
ଦେଓଗାଁ, (ମନୀଷ କୁମାର ସାହୁ) : ଦୀପାବଳିର ବଳକା ବାଣ ଫୁଟାଇବା କେନ୍ଦ୍ର କରି ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ହାତୀସରା ଗାଁରେ ଏକ ଅଭାବନୀୟ ଘଟଣାଘଟିଛି । ଅତ୍ୟଧିକ ଶବ୍ଦ ଯୋଗୁଁ ଜଣେ ଅସୁସ୍ଥ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ହାତୀସରା ଗାଁର ସାରଙ୍ଗ ମେହେର କିଛିଦିନ ହେବ ଅସୁସ୍ଥ ଥିଲେ । ଗତକାଲି ରାତି ପ୍ରାୟ ୧୦ଟା ସମୟରେ କିଛି ଯୁବକ ଘର ପାଖରେ ବାଣ ଫୁଟାଉଥିଲେ । ପରିବାର ଲୋକେ ଏହାକୁ ବିରୋଧ କରିବା ସହ ବାଣ ନ ଫୁଟାଇବାକୁ ଅନୁରୋଧ କରିଥିଲେ ମଧ୍ୟ ସେମାନେ ଶୁଣି ନଥିଲେ । କ୍ରମାଗତ ଭାବେ ଉଚ୍ଚ ଶବ୍ଦର ବାଣ ଫୁଟାଯିବାରୁ ସାରଙ୍ଗ ଏହାକୁ ସହ୍ୟ କରିପାରି ନଥିଲେ ଏବଂ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା । ଏହି ଦୁଃଖଦ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ବାଣର ପ୍ରଚଣ୍ଡ ଶବ୍ଦ ଓ ନିୟମହୀନତାକୁ ନେଇ ଗାଁ ତଥା ଅଞ୍ଚଳରେ ବେଶ୍ ଚର୍ଚ୍ଚା ଚାଲିଛି ।