
- କଣ୍ଠଶିଳ୍ପୀ ଦୁଃଖିଶ୍ୟାମ ତ୍ରିପାଠୀଙ୍କୁ ମିଳିଲା ‘ଭୀମପାହାଡ଼ ସମ୍ମାନ-୨୦୨୬’
ବଲାଙ୍ଗିର, (କେପିଏନ୍ଏସ୍) : ଭକ୍ତି, ଆଧ୍ୟାତ୍ମିକତା ଓ ଲୋକକଳାର ମହାମିଳନରେ ମୁଖରିତ ହୋଇଉଠିଲା ପର୍ଯ୍ୟଟନସ୍ଥଳୀ ଭୀମଡୁଙ୍ଗୁରୀ । ପବିତ୍ର ଦୀପାବଳି ଅବସରରେ ଧୁମଧାମରେ ଆରମ୍ଭ ହୋଇଛି ଦ୍ୱାଦଶ ଭୀମପାହାଡ଼ ମହୋତ୍ସବ-୨୦୨୬ । ଶତାଧିକ ମହିଳାଙ୍କ ଆକର୍ଷଣୀୟ କଳସ ଶୋଭାଯାତ୍ରା ଏବଂ ମଶାଳ ଯାତ୍ରାରୁ ମହୋତ୍ସବର ଶୁଭାରମ୍ଭ ହୋଇଥିଲା । ଦେଓଗାଁ ବ୍ଲକର ୨୧ ଖଣ୍ଡ ଗ୍ରାମରୁ ହଜାର ହଜାର ଶ୍ରଦ୍ଧାଳୁ ଏହି ଧାର୍ମିକ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ପାହାଡ଼ ଉପରେ ଅବସ୍ଥିତ ଭୀମାବୁଢ଼ାଙ୍କ ଗୁମ୍ଫାରୁ ପବିତ୍ର ମଶାଲ ଅଣାଯାଇ ମହୋତ୍ସବ ମଣ୍ଡପରେ ସ୍ଥାପନ କରାଯାଇଥିଲା । ପୂଜକ ହଳଧର କୁଅଁରଙ୍କ ନେତୃତ୍ୱରେ ଶ୍ରଦ୍ଧାଳୁମାନେ ମଶାଳ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ପରେ ମୁଖ୍ୟ ଅତିଥି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଧୀରେନ୍ଦ୍ର ସିଂ ବରିହା ଓ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ତଲ୍ଲୀନା ପ୍ରଧାନ ମଶାଳ ଗ୍ରହଣ କରି ମଣ୍ଡପରେ ସ୍ଥାପନ କରିଥିଲେ । ସେହିପରି ୨୪ ପ୍ରହରୀ ନାମଯଜ୍ଞ ପାଇଁ ଭୀମକଟାରୁ ଜଳପୂର୍ଣ୍ଣ କଳସ ଆଣି ମହିଳାମାନେ ପ୍ରହରୀ ମଣ୍ଡପରେ ସ୍ଥାପନ କରିଥିଲେ । ଭୀମଡୁଙ୍ଗୁରୀ, ମକୁନ୍ଦପୁର, ବନ୍ଧପାଲି, ରୁଗୁଡ଼ିପାଲି, ଜରାସିଂହା ଓ ଦେଷଣ୍ଢ ସମେତ ୨୧ଟି ଗ୍ରାମର ମହିଳାଙ୍କ ଯୋଗଦାନ ଶୋଭାଯାତ୍ରାକୁ ଆହୁରି ଆକର୍ଷଣୀୟ କରିଥିଲା । ସନ୍ଧ୍ୟାରେ ଆୟୋଜିତ ମହୋତ୍ସବର ମୁଖ୍ୟ ଆକର୍ଷଣ ଥିଲା ସମ୍ମାନ ପ୍ରଦାନ ସମାରୋହ । ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଦୁଃଖିଶ୍ୟାମ ତ୍ରିପାଠୀଙ୍କୁ ତାଙ୍କର କଳା ଓ ସଙ୍ଗୀତ କ୍ଷେତ୍ରରେ ଅବଦାନ ପାଇଁ ‘ଭୀମପାହାଡ଼ ସମ୍ମାନ-୨୦୨୬’ ପ୍ରଦାନ କରାଯାଇଥିଲା । ମାନପତ୍ର, ଉପଢ଼ୌକନ ଓ ସ୍ମାରକୀ ଦେଇ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାପରେ ବିଶିଷ୍ଟ କଳାକାର ରବୀନ୍ଦ୍ର କୁମାର ସାହୁ ଓ ତାଙ୍କ ଦଳ ପକ୍ଷରୁ ଆକର୍ଷଣୀୟ କଂସ ଦରବାର ପରିବେଷଣ ଆରମ୍ଭ ହୋଇଥିଲା । ଏଥିସହ ବିଭିନ୍ନ ସାଂସ୍କୃତିକ ଦଳ ପକ୍ଷରୁ ନୃତ୍ୟ, ସଙ୍ଗୀତ ଓ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ଦର୍ଶକଙ୍କ ମନ ମୋହିଥିଲା । ମହୋତ୍ସବ କମିଟିର ଅଧ୍ୟକ୍ଷ ଲକ୍ଷ୍ମଣ କୁମାର ମେହେର, ସଭାପତି ପ୍ରମୋଦ ବହିଦାର, ସମ୍ପାଦକ ଗୋବର୍ଦ୍ଧନ ସାହୁ ଓ କୋଷାଧ୍ୟକ୍ଷ ଅଭିମନ୍ୟୁ ମାଝୀ ମଶାଳ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ । ସେହିପରି ମକୁନ୍ଦପୁର ସରପଞ୍ଚ ଜାନକୀ ସାହୁ, ପ୍ରହରୀ କମିଟି ସଭାପତି ଦୟାସାଗର ମହାକୁର ଓ ରାଜେଶ ନାଏକ କଳସ ଶୋଭାଯାତ୍ରାରେ ନେତୃତ୍ୱ ନେଇଥିଲେ । ଏହି ଅବସରରେ ମହୋତ୍ସବ କମିଟିର ଉପଦେଷ୍ଟା ଶୈଳେନ୍ଦ୍ର କୁମାର ସାହୁ, ନନ୍ଦକିଶୋର ନାଏକ, ପଙ୍କଜ ବଗର୍ତ୍ତି, ପିତବାସ ବିଶି, ଜଗତ କୁଅଁର, ଜୟଚନ୍ଦ୍ର ନାଏକ, ଜତନ ବାରିକ, ଯୁବରାଜ ସାହୁ ଓ ଝସକେତନ ଜାନୀଙ୍କ ସମେତ ବହୁ ଯୁବକ ଉପସ୍ଥିତ ଥିଲେ । ଦେଷଣ୍ଢ ଚାନ୍ଦିଲି ମହୋତ୍ସବ କମିଟି ଓ ଜରାସିଂହା ପାଟଖଣ୍ଡା ମହୋତ୍ସବ କମିଟିର ସଦସ୍ୟମାନେ ମଧ୍ୟ ଶୋଭାଯାତ୍ରାରେ ଯୋଗଦେଇଥିଲେ ।