jayashree

ଆନ୍ତର୍ଜାତୀକ ପ୍ରୋସ୍ଥେଟିକ୍ସ ଏବଂ ଅର୍ଥୋଟିକ୍ସ ଦିବସ ପାଳନ ଅବସରରେ ସଚେତନତା ଶୋଭାଯାତ୍ରା

ରାଉରକେଲା (ସସ୍ମିତା ପ୍ରଧାନ) : ଆନ୍ତର୍ଜାତୀକ ପ୍ରୋସ୍ଥେଟିକ୍ସ ଓ ଅର୍ଥୋଟିକ୍ସ ଦିବସ ପାଳନ ଅବସରରେ ରାଉରକେଲା ଆଞ୍ଚଳିକ ପୁନର୍ବାସ ଓ ଗବେଷଣା କେନ୍ଦ୍ର (ଆର୍.ଆର୍.ଆର୍.ସି.) ପକ୍ଷରୁ ଏକ ଜନସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଛେଣ୍ଡ ସ୍ଥିତ ଭିଏସ୍ଏସ୍ ମାର୍କେଟ ନିକଟରୁ ଆରମ୍ଭ ହୋଇଥିବା ଏହି ସଚେତନତା ଶୋଭାଯାତ୍ରାକୁ ପାନପୋଷ ଅତିରିକ୍ତ ଉପଜିଲ୍ଲାପାଳ ଚାନ୍ଦନୀ ଉଦ୍‌ଘାଟନ କରିଥିଲେ । ଆର୍.ଆର୍.ଆର୍.ସି. ଅଧ୍ୟକ୍ଷ ରାମଚନ୍ଦ୍ର ବେହେରା ଏଥିରେ ଉଦ୍‌ବୋଧନ ଦେଇ କହିଥିଲେ ଯେ, ଦୁର୍ଘଟଣା, କ୍ୟାନସର, ଡାଇବେଟିସ୍ ଏବଂ ପକ୍ଷାଘାତ ରୋଗ ଯୋଗୁଁ ଅଙ୍ଗପ୍ରତ୍ୟଙ୍ଗ ହରାଉଥିବା ସହ ଦୁର୍ବଳ ହୋଇଯାଉଥିବା ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ଓ ସହାୟକ ଉପକରଣ ମାଧ୍ୟମରେ ସକ୍ଷମ କରାଯାଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯାଇପାରୁଛି । ଏ ଦିଗରେ ଆର.ଆର.ଆର.ସି. ବିଗତ ୩୦ ବର୍ଷ ଧରି ଅଗ୍ରଣୀ ଭୂମିକା ନେଇ ଆସୁଛି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂସ୍ଥାର ନିର୍ଦ୍ଦେଶକ ତ୍ରିଲୋଚନ ପାଢୀ ସ୍ୱାଗତ ଭାଷଣ ଦେଇଥିଲେ । ଶିକ୍ଷୟିତ୍ରୀ ସବିତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଆର.ଆର.ଆର.ସି. ସଦସ୍ୟ, କର୍ମଚାରୀ, ଛାତ୍ରଛାତ୍ରୀ, କୃତ୍ରିମ ଅଙ୍ଗ ବ୍ୟବହାର କରୁଥିବା ଭିନ୍ନକ୍ଷମ ଏବଂ ବିଭିନ୍ନ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ନେଇ ଏହି ଶୋଭାଯାତ୍ରା ଭଗବତୀ ମନ୍ଦିର ନିକଟସ୍ଥ ଆର.ଆର.ଆର.ସି କାର୍ଯ୍ୟାଳୟ ନିକଟରେ ଶେଷ ହୋଇଥିଲା ।

Leave A Reply

Your email address will not be published.