jayashree

ଧାନ ବିଲରୁ ମିଳିଲା ଯୁବକଙ୍କ ମୁଣ୍ଡବିହୀନ ମୃତଦେହ : ହତ୍ୟାକାଣ୍ଡକୁ ନେଇ ଚାଞ୍ଚଲ୍ୟ

  • ମୁଣ୍ଡର ସନ୍ଧାନରେ ପୋଲିସ, ଘଟଣାସ୍ଥଳରେ ଏସ୍‌ପି ଓ ସାଇଣ୍ଟିଫିକ୍ ଟିମ୍

କଳାହାଣ୍ଡି, (କେପିଏନ୍‌ଏସ୍‌) : ଧାନ ବିଲରୁ ମିଳିଲା ମୁଣ୍ଡବିହୀନ ମୃତଦେହ । ନୃଶଂସ ହତ୍ୟାକାଣ୍ଡର ଏଭଳି ଘଟଣାକୁ ନେଇ କଳାହାଣ୍ଡି ଜିଲ୍ଲାରେ ଖେଳିଯାଇଛି ତୀବ୍ର ଚାଞ୍ଚଲ୍ୟ । ମୃତକ ଜଣକ ଲଡୁଗାଁ ଗ୍ରାମର ରାଜୁ ବାଗ ବୋଲି ଚିହ୍ନଟ ହୋଇଛନ୍ତି । ମୃତଦେହରୁ ମୁଣ୍ଡ ଗାଏବ ଥିବାରୁ ହତ୍ୟାକାଣ୍ଡର ରହସ୍ୟ ଆହୁରି ଘନୀଭୂତ ହୋଇଛି । କିଏ ଓ କାହିଁକି ଏଭଳି ଜଘନ୍ୟ କାଣ୍ଡ ଘଟାଇଲା, ତାହାକୁ ନେଇ ଏବେ ସବୁଠି ଚର୍ଚ୍ଚା । ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଲଡୁଗାଁ-ସୁପାଡ଼ ରାସ୍ତା କଡ଼ରେ ଥିବା ଏକ ଧାନ ବିଲରୁ ରାଜୁ ବାଗଙ୍କ ମୁଣ୍ଡବିହୀନ ମୃତଦେହ ଠାବ କରାଯାଇଥିଲା । ଏଭଳି ଦୃଶ୍ୟ ଦେଖିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଓ ଉତ୍ତେଜନା ସୃଷ୍ଟି ହୋଇଛି । ଖବର ପାଇ ଧର୍ମଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ଓ କୋକସରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁରର ସହାୟତା ନିଆଯାଇଛି । ଏପରିକି କଳାହାଣ୍ଡି ଏସ୍‌ପି ନାଗରାଜ ଦେବରକୋଣ୍ଡା ମଧ୍ୟ ଘଟଣାସ୍ଥଳକୁ ଯାଇ ତଦନ୍ତର ସ୍ଥିତି ଅନୁଧ୍ୟାନ କରିଛନ୍ତି । ପୋଲିସ ମୃତକଙ୍କ ମୁଣ୍ଡ ଖୋଜିବା ସହ ହତ୍ୟାକାଣ୍ଡର କାରଣ ଜାଣିବାକୁ ବିଭିନ୍ନ ଦିଗରୁ ଛାନ୍‌ଭିନ୍ ଜାରି ରଖିଛି । ଅନ୍ୟପଟେ ଏହି ଘଟଣାକୁ ନେଇ ମୃତକଙ୍କ ପରିବାର ମଧ୍ୟରେ ଗଭୀର ଶୋକ ସହ ଅସନ୍ତୋଷ ପ୍ରକାଶ ପାଇଛି । ଦୋଷୀଙ୍କୁ ତୁରନ୍ତ ଗିରଫ କରିବା ଏବଂ ମୃତକଙ୍କ ମୁଣ୍ଡ ଉଦ୍ଧାର କରିବାକୁ ପରିବାରବର୍ଗ ଦାବି କରିଛନ୍ତି । ତେବେ ରାଜୁଙ୍କୁ କିଏ ହତ୍ୟା କଲା ? ହତ୍ୟା ପଛରେ ରହିଛି କି ପୂର୍ବ ଶତ୍ରୁତା ନା ଅନ୍ୟ କୌଣସି କାରଣ ? ମୁଣ୍ଡ କେଉଁଠି ରହିଛି ? ଏଭଳି ଅନେକ ଅସମାହିତ ପ୍ରଶ୍ନ ଏବେ ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି । ତଦନ୍ତ ପରେ ହିଁ ଏହି ରହସ୍ୟଜନକ ହତ୍ୟାକାଣ୍ଡର ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ।

Leave A Reply

Your email address will not be published.