jayashree

ଦେବଙ୍ଗ ହାଇସ୍କୁଲରେ ଅଘଟଣ, ଜଣେ ନବମ ଶ୍ରେଣୀ ଛାତ୍ରଙ୍କୁ ଶିକ୍ଷୟିତ୍ରୀ ଝରଣା ସାହୁଙ୍କ ନିସ୍ତୁକ ମାଡ଼ ନେଇ ଥାନାରେ ଲିଖିତ ଅଭିଯୋଗ

  • ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ଭୂମିକା ସନ୍ଦେହ ଘେରରେ
  • ଛାତ୍ରଙ୍କ ବାପାଙ୍କୁ ପ୍ରଧାନଶିକ୍ଷକଙ୍କ ଗୁରୁତର ଚାପ ଅଭିଯୋଗ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ପୂର୍ବରୁ ବହୁଥର ବିବାଦରେ ଛନ୍ଦି ହୋଇଥିବା ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଦେବଙ୍ଗ ଗ୍ରାମସ୍ଥିତ ଇନ୍ଦିରା ଗାନ୍ଧୀ ଉଚ୍ଚ ବିଦ୍ୟାଳୟ ପୁଣି ଏକ ନୂଆ ବିବାଦରେ ଛନ୍ଦି ହୋଇଥିବା ଅଭିଯୋଗ ହୋଇଛି । ହାଇସ୍କୁଲରେ ପାଠ ପଢୁଥିବା ଜଣେ ନବମ ଶ୍ରେଣୀର ନାବାଳକ ଛାତ୍ରଙ୍କୁ ହାଇସ୍କୁଲର ଶିକ୍ଷୟିତ୍ରୀ ଝରଣା ସାହୁ ନିସ୍ତୁକ ମାଡ଼ ମାରିଥିବା ନେଇ ମୁରିବାହାଲ ଥାନାରେ ଲିଖିତ ଅଭିଯୋଗ ହୋଇଛି । କିନ୍ତୁ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଦାୟିତ୍ୱରେ ଥିବା ଚୌଧୁରୀ ସୁନା ଓ ହାଇସ୍କୁଲ କର୍ତ୍ତୃପକ୍ଷ ନାବାଳକଙ୍କ ବାପାଙ୍କୁ ଚାପ ପକାଇ ଏହି ସ୍ପର୍ଶକାତର ଘଟଣାକୁ ମିଳିମିଶି ଚାପି ଦେଇଥିବା ଗୁରୁତର ଅଭିଯୋଗ ହୋଇଛି । ନାବାଳକ ଆହତ ଛାତ୍ରଙ୍କ ବାପା ହୃଦାନନ୍ଦ ସାହୁଙ୍କ ଥାନାରେ ଦେଇଥିବା ଲିଖିତ ଅଭିଯୋଗ ମୁତାବକ ଗତ ୩୧ତାରିଖ ଦିନ ତାଙ୍କ ପୁଅ ହାଇସ୍କୁଲକୁ ପାଠ ପଢ଼ିବାକୁ ଯାଇଥିଲା । ସେ ସ୍କୁଲରେ ପଢୁଥିବା ବେଳେ ଶିକ୍ଷୟିତ୍ରୀ ଝରଣା ସାହୁ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଫଳରେ ତାଙ୍କ ମୁହଁ ଫୁଲି ଯାଇଥିଲା । ତାଙ୍କୁ ଦୀର୍ଘ ୧ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ପର୍ଯ୍ୟନ୍ତ ଅଫିସ ବେଞ୍ଚରେ ଠିଆ କରିଦେଇଥିଲେ । ହାଇସ୍କୁଲ କର୍ତ୍ତୃପକ୍ଷ ନାବାଳକଙ୍କ ବାପାଙ୍କୁ ଡକାଇ ପଠାଇଥିଲେ । ସେ ଆସିବା ପରେ ତାଙ୍କୁ ତାଙ୍କ ପୁଅଙ୍କ ବିରୁଦ୍ଧରେ ବହୁ କଥା କହିଥିଲେ । ତାଙ୍କୁ ହାଇସ୍କୁଲ କର୍ତ୍ତୃପକ୍ଷ ଗୁରୁତର ଅପମାନିତ କରିଥିବା ଶ୍ରୀ ସାହୁ ଅଭିଯୋଗ କରି ଥାନାରେ ସମ୍ପୂର୍ଣ୍ଣ ବିଷୟରେ ଏତଲା ଦେଇଥିଲେ । ଏ ସମ୍ପର୍କରେ ମାଡ଼ ମାରିଥିବା ଶିକ୍ଷୟିତ୍ରୀ ଝରଣା ସାହୁଙ୍କ ମତାମତ ପାଇଁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଆଉ ଧରାଛୁଆଁ ଦେଇନଥିଲେ ଫଳରେ ତାଙ୍କର ମତାମତ ମିଳିପାରିନାହିଁ । ଅନ୍ୟପକ୍ଷରେ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଚୌଧୁରୀ ସୁନାଙ୍କ କଥାର ତାଳମେଳ ନଥିବା ବେଳେ ତାଙ୍କୁ ପଚାରିବାରୁ ସେ କଥାକୁ ଆଡ଼େଇ ଯାଇ କେବଳ ଛାତ୍ରଙ୍କ ହିଁ ଭୁଲ୍ ବୋଲି ଦୋହରାଇ ଶିକ୍ଷୟିତ୍ରୀଙ୍କୁ କ୍ଲିନ୍ ଚିଟ୍ ଦେବା ଆଶ୍ଚର୍ଯ୍ୟ କରିଛି । ଶ୍ରୀ ସୁନା ଜାଣିଶୁଣି ଘଟଣାକୁ ଗମ୍ଭୀରତାର ସହ ନ ନେଇ ତାଙ୍କୁ ମାମଲା ପ୍ରତ୍ୟାହାର କରିବା ପାଇଁ ଚାପ ପକାଇ ଘଟଣାକୁ ସମାଧାନ କରିବାକୁ ଉଦ୍ୟମ କରୁଛନ୍ତି ବୋଲି ଛାତ୍ରଙ୍କ ବାପା ଶ୍ରୀ ସାହୁ ଗୁରୁତର ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ସ୍ଥାନୀୟ ସିଆର୍‌ସିସିଙ୍କ ମତାମତ ମିଳିପାରିନଥିଲା । ବ୍ଲକ ବିଇଓ ଶାନ୍ତନୁ କୁମାର ପଢିହାରୀଙ୍କୁ ପଚାରିବାରୁ ମୋତେ ପ୍ରଧାନଶିକ୍ଷକ ଫୋନ୍ କରିଥିଲେ ମୁଁ ଉଭୟ ପକ୍ଷଙ୍କୁ ଡାକି ସମାଧାନ କରିବାକୁ ତାଙ୍କୁ ପରାମର୍ଶ ଦେଇଥିଲି ବୋଲି ପ୍ରକାଶ କରିଛନ୍ତି । ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଏହି ସ୍ପର୍ଶକାତର ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ଦାବୀ ହେଉଛି ।

Leave A Reply

Your email address will not be published.