jayashree

ବଲାଙ୍ଗିରରେ ଏବିଭିପିର ଜିଲ୍ଲା ଛାତ୍ରନେତା ସମ୍ମିଳନୀ ‘ରାଷ୍ଟ୍ରୀୟ ଚେତନା’

ବଲାଙ୍ଗିର, (କେପିଏନ୍‌ଏସ୍‌) : ଛାତ୍ରଛାତ୍ରୀଙ୍କ ନେତୃତ୍ୱ ବିକାଶ, କ୍ୟାମ୍ପସ ସମସ୍ୟାର ସମାଧାନ ଏବଂ ରାଷ୍ଟ୍ରୀୟ ଚେତନାର ପ୍ରସାର ଲକ୍ଷ୍ୟ ନେଇ ବଲାଙ୍ଗିରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ଜିଲ୍ଲା ଛାତ୍ରନେତା ସମ୍ମିଳନୀ ‘ରାଷ୍ଟ୍ରୀୟ ଚେତନା’ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସାମ୍ବାଦିକ ଭବନଠାରେ ଆୟୋଜିତ ଏହି ସମ୍ମିଳନୀରେ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ଛାତ୍ରନେତା ଓ ନବନିର୍ବାଚିତ ଛାତ୍ର ସଂସଦ ପଦାଧିକାରୀ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ଏବିଭିପି ଓଡ଼ିଶା ପଶ୍ଚିମ ପ୍ରାନ୍ତର ରାଜ୍ୟ ସମ୍ପାଦକ ଶ୍ୱେତାଂଶୁ ଶେଖର ବରାଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଣେ ଆଦର୍ଶ ଛାତ୍ରନେତାଙ୍କ କର୍ତ୍ତବ୍ୟ ଓ ଦାୟିତ୍ୱ ସମ୍ପର୍କରେ ମତ ରଖିଥିଲେ । କ୍ୟାମ୍ପସରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ଛାତ୍ରନେତାମାନେ କିପରି ଆଗକୁ ଆସିବେ, ସେନେଇ ଆହ୍ୱାନ ଦେଇଥିଲେ । ଏଥିସହ ରାଜ୍ୟରେ ଗତ ଛାତ୍ର ସଂସଦ ନିର୍ବାଚନରେ ଏବିଭିପିର ସଫଳତା ଉପରେ ଆଲୋକପାତ କରିବା ସହ ପୂର୍ବ ସରକାରଙ୍କ ଦ୍ୱାରା ୮ ବର୍ଷ ଧରି ଛାତ୍ର ସଂସଦ ନିର୍ବାଚନ ହୋଇନଥିବା ପ୍ରସଙ୍ଗକୁ ସମାଲୋଚନା କରିଥିଲେ । ମୁଖ୍ୟବକ୍ତା ଭାବେ ଏବିଭିପିର ବଲାଙ୍ଗିର ସଂଗଠନ ସମ୍ପାଦକ ବିକାଶ ସାହୁ ଯୋଗଦେଇ ସଂଗଠନର କାର୍ଯ୍ୟପରିସର ଓ ଛାତ୍ରନେତାଙ୍କ ଭୂମିକା ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । ସେହିପରି ଜିଲ୍ଲା ବ୍ୟବସ୍ଥା ପ୍ରମୁଖ ମଞ୍ଜିତ କୁମାର କର୍ମୀ ଯୁବଛାତ୍ର ସମାଜରେ ରାଷ୍ଟ୍ରବାଦୀ ଚିନ୍ତାଧାରା ଏବଂ ବଲାଙ୍ଗିରରେ ଏବିଭିପିର ସାଂଗଠନିକ ସଫଳତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଏହି ସମ୍ମିଳନୀରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଛାତ୍ର ସଂଘ ସାଧାରଣ ସମ୍ପାଦକ ନିଖିଳ ଅଗ୍ରୱାଲ ଓ ସହସାଧାରଣ ସମ୍ପାଦିକା ବୀଣାପାଣି ମହାପାତ୍ର, ସରକାରୀ ମହିଳା ମହାବିଦ୍ୟାଳୟର ଛାତ୍ର ସଂଘ ସଭାପତି ସୃଷ୍ଟିଶ୍ରୀ ପ୍ରଧାନ, ବଲାଙ୍ଗିର ସରକାରୀ ମହାବିଦ୍ୟାଳୟର ଛାତ୍ର ସଂଘ ସଭାପତି ସୌମ୍ୟରଞ୍ଜନ ପଟେଲ ଏବଂ ରୋଥ ମହାବିଦ୍ୟାଳୟର ଛାତ୍ର ସଂଘ ସଭାପତି ଆକାଶ ସାହୁ ମଞ୍ଚାସୀନ ଥିଲେ । ଏଥିସହ ଜିଲ୍ଲା ସଂଯୋଜକ ଆଲୋକ ଗୁରହାଣ୍ଡି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତୁଳସୀ ସୁନା, ବିଭାଗ ରାଷ୍ଟ୍ରୀୟ କଳାମଞ୍ଚ ପ୍ରମୁଖ ଅନିଶା କୁମ୍ଭାର, ବ୍ଲକ ସଂଯୋଜକ ଦେବାଶିଷ କଁଅର ଓ ଆଲୋକ ଅରୁପାନନ୍ଦ ଯୋଶୀଙ୍କ ସମେତ ଜିଲ୍ଲାର ବିଭିନ୍ନ କଲେଜର ଛାତ୍ରନେତାମାନେ ଯୋଗଦେଇ ନିଜ ନିଜର ମତ ରଖିଥିଲେ । ଛାତ୍ରନେତୃତ୍ୱକୁ ଅଧିକ ସକ୍ରିୟ ଓ ସୁଦୃଢ଼ କରିବା ଦିଗରେ ଏହି ସମ୍ମିଳନୀ ଏକ ମଞ୍ଚ ପ୍ରଦାନ କରିଥିଲା ।

Leave A Reply

Your email address will not be published.