
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବହୁବିଧ ଉଦ୍ଦେଶ୍ୟ ପୂର୍ତ୍ତୀ ଲକ୍ଷ୍ୟ ନେଇ ଲକ୍ଷ୍ମୀଜୋର ପ୍ରକଳ୍ପର ଶିଳାନ୍ୟାସ ହୋଇଥିଲା ୨୦୧୪ ମସିହାରେ । ଏହାର ଗୋଟିଏ ଦିନ ପରେ କ୍ଷୁଦ୍ର ଜଳସେଚନ ବିଭାଗର ସମସ୍ତ କର୍ମଚାରୀଙ୍କୁ ବଦଳି କରିଦିଆଗଲା । ୨୦୧୬ ମସିହାର ଅନ୍ତିମ ଭାଗରେ ଏହାର କାର୍ଯ୍ୟ ଆରମ୍ଭ ହେଲା । କିନ୍ତୁ ଆରମ୍ଭରୁ ରାଜନୀତିର ପଶାପାଲିରେ କିପରି ଏହା ପଥଭ୍ରଷ୍ଟ ହେଲା ତାର ପୁଙ୍ଖାନୁପୁଙ୍ଖ ବିବରଣୀ ଜାଣିବାକୁ ବଲାଙ୍ଗିର ସ୍ୱାଭିମାନ ମଂଚ ଡକ୍ଟର ପ୍ରେମଚାନ୍ଦ ମହାନ୍ତି ଏବଂ ବାମଦେବ ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପର ଏସଡିଓ ଇଂ ମାନଭଞ୍ଜନ ଶତପଥିଙ୍କୁ ସାକ୍ଷାତ କରି ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଖରସେଲ୍ ଡଙ୍ଗରରୁ ଆରମ୍ଭ କରି ବେହେରାପାଲି ଗାଁ ପର୍ଯ୍ୟନ୍ତ ୮.୨ କି. ମି. ପ୍ରକଳ୍ପ ପାଇଁ ୨୦ କୋଟି ୧୩ ଲକ୍ଷ ୭୨ ହଜାର ଟଙ୍କା ଅନୁଦାନରେ ଏହାର କାର୍ଯ୍ୟ ଆରମ୍ଭ ହୋଇଥିଲା । ୫୦ ମିଟର ଓସାରର ଏହି ନାଳ ପାଇଁ ୯ ଟି ଚେକଡେମ୍ର ବ୍ୟବସ୍ଥା ହୋଇଥିଲା । ସେଗୁଡିକ ଯଥାକ୍ରମେ ଗନ୍ଧରେଲ ଡେମ୍, ଡେମ୍ପଡା, ପବ୍ଲିକ ସ୍କୁଲ, ଚମାର୍ପଡା, ଠିକାଦାର୍ ପଡା, ଚିମନିଭାଟିପଡା, ସତ୍ୟନାରାୟଣପଡା, ଅନ୍ୟ ଏକ ବ୍ରିଜ କମ୍ ବ୍ୟାରେଜ ଓ ଶେଷରେ ବେହେରାପାଲି ଡେମ୍ ଠାରେ ଏହା ନିର୍ମିତ ହୋଇଥିଲା । ଚେକଡେମ୍ ନିର୍ମାଣର ମୁଖ୍ୟ ଉଦ୍ଦେଶ୍ୟ ବନ୍ୟାଜଳ ନିୟନ୍ତ୍ରଣ, ବଳକା ଜଳକୁ ବାନ୍ଧି ରଖି ଏହାକୁ ଜଳ ସଂକଟ ସମୟରେ ଜନସାଧାରଣଙ୍କୁ ସହାୟତା କରିବା, ଜଳସେଚନ ପାଇଁ ଚାଷ ଜମିକୁ ଜଳ ଯୋଗାଇବା ତଥା ଭୂଗର୍ଭସ୍ଥ ଜଳସ୍ତରକୁ ବୃଦ୍ଧି କରିବା । ଏହାର ସୁଫଳ ବହୁ ଲୋକ ପାଇଥିବାର ପ୍ରମାଣ ମଂଚ ପାଇଥିଲା ଯେପରିକି ଠିକାଦାରପଡା ଓ ଚିମନିଭାଟି ପଡାରେ ଏହି ଜୋର୍ ନିର୍ମାଣ ଆଗରୁ କୂଅମାନେ ଶୁଖିଯାଉଥିଲା । ତେଣୁ ଖରାଦିନରେ ଏଠିକାର ବାସିନ୍ଦା ଜଳ କଷ୍ଟ ଭୋଗୁଥିଲେ କିନ୍ତୁ ଏବେ ଆଉ ସେ ସମସ୍ୟା ନାହିଁ । ପୁନଶ୍ଚ ଏହି ଜୋର୍ର ଗଚ୍ଛିତ ଜଳ ଦ୍ୱାରା ବେହେରାପାଲି ଗ୍ରାମର ପ୍ରାୟ ୪୨୦ ଏକର୍ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦିଆଯାଉଛି । ୨୦୧୯ ମସିହାରେ ଆସିଥିବା ଭୀଷଣ ବନ୍ୟା ବିପର୍ଯ୍ୟୟ ଲକ୍ଷ୍ମୀଜୋରକୁ ବୃଥାରେ ବିତର୍କର ବଳୟ ଭିତରକୁ ଟାଣି ଆଣିଲା । ବିଭନ୍ନ ରାଜନୈତିକ ଦଳ ଏହାକୁ ନେଇ ରୁଟି ସେକିବା ଆରମ୍ଭ କରିଦେଲେ । ତାହାର ସୁଯୋଗ ନେଇ କେତେକ ଅସାମାଜିକ ବ୍ୟକ୍ତି ଗାର୍ଡୱାଲ୍ ଗୁଡିକୁ ଭାଙ୍ଗିଦେଲେ । ସେହି ଅଂଚଳ ଗୁଡିକ ଧୀରେ ଧୀରେ ଜବରଦଖଲ ହୋଇଗଲା । ଫଳତଃ ଯେତିକି ଅନୁଦାନ ଏହାର ତିଆରି ପାଇଁ ଆସିଥିଲା ସେଥିରୁ ପ୍ରାୟ ୨ କୋଟିରୁ ଅଧିକ ପରିମାଣ ସରକାରଙ୍କ ତହବିଲକୁ ଫେରିଗଲା । ଆଜିବି ଗନ୍ଧରେଲ ଓ ବେହେରାପାଲିର ଚେକଡେମରେ ସ୍ୱଚ୍ଛ ଜଳ ମିଳୁଥିବା ବେଳେ ଅନ୍ୟ ସ୍ଥାନମାଙ୍କରେ ଏପରି ଅସନା ପାଣି ମିଳୁଛି ଯାହା ପାଖ ଦେଇ ଲୋକେ ଗନ୍ଧରେ ଯାଇବି ପାରୁନାହାନ୍ତି । ପାଶ୍ୱବର୍ତ୍ତୀ ଅଂଚଳର ପ୍ରାୟତଃ ସବୁ ଅଧିବାସୀଙ୍କର ପାଇଖାନା ଓ ଶୌଚାଳୟର ବର୍ଜ୍ଜ୍ୟ ଜଳକୁ ବଡ ବଡ ପାଇପ ସାହାଯ୍ୟରେ ନାଳ ମଧ୍ୟକୁ ଛାଡି ଦିଆଯାଉଛି । କୁଢକୁଢ ନଡିଆ ଚୋପା, ପଇଡ ଖୋଳପା, ପଚାସଢା ପନିପରିବା ଓ ଫଳମୂଳକୁ ଏଠାରେ ଫୋପାଡି ଦିଆଯାଉଛି । ଠାଏଠାଏ ମଲା କୁକୁର, ଘୁଷୁରୀ ତଥା ମଲା ମଣିଷର ଖପୁରୀ ହାତ, ଗୋଡ ଏଠାରେ ଇତସ୍ତତଃ ହୋଇପଡିଥିବା ଦେଖାଯାଉଛି । ବସ୍ତା ବସ୍ତା ପଲିଥିନକୁ ଏଠି ଡମ୍ପିଙ୍ଗ ୟାର୍ଡ ଭଳି ଫୋପାଡି ଦିଆଯାଉଛି । ବର୍ଷା ସମୟରେ ବିନା ବୁଝିଶୁଝି ଅସାମାଜିକ ବ୍ୟକ୍ତିମାନେ ଗାର୍ଡୱାଲ ଗୁଡିକୁ ଭାଙ୍ଗି ଦେଉଛନ୍ତି ଏବଂ ଚେକଡେମ୍ର ଦ୍ୱାର ଖୋଲି ଦେଇ କୃତ୍ରିମ ବନ୍ୟାର ଧାରଣା ସୃଷ୍ଟି କରୁଛନ୍ତି । ନାଳର ଓସାର ଯଦିଓ ସବୁ ସ୍ଥାନରେ ୫୦ ଫୁଟ ରହିବା କଥା ତଥାପି ଜବରଦଖଲ ପାଇଁ କେଉଁ ସ୍ଥାନରେ ୭୦ଫୁଟ ତ ଆଉ କେଉଁ ସ୍ଥାନରେ ୧୮ ଫୁଟ ଓସାର କରି କେନାଲଟିକୁ ସର୍ପିଳ ଗତିରେ ଯିବାକୁ ଦିଆଯାଉଛି । ବର୍ଷା ସମୟରେ ଏହି ଆବର୍ଜନା ସବୁ ଜଳ ନିଷ୍କାସନରେ ବାଧକ ସାଜୁଛି ଓ କୃତ୍ରିମ ବନ୍ୟା ସୃଷ୍ଟି କରୁଛି । ପ୍ରକୃତରେ ଏହି ପ୍ରକଳ୍ପ ତିଆରି ପ୍ରସ୍ତାବ ସମୟରେ ତାର ଉଭୟ ପାଶ୍ୱର୍ରେ ବଡ ଡ୍ରେନ ତିଆରି ପାଇଁ ପରାମର୍ଶ ଦିଆଯାଇଥିଲା । କିନ୍ତୁ ଜବର ଦଖଲ ଉଚ୍ଛେଦ ହୋଇ ନପାରିବା ଯୋଗୁଁ ତଥା କେତେକ ନ୍ୟସ୍ତସାର୍ଥ ବ୍ୟକ୍ତିଙ୍କ ବିରୋଧ ଯୋଗୁଁ ଏହା ସମ୍ଭବ ହୋଇପାରୁନାହିଁ । ଏଠାରୁ ଆବର୍ଜନା ସଫା କରିବା ଦାୟିତ୍ୱ ମ୍ୟୁନିସିପାଲିଟି କି ଏମଆଇପି ତାହା ଆଜି ପର୍ଯ୍ୟନ୍ତ ନିର୍ଦ୍ଧାରିତ ହୋଇପାରିନାହିଁ । ବିଶ୍ୱସ୍ତ ସୂତ୍ରରୁ ଜଣାଗଲା ଯେ, ଆଗାମୀ ଦିନରେ ଏହାର ସୌନ୍ଦର୍ଯ୍ୟୀକରଣ ବାବଦରେ ମ୍ୟୁନିସିପାଲିଟିକୁ ପ୍ରାୟ ୩୩ କୋଟି ଟଙ୍କା ଅନୁଦାନ ମିଳିବାକୁ ଯାଉଛି । ଦେଖାଯାଉ ବଲାଙ୍ଗିରବାସୀ କେବେ ଏହାକୁ ଉପଭୋଗ କରିବେ । ଯଥାଶୀଘ୍ର ଏହି ପ୍ରକଳ୍ପର ସଫେଇ କାର୍ଯ୍ୟ ଆରମ୍ଭ କରିବାକୁ ମଂଚ ପକ୍ଷରୁ ଦାବୀ ଉପସ୍ଥାପନ ସହିତ ଏହା କାର୍ଯ୍ୟକାରୀ ନକଲେ ମଂଚ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବ ବୋଲି କତ୍ତୃପକ୍ଷଙ୍କୁ ଚେତାଇ ଦିଆଯାଇଥିଲା । ଏଠାରେ ସମସ୍ତ ବଲାଙ୍ଗିରବାସୀଙ୍କ ସ୍ୱାର୍ଥ ପାଇଁ ରାଜନୀତିରୁ ଉଦ୍ଧ୍ୱର୍ରେ ରହି କାର୍ଯ୍ୟ କରିବାକୁ ଅନୁରୋଧ କରାଯାଇଥିଲା । ଏହି ଆଲୋଚନାରେ ଭକ୍ତବନ୍ଧୁ ଯୋଷୀ, ଉମାକାନ୍ତ ସାହୁ, ତ୍ରିଲୋଚନ ମହାପାତ୍ର, ଜ୍ୟୋତିରାଜ ନାଗ, ରଞ୍ଜନ କୁମାର ପ୍ରଧାନ, ଚିତ୍ତରଞ୍ଜନ ପୁରୋହିତ, ବୁଠି ବେହେରା, ଡା. ପ୍ରଶାନ୍ତ କୁମାର ପ୍ରଧାନ, ସୁରେନ୍ଦ୍ର କୁମାର ତ୍ରିପାଠୀ, ରାଘବ ପାଣିଗ୍ରାହୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।