀମତୀ ସିଂଦେଓ କହିଥିଲେ ସମସ୍ତ ହିତାଧିକାରୀ ଯେପରି ଲାଭ ପାଇବେ କେହି ବଞ୍ଚିତ ନ ହେବେ ସେଥିପ୍ରତି ଆମ କାର୍ଯ୍ୟକର୍ତ୍ତା ନିଜ ନିଜ ଅଞ୍ଚଳରେ ଯତ୍ନବାନ ହେବେ । ସୋନପୁର ବିଧାୟକ ଇଂ ରଘୁନାଥ ଜଗଦଲା କହିଥିଲେ, ଆଗରୁ ଜଣେ ଯୋଗ୍ୟ ହିତାଧିକାରୀ ଭତ୍ତା ପାଇବା ପାଇଁ ଦୀର୍ଘ ଦିନ ଅପେକ୍ଷା କରିବାକୁ ପଡୁଥିଲା ଜଣେ ମରିବା ପରେ ଜଣଙ୍କ ପାଳି ଆସୁଥିଲା ସେହି ସମୟର ଅନ୍ତ ଘଟିଛି । ସୋନପୁର ଜିଲ୍ଲାରେ କୌଣସି ଯୋଗ୍ୟ ହିତାଧିକାରୀ ଯେପରି ବାଦ୍ ନ ପଡ଼ନ୍ତି, ସେଥିପାଇଁ ପଞ୍ଚାୟତ ଓ ବ୍ଲକ୍ ସ୍ତରରେ ସ୍ୱତନ୍ତ୍ର ସଚେତନତା କରାଯିବ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଦେବାଶିଷ ସିଂହ ଯୋଗ ଦେଇ ପୋର୍ଟାଲରେ ଆବେଦନ ପ୍ରକ୍ରିୟା, ଆବଶ୍ୟକ କାଗଜପତ୍ର ଓ ଯାଞ୍ଚ ବ୍ୟବସ୍ଥା ବିଷୟରେ ସୂଚନା ପ୍ରଦାନ କରିଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୂପାର ଠେଲା ମଧ୍ୟ ଉପସ୍ଥିତ ରହି ହିତାଧିକାରୀମାନଙ୍କୁ ପୋର୍ଟାଲର ସୁବିଧା ନେବାକୁ ଆହ୍ୱାନ କରିଥିଲେ । ଏହା ମୁଖ୍ୟତଃ ମଧୁବାବୁ ପେନସନ୍ ଯୋଜନା ଭଳି ଯୋଜନା ପାଇଁ ତିଆରି ହୋଇଥିବା ବେଳେ ଯୋଗ୍ୟ ହିତାଧିକାରୀ upmp.odisha.gov.in ପୋର୍ଟାଲରେ ପେନସନ୍ ପାଇଁ ଆବେଦନ କରିପାରିବେ । ଅନଲାଇନ୍ କରିପାରୁ ନଥିଲେ ନିକଟସ୍ଥ ଜନ ସେବା କେନ୍ଦ୍ର କିମ୍ବା ବ୍ଲକ ଅଫିସ୍ ମାଧ୍ୟମରେ ଆବେଦନ କରିପାରିବେ । ପେନସନ୍ ବଣ୍ଟନ ପ୍ରକ୍ରିୟାକୁ ସରଳ ଓ ଶୀଘ୍ର କରିବା ଏହାର ମୁଖ୍ୟ ଲକ୍ଷ୍ୟ ହୋଇଥିବା ବେଳେ ଆବେଦନ ମଞ୍ଜୁର ହେଲେ ପରବର୍ତ୍ତୀ ମାସରୁ ପେନସନ୍ ମିଳିବା ଆରମ୍ଭ ହେବ । ଆଗରୁ ଜିଲ୍ଲା ଓ ରାଜ୍ୟ ସ୍ତରରେ କୋଟା ଥିବାରୁ ଅନେକ ଯୋଗ୍ୟ ଲୋକ ଖାଲି ପଦ ପାଇଁ ଅପେକ୍ଷା କରୁଥିଲେ । ଏବେ ସେହି ବ୍ୟବସ୍ଥାକୁ ହଟାଇ ଦିଆଯାଇଛି ଏବଂ ପୁରା ପ୍ରକ୍ରିୟା ଅନଲାଇନ୍ ହେବାରୁ ଦଲାଲି କିମ୍ବା ଅନାବଶ୍ୟକ ଦୌଡିବା କମିବ ବୋଲି ସରକାର କହିଛନ୍ତି । ଶେଷରେ ଉପସ୍ଥିତ ହିତାଧିକାରୀମାନଙ୍କୁ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉପ ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଓ ବଲାଙ୍ଗିର ସାଂସଦ ଶ୍ରୀମତୀ ସିଂହଦେଓ ନିଜେ ହିତାଧିକାରୀଙ୍କ ପାଖକୁ ଯାଇ ଭତ୍ତା ବଣ୍ଟନ କରିଥିଲେ ଏବଂ ଏହି ଅବସରରେ ହିତାଧିକାରୀଙ୍କୁ ପେନସନ୍ ସମ୍ପର୍କିତ ବିଭିନ୍ନ ସନ୍ଦେହ ଦୂର କରାଯାଇଥିଲା ।

Leave A Reply

Your email address will not be published.