
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ୱୟଂଶାସିତ ମାନ୍ୟତା ନିମନ୍ତେ ଡକାଯାଇଥିବା ୪୨ଟି କଲେଜ ତାଲିକାରେ ସୋନପୁରର ସର୍ବ ପୂରାତନ କଲେଜ ସୋନପୁର କଲେଜର ନାମ ନଥିବା ଜଣାପଡ଼ିବା ପରେ ଆଜି ସୋନପୁର କଲେଜ ଛାତ୍ର ସଂସଦ ପକ୍ଷରୁ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି । ଛାତ୍ର ସଂସଦ ପକ୍ଷରୁ ସଭାପତି ରୋଶନ ଶର୍ମା, ଉପ ସଭାପତି ଲଭଲୀ ସାହୁ ଏବଂ ସୁନୀଲ ପ୍ରଧାନ କହିଛନ୍ତି ଯେ, ସୋନପୁର ଜିଲ୍ଲାର ସର୍ବ ପୂରାତନ ସୋନପୁର କଲେଜରେ ୧୯୬୪ ମସିହାରୁ ଜିଲ୍ଲା ତଥା ପଡ଼ୋଶୀ ଜିଲ୍ଲାର ହଜାର ହଜାର ଗରିବ ମେଧାବୀ ଛାତ୍ରଛାତ୍ରୀ ଏଠାରେ ପଢୁଛନ୍ତି । ଏବଂ ଅନେକ ଗୁଡିଏ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି । ଏହି ପୂରାତନ ମହାବିଦ୍ୟାଳୟକୁ ବ୍ୟାପକ ଅବହେଳା ତଥା ସରକାରୀ ମାନ୍ୟତା ପ୍ରଦାନ କରାଯାଇ ନଥିବାରୁ ପୂର୍ବରୁ ମଧ୍ୟ ଆନ୍ଦୋଳନ ତଥା ବିକ୍ଷୋଭ ପ୍ରତିବାଦ ପ୍ରଦର୍ଶନ କରାଯାଇଛି । ଏଵଂ ପୂରାତନ ଛାତ୍ର ସଂଘ ପକ୍ଷରୁ ସରକାରଙ୍କ ପାଖରେ ବିଭିନ୍ନ ଉପାୟରେ ଦାବୀ କରାଯାଇଛି । ବିଭିନ୍ନ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀଙ୍କ ସୋନପୁର ଗସ୍ତ ବେଳେ ମଧ୍ୟ ସାକ୍ଷାତ ଆଲୋଚନା କରିଥିବା ନଜିର ରହିଛି । କଲେଜକୁ ସରକାରୀ ମାନ୍ୟତା ପ୍ରଦାନ ପାଇଁ ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲାଙ୍କ ନେତୃତ୍ୱରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ସହ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ଶିକ୍ଷା ସଚିବଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି । ସରକାରଙ୍କ ଏଭଳି ବୈମାତୃକ ମନୋଭାବ ସୁବର୍ଣ୍ଣପୁର ଜିଲ୍ଲା ପ୍ରତି ଅବହେଳାର ପ୍ରମାଣ । ଯଦି ତୁରନ୍ତ ସୋନପୁର କଲେଜକୁ ସ୍ୱୟଂଶାସିତ ମାନ୍ୟତା ପ୍ରକ୍ରିୟାରେ ସାମିଲ କରାନଯାଏ ତ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।