jayashree

ଭାରତୀୟ ସାମୁଦ୍ରିକ ଖାଦ୍ୟ ଦ୍ରବ୍ୟ ରପ୍ତାନି କ୍ଷେତ୍ରକୁ ୟୁରୋପୀୟ ସଂଘର ସଂଶୋଧିତ ଆଇୟୁୟୁ ନିୟମାବଳୀ ଅନୁପାଳନରେ ସକ୍ଷମ କରିବା ପାଇଁ ଏମ୍ ପି ଇ ଡି ଏ ପକ୍ଷରୁ ନୂତନ କ୍ୟାଚ୍ ସାର୍ଟିଫିକେସନ୍ ବ୍ୟବସ୍ଥା ଆରମ୍ଭ

ନୂଆଦିଲ୍ଲୀ, (ପିଆଇବି) : ବେଆଇନ, ଅନିୟମିତ ଏବଂ ଅନିୟନ୍ତ୍ରିତ (ଆଇୟୁୟୁ) ମାଛଧରାକୁ ରୋକିବା, ନିରୁତ୍ସାହିତ କରିବା ଏବଂ ନିରାକରଣ କରିବା ଉଦ୍ଦେଶ୍ୟରେ ୟୁରୋପୀୟ ସଂଘ ୧ ଜାନୁଆରୀ ୨୦୧୦ ଠାରୁ ଉତ୍ପାଦର ଉତ୍ସ ଓ ଯୋଗାଣ ତଥ୍ୟ ଆବଶ୍ୟକତା ଅନୁଯାୟୀ କ୍ୟାଚ୍ ସାର୍ଟିଫିକେଟ୍ ବ୍ୟବସ୍ଥା ଲାଗୁ କରିଛି। ଏଥିପାଇଁ ଇ.ୟୁ. ନିୟମାବଳୀ ୧୦୦୫/୨୦୦୮ ପ୍ରଣୟନ କରାଯାଇଥିଲା, ଯାହା ଅନୁଯାୟୀ ୟୁରୋପୀୟ ସଂଘକୁ ରପ୍ତାନି ହେଉଥିବା ସମୁଦ୍ର ରୁ ପ୍ରାକୃତିକ ଭାବରେ ସଂଗୃହୀତ ସାମୁଦ୍ରିକ ମତ୍ସ୍ୟ ଦ୍ରବ୍ୟ ପାଇଁ କ୍ୟାଚ୍ ସାର୍ଟିଫିକେଟ୍ର ବୈଧତା ଆବଶ୍ୟକ। ଭାରତ ସରକାର ୧ ଜାନୁଆରୀ ୨୦୧୦ ଠାରୁ ଏମ୍ ପି ଇ ଡି ଏ କୁ ଏହି ସାର୍ଟିଫିକେଟ୍ ଗୁଡ଼ିକର ବୈଧତା ପ୍ରଦାନ କରିବା ପାଇଁ ଅଧିକୃତ କରିଛନ୍ତି। ଏମ୍ ପି ଇ ଡି ଏ ଅନଲାଇନ୍ କ୍ୟାଚ୍ ସାର୍ଟିଫିକେଟ୍ ଯାଞ୍ଚ ଓ ବୈଧତା ବ୍ୟବସ୍ଥା ଆରମ୍ଭ କରିବା ସହ ୧ ଏପ୍ରିଲ ୨୦୧୯ ଠାରୁ ସମ୍ପୂର୍ଣ୍ଣ ଡିଜିଟାଲ୍ ସ୍ୱାକ୍ଷର ଆଧାରିତ ବୈଧତା ବ୍ୟବସ୍ଥା ଲାଗୁ କରିଛି।
ବର୍ତ୍ତମାନ ଭାରତ, ଇସି ନିୟମାବଳୀ ୧୦୦୫/୨୦୦୮ ଏବଂ ଇସି ନମ୍ବର ୧୦୧୦/୨୦୦୯ ଅନୁଯାୟୀ “ଉପରି ଢାଞ୍ଚା ବିହୀନ ମାଛଧରା ଜାହାଜ” ବ୍ୟବସ୍ଥା ଆଧାରରେ ସରଳୀକୃତ କ୍ୟାଚ୍ ସାର୍ଟିଫିକେସନ୍ ପ୍ରଣାଳୀ ଅନୁସରଣ କରୁଛି। ଇ.ୟୁ. ନିୟମାବଳୀ ୧୦୦୫/୨୦୦୮ ଏବଂ ୨୦୨୩/୨୮୪୨ ଦ୍ୱାରା ସରଳୀକୃତ କ୍ୟାଚ୍ ସାର୍ଟିଫିକେଟ୍ ବ୍ୟବସ୍ଥା ଏବଂ ଇ.