
ବରଗଡ଼ : ଦୀପାବଳି ପୂର୍ବରୁ ଦୁଇ ପରିବାରରେ ଖେଳିଗଲା ଶୋକର ଛାୟା । ମାଛ ଧରିବାକୁ ଯାଇ ପୋଖରୀରେ ଚାଲିଗଲା ଦୁଇ ଜଣଙ୍କ ଜୀବନ । ଏଭଳି ଦୁଃଖଦ ଘଟଣା ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ବୁଗବୁଗା ଗ୍ରାମରେ ଘଟିଛି । ମୃତକ ଦ୍ୱୟ ହେଲେ ରିଙ୍କୁ ବର୍ଗେ ଓ ରମେଶ ମହାକୁର । ସୂଚନା ଅନୁସାରେ, ଶନିବାର ସନ୍ଧ୍ୟାରେ ଉଭୟ ଗାଁ ନିକଟସ୍ଥ ପୋଖରୀକୁ ମାଛ ଧରିବାକୁ ଯାଇଥିଲେ । ପୋଖରୀରେ ଜାଲ ପକାଇ ମାଛ ଧରୁଥିବା ସମୟରେ ଦୁହେଁ ଜାଲରେ ଛନ୍ଦି ହୋଇ ପାଣି ଭିତରୁ ବାହାରି ପାରିନଥିଲେ । ପରେ ଗ୍ରାମବାସୀ ଓ ପରିବାର ଲୋକେ ଖୋଜାଖୋଜି କରି ଉଭୟଙ୍କୁ ଉଦ୍ଧାର କରି ଅତାବିରା ଡାକ୍ତରଖାନାକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଅତାବିରା ପୋଲିସ ପହଞ୍ଚି ଶବ ଦୁଇଟିକୁ ବ୍ୟବଚ୍ଛେଦ ପାଇଁ ବରଗଡ଼ ମୁଖ୍ୟ ଡାକ୍ତରଖାନାକୁ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛି । ଏହି ଅକାଳ ମୃତ୍ୟୁକୁ ନେଇ ବୁଗବୁଗା ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।