
- ପ୍ରକୃତି ସୁରକ୍ଷା, ଏକତା ଓ ସହଯୋଗର ବାର୍ତ୍ତା ଦେଲା ଗିରିଗୋବର୍ଦ୍ଧନ ମହୋତ୍ସବ
ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ଅନ୍ତର୍ଗତ ବଙ୍ଗୋମୁଣ୍ଡା ବ୍ଲକର କପିଲାଭଟା ଗ୍ରାମରେ ଚତୁର୍ଥ ଗିରିଗୋବର୍ଦ୍ଧନ ମହୋତ୍ସବ-୨୦୨୬ ଉଦ୍ଘାଟିତ ହୋଇଯାଇଛି । ଗିରିଗୋବର୍ଦ୍ଧନ ମହୋତ୍ସବ କମିଟି, ମା’ ସାହାଜି ଯୁବକ ସଂଘ ଏବଂ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଆୟୋଜିତ ଏହି ମହୋତ୍ସବରେ ଧାର୍ମିକ ଭାବନା ସହ କଳା, ସଂସ୍କୃତି ଓ ଲୋକପରମ୍ପରାର ଅପୂର୍ବ ସମାଗମ ଦେଖିବାକୁ ମିଳିଥିଲା । ମହୋତ୍ସବ କମିଟି ସଭାପତି ଯୁବରାଜ ହଂସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଘାଟନୀ ସଭାରେ ପୂର୍ବତନ ସୈନିକ ଗିରିରାଜ ସିଂ ମାଝୀ ମୁଖ୍ୟ ଅତିଥି ଏବଂ ଭାଲୁମୁଣ୍ଡାସ୍ଥିତ ପ୍ରସନ୍ନ ପାଲ ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁରେନ୍ଦ୍ର ପ୍ରଧାନୀ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ଡ. ନାରାୟଣ ମିଶ୍ର, ବଙ୍ଗୋମୁଣ୍ଡା ବ୍ଲକ ଜିପିଡିଓ ପୁରୁଷୋତ୍ତମ ମାଝୀ, ଜିଲ୍ଲା କୃଷକ ସାଥୀ ସଂଘ ସଭାପତି ସୌଦାଗର ସାହୁ, ମା’ ସାହାଜି ଯୁବକ ସଂଘ ସଭାପତି ଜିତାମିତ୍ର ବିଶିଙ୍କ ସମେତ ବହୁ ଅତିଥି ଯୋଗଦେଇଥିଲେ । ଏହି ଅବସରରେ ବକ୍ତାମାନେ କହିଥିଲେ ଯେ, ଗିରିଗୋବର୍ଦ୍ଧନ ମହୋତ୍ସବ କେବଳ ଏକ ମନୋରଞ୍ଜନର ମାଧ୍ୟମ ନୁହେଁ, ବରଂ ଏହା ଧାର୍ମିକ ଚେତନା, ଆଧ୍ୟାତ୍ମିକ ଭାବନା, କଳା, ସଂସ୍କୃତି ଓ ଭାଇଚାରାର ଏକ ମହାନ ମିଳନ ଉତ୍ସବ । ପୌରାଣିକ କଥାନୁସାରେ, ଭଗବାନ ଶ୍ରୀକୃଷ୍ଣ ନିଜ କନିଷ୍ଠ ଆଙ୍ଗୁଠିରେ ଗୋବର୍ଦ୍ଧନ ପର୍ବତ ଧାରଣ କରି ଗୋପପୁରବାସୀଙ୍କୁ ଇନ୍ଦ୍ରଙ୍କ ପ୍ରବଳ ବର୍ଷାରୁ ରକ୍ଷା କରିଥିଲେ । ଏହି ଘଟଣା ପ୍ରକୃତିର ସୁରକ୍ଷା, ସାମୂହିକ ଏକତା, ପରସ୍ପର ସହଯୋଗ ଏବଂ ଅହଂକାର ତ୍ୟାଗର ମହତ୍ତ୍ୱପୂର୍ଣ୍ଣ ବାର୍ତ୍ତା ପ୍ରଦାନ କରୁଛି । ଏଭଳି ମହୋତ୍ସବ ମାଧ୍ୟମରେ ଅଞ୍ଚଳର ଲୋକକଳା, ଲୋକନୃତ୍ୟ, ସଙ୍ଗୀତ ଓ ପାରମ୍ପରିକ ବାଦ୍ୟଯନ୍ତ୍ରକୁ ନୂତନ ପରିଚୟ ମିଳୁଛି ବୋଲି ସେମାନେ ମତପ୍ରକାଶ କରିଥିଲେ । ସଭାରେ ମହୋତ୍ସବ କମିଟି ସମ୍ପାଦକ ଅନନ୍ତରାମ ହଂସ ସମ୍ପାଦକୀୟ ବିବରଣୀ ପାଠ କରିଥିବାବେଳେ କୋଷାଧ୍ୟକ୍ଷ ମନ୍ମଥ ହଂସ ଧନ୍ୟବାଦ ଅର୍ପଣ କରିଥିଲେ । କମିଟି ସଂଯୋଜକ ହୁଲେଶ୍ୱର ହଂସ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଉଦ୍ଘାଟନୀ ଉତ୍ସବର ସାଂସ୍କୃତିକ ସନ୍ଧ୍ୟାରେ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସାତକୁଆଁରୀ ସାଂସ୍କୃତିକ ପରିଷଦ, ପାଟଣାଗଡ଼, ଢେମସା ଦଳ, ରାୟଗଡ଼ା, ସଙ୍ଗୀତ ସାଧନା, ଲୋଇସିଂହା ସମେତ ବିଭିନ୍ନ ସାଂସ୍କୃତିକ ଦଳ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକମାନେ ଏହି ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମର ଭରପୂର ଆନନ୍ଦ ଉଠାଇଥିଲେ । ମହୋତ୍ସବର ସଫଳ ଆୟୋଜନରେ ସଭାପତି ଯୁବରାଜ ହଂସ, ଉପସଭାପତି ହରପ୍ରସାଦ ହଂସ, ସମ୍ପାଦକ ଅନନ୍ତରାମ ହଂସ, ସହସମ୍ପାଦକ ନରେନ୍ଦ୍ର ପୁଞ୍ଜି, କୋଷାଧ୍ୟକ୍ଷ ମନ୍ମଥ ହଂସଙ୍କ ସମେତ କମିଟି ସଦସ୍ୟ ଓ ଗ୍ରାମବାସୀ ସକ୍ରିୟ ସହଯୋଗ କରିଥିଲେ ।