
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଯମୁନା ପାହାଡ଼ରୁ ହଳଦୀ ପୂର୍ତ୍ତ ରାସ୍ତାର ଚାଉଳଫୁପୁଡ଼ା ଗାଁଛକ ରାସ୍ତା ପାର୍ଶ୍ୱରୁ ଗୁରୁବାର ସକାଳୁ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣେ ଖେଳ ଶିକ୍ଷକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଖେଳ ଶିକ୍ଷକ ଜଣଙ୍କ ମୁରିବାହାଲ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଖେଳ ଶିକ୍ଷକ(ପିଇଆଇ)ଜିତେନ୍ଦ୍ର କୁମାର ସୁନା(୪୨)ବୋଲି ଜଣାପଡିଛି । ଗୁରୁବାର ସକାଳୁ ଏକ ମର୍ମନ୍ତୁଦ ବାଇକ୍ ଦୁର୍ଘଟଣାରେ ଜଣେ ଅଜଣା ଯୁବକଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ସ୍ଥାନୀୟ ଲୋକେ ଦେଖିବା ପରେ ବିଭିନ୍ନ ସୋସିଆଲ ମିଡ଼ିଆରେ ପ୍ରଚାର ପ୍ରସାର ହୋଇଥିଲା । ମୃତ ଶ୍ରୀ ସୁନା ବୁଧବାର ସ୍କୁଲ ଛୁଟି ପରେ କୌଣସି କାମ ସାରି ରାତିରେ ନିଜ ହିରୋହଣ୍ଡା ସାଇନ୍ ବାଇକ୍ (ଓଡ଼ି ୦୩ଡି ୧୨୦୮) ଯୋଗେ ନିଜ ଘର ଟିଟିଲାଗଡ ବ୍ଲକପଡ଼ାକୁ ଯାଉଥିଲେ । ଘଟଣା ସ୍ଥଳରେ ତାଙ୍କ ବାଇକ୍ ଏକ ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇ ଚୁରମାର ହୋଇଯାଇ ଥିବା ବେଳେ ସେ ବହୁ ଦୂରକୁ ଛିଟିକି ପଡ଼ି ଅତ୍ୟନ୍ତ ଗୁରୁତର ଆହତ ହୋଇ ପଡିରହିଥିଲେ । ସେ ରାତିରେ ଗୁରୁତର ଅବସ୍ଥାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ ମଧ୍ୟ ରାସ୍ତାର ଗୋଟିଏ ପାର୍ଶ୍ୱକୁ ପଡ଼ିଥିବା ଯୋଗୁଁ ସକାଳ ପର୍ଯ୍ୟନ୍ତ କେହି ଦେଖିନପାରିବାରୁ ସେ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ପଡିରହିବାରୁ ତାଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ଜଣାପଡିଛି । ସକାଳୁ ସ୍ଥାନୀୟ ଲୋକେ ପହଞ୍ଚି ପୁଲିସକୁ ସୂଚନା ଦେବା ପରେ ପୁଲିସ ମୃତଦେହ ଚିହ୍ନଟ କରିବା ସହ ପରିବାର ଲୋକେ ପହଞ୍ଚିବାରୁ ତାଙ୍କ ପରିଚୟ ସ୍ପଷ୍ଟ ମିଳିପାରିଥିଲା । ପୁଲିସ ଅଧିକ ତନାଘନା ତଦନ୍ତ ପରେ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଟିଟିଲାଗଡ ପଠାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ଟିଟିଲାଗଡ ବ୍ଲକପଡାର ସ୍ୱର୍ଗତ ଅଭିମନ୍ୟୁ ସୁନାଙ୍କ ସାନ ପୁଅ ମୃତ ଜିତେନ୍ଦ୍ରଙ୍କ ଘରେ ମା, ସ୍ତ୍ରୀ ଓ ଦୁଇ ପୁଅ ଥିବା ବେଳେ ସେମାନେ ଏବେ ସମ୍ପୂର୍ଣ୍ଣ ଅସହାୟ ହୋଇପଡ଼ିଛନ୍ତି । କିଛି ବର୍ଷ ତଳେ ସେ ଏହି ସ୍କୁଲରେ ପିଇଆଇ ରୂପେ ଯୋଗଦେଇଥିବା ବେଳେ ଚାକିରି ସ୍ଥାୟୀ ହୋଇନଥିଲା । ଫଳରେ ଶ୍ରୀ ସୁନାଙ୍କ ଅସ୍ଥାୟୀ ଚାକିରି ଉପରେ ନିର୍ଭର କରୁଥିବା ପରିବାର ଏବେ ସମ୍ପୂର୍ଣ୍ଣ ଅସହାୟ ହୋଇଯାଇଛନ୍ତି । ସ୍କୁଲର ଲୋକପ୍ରିୟ ଖେଳ ଶିକ୍ଷକ ଶ୍ରୀ ସୁନାଙ୍କ ଅକାଳ ବିୟୋଗରେ ମୁରିବାହାଲ ପିୟୁପିଏସର ପ୍ରଧାନଶିକ୍ଷୟିତ୍ରୀ ସ୍ରୋତଶ୍ଵିନୀ ମାଝୀଙ୍କ ସଭାପତିତ୍ୱରେ ସ୍କୁଲରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଯୋଗଦେଇ ତାଙ୍କ ପ୍ରିୟ ଶିକ୍ଷକଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଥିଲେ । ନିଜର ବାଇକ୍ ନୁହେଁ ଦୁର୍ଘଟଣା ଦେଖିଲେ କୌଣସି ବଡ଼ ଚାରିଚକିଆ ଭାରିଯାନ ଧକ୍କାରେ ଶ୍ରୀ ସୁନାଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ପରିବାର ଲୋକେ ଗୁରୁତର ଅଭିଯୋଗ କରିଥିଲେ । ଏ ସମ୍ପର୍କରେ ଦୁର୍ଘଟଣାଗ୍ରସ୍ତ ବାଇକ୍ ଜବତ ସହ ଥାନାରେ ଦୁର୍ଘଟଣା କେଶ ନଂ ୧୯୨/୨୬ ରୁଜ୍ଜୁ ହୋଇ ଅଧିକ ତଦନ୍ତ ଜାରି ରହିଛି ବୋଲି ଥାନା ଆଇଆଇସି ବୁଲୁ ମୁଣ୍ଡା ପ୍ରକାଶ କରିଛନ୍ତି ।