ୟୁ. କ୍ୟାଚ୍ ସାର୍ଟିଫିକେଟ୍ର ନମୁନାରେ ସଂଶୋଧନ କରାଯାଇଛି। ଏହି ସଂଶୋଧନ ଅନୁଯାୟୀ “ଉପରି ଢାଞ୍ଚା ବିହୀନ ମାଛଧରା ଜାହାଜ” ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଛି। ଏହି ନିୟମାବଳୀର ଅଂଶ ଭାବେ ୧୦ ଜାନୁଆରୀ ୨୦୨୬ ଠାରୁ ଲାଗୁ ହୋଇଥିବା ପ୍ରୋସେସିଂ ଷ୍ଟେଟମେଣ୍ଟ (ପ୍ରକ୍ରିୟାକରଣ ବିବରଣୀ) ସମ୍ବନ୍ଧୀୟ ଆବଶ୍ୟକତାକୁ ଏମ୍ ପି ଇ ଡି ଏ ର ଉଦ୍ୟମ ଯୋଗୁଁ ପୂର୍ବରୁ ହି ପୂରଣ କରାଯାଇଛି।
ଏହା ବ୍ୟତୀତ, ନୂତନ ଇ.ୟୁ. ନିୟମ ଅନୁଯାୟୀ ୟୁରୋପୀୟ ସଂଘକୁ ରପ୍ତାନି ହେବାକୁ ଥିବା ସାମୁଦ୍ରିକ ମତ୍ସ୍ୟ ଦ୍ରବ୍ୟ ପାଇଁ କଞ୍ଚାମାଲ ସଂଗ୍ରହ କରାଯାଇଥିବା ପ୍ରତ୍ୟେକ ମାଛଧରା ପୋତ ପାଇଁ ପୃଥକ କ୍ୟାଚ୍ ସାର୍ଟିଫିକେଟ୍ ଆବଶ୍ୟକ ହେବ। ସଂଶୋଧିତ ଫର୍ମାଟ୍ରେ ମାଛଧରା ଜାହାଜର ମୁଖ୍ୟଚାଳକ କିମ୍ବା ମାଛଧରା ଲାଇସେନ୍ସଧାରୀଙ୍କ ସ୍ୱାକ୍ଷର, ଯାତ୍ରାର ତାରିଖ, ବ୍ୟବହୃତ ମାଛଧରା ଉପକରଣର ବିବରଣୀ ଏବଂ ମାଛଧରା ଲାଇସେନ୍ସର ବୈଧତା ସମେତ ଅନେକ ଅତିରିକ୍ତ ତଥ୍ୟ ପ୍ରଦାନ କରିବାକୁ ପଡ଼ିବ।
ଏମ୍ ପି ଇ ଡି ଏ ବିଭିନ୍ନ ହିତାଧିକାରୀଙ୍କ ସହ ପରାମର୍ଶ କରି ନୂତନ ଇ.ୟୁ. କ୍ୟାଚ୍ ସାର୍ଟିଫିକେସନ୍ ବ୍ୟବସ୍ଥାର ଟ୍ରେସେବିଲିଟି ଆବଶ୍ୟକତା ପୂରଣ ପାଇଁ ମୋବାଇଲ୍ ଆପ୍ ବିକାଶ କରିବା ନିମନ୍ତେ ଘରୋଇ ସଂସ୍ଥାଗୁଡ଼ିକୁ ତାଲିକାଭୁକ୍ତ କରିଛି। ଏହା ସହିତ, ପ୍ରାଥମିକ ମାଛଧରା ସମ୍ବନ୍ଧୀୟ ତଥ୍ୟର ଟ୍ରେସେବିଲିଟି ବ୍ୟବସ୍ଥାକୁ ବର୍ତ୍ତମାନର ଅନଲାଇନ୍ କ୍ୟାଚ୍ ପୋର୍ଟାଲ୍ ସହିତ ସଂଯୋଗ କରାଯାଇଛି, ଯାହା ମାଧ୍ୟମରେ କ୍ୟାଚ୍ ସାର୍ଟିଫିକେଟ୍ର ବୈଧତା ପ୍ରଦାନ କରାଯିବ। ଏହି ସାର୍ଟିଫିକେଟ୍ ୟୁରୋପୀୟ ସଂଘକୁ ପଠାଯାଉଥିବା ପ୍ରତ୍ୟେକ ମାଲ୍ ସହିତ ସଂଲଗ୍ନ କରିବା ଆବଶ୍ୟକ। ୟୁରୋପୀୟ ସଂଘ ରୁ ବ୍ରିଟେନ୍ ବାହାରିବା ପରେ ବ୍ରିଟେନ୍ ମଧ୍ୟ ସମାନ ନିୟମାବଳୀ ଅନୁସରଣ କରୁଥିବାରୁ ବ୍ରିଟେନ୍କୁ ରପ୍ତାନି ହେଉଥିବା ସମୁଦ୍ର ରୁ ପ୍ରାକୃତିକ ଭାବାରେ ସଂଗୃହୀତ ସାମୁଦ୍ରିକ ମତ୍ସ୍ୟ ଦ୍ରବ୍ୟ ପାଇଁ ମଧ୍ୟ କ୍ୟାଚ୍ ସାର୍ଟିଫିକେଟ୍ ଆବଶ୍ୟକ ହେଉଛି।
