jayashree

ବ୍ରହ୍ମପୁରରେ ଦୁଇ ନାବାଳିକା ଭଉଣୀଙ୍କ ମାମଲା : ପୁଲିସର ସ୍ପଷ୍ଟୀକରଣ

ବ୍ରହ୍ମପୁର : ବ୍ରହ୍ମପୁରରେ ଦୁଇ ନାବାଳିକା ଭଉଣୀଙ୍କ ନ୍ୟାୟ ପାଇଁ ଆକୁଳ ନିବେଦନର ଭିଡିଓ ଭାଇରାଲ୍‌ ହେବା ପରେ ଘଟଣାକୁ ନେଇ ମୁହଁ ଖୋଲିଛି ବ୍ରହ୍ମପୁର ପୁଲିସ। ଯୌନ ନିର୍ଯ୍ୟାତନା ଅଭିଯୋଗରେ ପୂର୍ବରୁ ମାମଲା ରୁଜୁ କରାଯାଇ ତଦନ୍ତ ଶେଷ ସହ ଚାର୍ଜସିଟ୍‌ ଦାଖଲ ହୋଇଥିବା ପୁଲିସ ସ୍ପଷ୍ଟ କରିଛି । ପୁଲିସର ସୂଚନା ଅନୁସାରେ, ଗତ ଅଗଷ୍ଟ ୨୬ ତାରିଖରେ ଦୁଇ ନାବାଳିକାଙ୍କ ଯୌନ ନିର୍ଯ୍ୟାତନା ଅଭିଯୋଗକୁ ନେଇ ଗୋସାଣିନୂଆଗାଁ ଥାନାରେ ପୋକ୍ସୋ ଆଇନ ଓ ବିଏନ୍‌ଏସ୍‌ ଅନୁଯାୟୀ ମାମଲା ରୁଜୁ ହୋଇଥିଲା । ତଦନ୍ତ ସମୟରେ ପୀଡ଼ିତାଙ୍କ ବୟାନ ରେକର୍ଡ, ଘଟଣାସ୍ଥଳର ବୈଜ୍ଞାନିକ ଯାଞ୍ଚ, ଡାକ୍ତରୀ ରିପୋର୍ଟ ସଂଗ୍ରହ ଆଦି ପ୍ରକ୍ରିୟା ସମ୍ପନ୍ନ ହୋଇଥିଲା । ଅଭିଯୁକ୍ତଙ୍କୁ ଗିରଫ କରାଯାଇ ସ୍ୱତନ୍ତ୍ର ପୋକ୍ସୋ ଅଦାଲତରେ ହାଜର କରାଯିବା ପରେ ନ୍ୟାୟିକ ହାଜତକୁ ପଠାଯାଇଥିଲା । ଗତ ଅକ୍ଟୋବର ୨୧ ତାରିଖରେ ଅଦାଲତରେ ଚାର୍ଜସିଟ୍‌ ଦାଖଲ ହୋଇଥିବା ପୁଲିସ କହିଛି । ସେହିପରି ମାମଲା ପ୍ରତ୍ୟାହାର ପାଇଁ ଚାପ ପକାଇବା ଉଦ୍ଦେଶ୍ୟରେ ପୀଡ଼ିତାଙ୍କୁ ଧମକ ଓ ମାଡ଼ ମାରିବା ସହ ଘରେ ଅଟକ ରଖିବାକୁ ଉଦ୍ୟମ ହୋଇଥିବା ନେଇ ଅକ୍ଟୋବର ୧୬ ତାରିଖରେ ଆଉ ଏକ ଅଭିଯୋଗ ହୋଇଥିଲା । ଏନେଇ ପୁଲିସ ଆଉ ଏକ ମାମଲା ରୁଜୁ କରି ତିନି ଜଣଙ୍କୁ ନୋଟିସ୍‌ ଜାରି କରିଛି । ଏହାର ତଦନ୍ତ ଦାୟିତ୍ୱ ଟାଉନ୍‌ ଏସ୍‌ଡିପିଓଙ୍କୁ ଦିଆଯାଇଛି । ଅନ୍ୟପକ୍ଷରେ, ନଭେମ୍ବର ୯ ତାରିଖରେ ଅଭିଯୁକ୍ତଙ୍କୁ ଅଦାଲତରୁ ଜାମିନ ମିଳିବା ପରେ ଦୁଇ ନାବାଳିକା ଭଉଣୀ ନିରାଶା ପ୍ରକାଶ କରି ନ୍ୟାୟ ପାଇଁ ନିବେଦନ କରିଛନ୍ତି । ଏହି ଭିଡିଓ ସାମ୍ନାକୁ ଆସିବା ପରେ ପୁଲିସ ପକ୍ଷରୁ ପୀଡ଼ିତାଙ୍କ ସୁରକ୍ଷା, ମାନସିକ ପରାମର୍ଶ ଓ ଆଇନଗତ ସହାୟତା ପାଇଁ ପଦକ୍ଷେପ ନିଆଯାଉଥିବା କୁହାଯାଇଛି । ପୀଡ଼ିତା କିମ୍ବା ସାକ୍ଷୀଙ୍କୁ ଧମକ ଦେବା ଏବଂ ମାମଲା ପ୍ରତ୍ୟାହାର ପାଇଁ ଚାପ ପକାଇବା ଭଳି କାର୍ଯ୍ୟକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ । ଏଭଳି ଘଟଣାରେ ସମ୍ପୃକ୍ତଙ୍କ ବିରୋଧରେ ଆଇନ ଅନୁଯାୟୀ କଡ଼ା ପଦକ୍ଷେପ ନିଆଯିବ ବୋଲି ବ୍ରହ୍ମପୁର ପୁଲିସ ଚେତାବନୀ ଦେଇଛି ।

Leave A Reply

Your email address will not be published.