୨୦୨୫–୨୬ ଆର୍ଥିକ ବର୍ଷରେ ଭାରତ ୟୁରୋପୀୟ ସଂଘ ଓ ବ୍ରିଟେନ୍କୁ ମୋଟ ୨,୯୭,୫୧୮ ମେଟ୍ରିକ୍ ଟନ୍ ସାମୁଦ୍ରିକ ମତ୍ସ୍ୟ ଉତ୍ପାଦ ରପ୍ତାନି କରିଥିଲା। ଏହାର ମୂଲ୍ୟ ୧୫୯୨.୦୯ ନିୟୁତ ଆମେରିକୀୟ ଡଲାର (୧୩,୯୩୫ କୋଟି ଟଙ୍କା) ଥିଲା। ଏହା ଭାରତର ମୋଟ ସାମୁଦ୍ରିକ ମତ୍ସ୍ୟ ଉତ୍ପାଦ ରପ୍ତାନି ପରିମାଣର ୧୫% ଏବଂ ମୋଟ ରପ୍ତାନି ମୂଲ୍ୟର ୧୮.୮୩% ଅଟେ। ୟୁରୋପୀୟ ସଂଘକୁ ରପ୍ତାନି ହୋଇଥିବା ପ୍ରମୁଖ ଉତ୍ପାଦଗୁଡ଼ିକ ମଧ୍ୟରେ ହିମିକୃତ ଚିଙ୍ଗୁଡ଼ି, ହିମିକୃତ କଟଲ୍ଫିସ୍, ମାଛ ତେଲ, ହିମିକୃତ ସ୍କୁଇଡ୍ ଏବଂ ହିମିକୃତ ସୁରିମି ଅନ୍ତର୍ଭୁକ୍ତ। ଏହି ରପ୍ତାନି ମଧ୍ୟରୁ ସମୁଦ୍ରରୁ ପ୍ରାକୃତିକ ଭାବାରେ ସଂଗୃହୀତ ମତ୍ସ୍ୟ ଉତ୍ପାଦର ଅଂଶ ପରିମାଣ ଅନୁସାରେ ୧୬% ଏବଂ ମୂଲ୍ୟ ଅନୁସାରେ ୨୭% ଥିଲା।
ୟୁରୋପୀୟ ସଂଘ ଏବଂ ବ୍ରିଟେନ୍କୁ ଭାରତର ସାମୁଦ୍ରିକ ମତ୍ସ୍ୟ ଦ୍ରବ୍ୟ ରପ୍ତାନିରେ ସମୁଦ୍ରରୁ ପ୍ରାକୃତିକ ଭାବାରେ ସଂଗୃହୀତ ମତ୍ସ୍ୟ ଉତ୍ପାଦର ଉଲ୍ଲେଖନୀୟ ଅବଦାନକୁ ଦୃଷ୍ଟିରେ ରଖି, ନୂତନ କ୍ୟାଚ୍ ସାର୍ଟିଫିକେସନ୍ ଏବଂ ଉତ୍ପାଦର ଉତ୍ସ ଓ ଯୋଗାଣ ତଥ୍ୟ ନିୟମାବଳୀକୁ ସମସ୍ତ ହିତାଧିକାରୀଙ୍କ ଦ୍ୱାରା ପ୍ରଭାବଶାଳୀ ଭାବେ ଅନୁପାଳନ କରିବା ଅତ୍ୟନ୍ତ ଜରୁରୀ। ଏହା ଦ୍ୱାରା ଭାରତର ରପ୍ତାନି ବଜାର ଅଂଶୀଦାରିତାକୁ ବଜାୟ ରଖିବା ସହ ଆହୁରି ବୃଦ୍ଧି କରାଯାଇପାରିବ।
ଏହି ପରିପ୍ରେକ୍ଷୀରେ, ଏମ୍ ପି ଇ ଡି ଏ ୟୁରୋପୀୟ ସଂଘର ଉତ୍ପାଦର ଉତ୍ସ ଓ ଯୋଗାଣ ତଥ୍ୟ ଆବଶ୍ୟକତା ପୂରଣ କରିବା ପାଇଁ ଏକ ସ୍ୱତନ୍ତ୍ର ଡିଜିଟାଲ୍ ପ୍ଲାଟଫର୍ମ ବିକାଶ କରିଛି। ଏହା ମାଧ୍ୟମରେ ସ୍ୱଚ୍ଛ, ଦକ୍ଷ ଏବଂ ସରଳୀକୃତ ସାର୍ଟିଫିକେସନ୍ ପ୍ରକ୍ରିୟା ସୁନିଶ୍ଚିତ ହେବା ସହ ଭାରତୀୟ ସାମୁଦ୍ରିକ ମତ୍ସ୍ୟ ଉତ୍ପାଦର ରପ୍ତାନି ପାଇଁ ବିଦେଶୀ ବଜାରରେ ନିରନ୍ତର ପ୍ରବେଶାଧିକାର ବଜାୟ ରହିବ।

Leave A Reply

Your email address will not be published.