
ବଲାଙ୍ଗିର, (କେପିଏନ୍ଏସ୍) : ୟୁଜିସି ଅଧିନିୟମ ୨୦୨୬କୁ ବିରୋଧ କରି ଜିଲ୍ଲା ବ୍ରାହ୍ମଣ ମହାସଭାର ପ୍ରତିବାଦ । ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇ ମହାସଭାର ପ୍ରତିନିଧିମାନେ ନିଜର ଦାବି ଜଣାଇବା ସହ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି । ମଙ୍ଗଳବାର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ, ଓଡ଼ିଶା ବ୍ରାହ୍ମଣ ମହାସଂଘର ଆହ୍ୱାନକ୍ରମେ ଜିଲ୍ଲା ବ୍ରାହ୍ମଣ ମହାସଭା, ବଲାଙ୍ଗିରର ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମବେତ ହୋଇଥିଲେ । ୟୁଜିସି ଅଧିନିୟମ ୨୦୨୬କୁ ବିରୋଧ କରି ଭାରତର ସାଧାରଣ ବର୍ଗଙ୍କ ପ୍ରତି ହେଉଥିବା ଅନ୍ୟାୟ ଓ ବୈଷମ୍ୟ ଦୂର କରିବାକୁ ସେମାନେ ଦାବି ଉଠାଇଥିଲେ । ଦାବିପତ୍ରରେ ସମ୍ବିଧାନର ଧାରା ୧୪ ଅନୁଯାୟୀ ସମାନତାର ଅଧିକାର ଉଲ୍ଲଂଘନ, ଦୋଷ ପ୍ରମାଣ ପୂର୍ବରୁ ଦୋଷୀ ବୋଲି ବିବେଚନା, ପ୍ରାକୃତିକ ନ୍ୟାୟର ଅବହେଳା, ଆଇନର ଅସ୍ପଷ୍ଟତା, ରାଗିଂ ସମସ୍ୟାକୁ ଅଣଦେଖା, ପ୍ରଶାସନିକ କ୍ଷମତାର ଅତିରିକ୍ତ ପ୍ରୟୋଗ ଏବଂ ସାମାଜିକ ସଦ୍ଭାବ ପ୍ରତି ବିପଦ ଭଳି ବିଭିନ୍ନ ପ୍ରସଙ୍ଗ ଉଠାଯାଇଛି । ଏହି ଅବସରରେ ଜିଲ୍ଲାପାଳଙ୍କ ପ୍ରତିନିଧି ଭାବେ ଉପଜିଲ୍ଲାପାଳ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବା ସହ ଦାବିପତ୍ରକୁ ମହାମହିମ ରାଷ୍ଟ୍ରପତି ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପଠାଇବା ନେଇ ପ୍ରତିଶ୍ରୁତି ଦେଇଥିଲେ । ଏହି ପ୍ରତିନିଧି ମଣ୍ଡଳୀରେ ମହାସଭାର ବରିଷ୍ଠ ଉପଦେଷ୍ଟା ପଣ୍ଡିତ ସତ୍ୟବନ୍ତ ବେଦବାକ, ସମ୍ପାଦକ ପଣ୍ଡିତ ଶ୍ୟାମସୁନ୍ଦର ଦାଶ, ସହସମ୍ପାଦକ ଜୟ ବିହାରୀ ବେଦବାକ, କୋଷାଧ୍ୟକ୍ଷ ପଞ୍ଚାନନ ବେଦବାକଙ୍କ ସମେତ କବିରାଜ ହୋତା, ଆଇନଜୀବୀ ଅଶୋକ ମିଶ୍ର, ଡଃ ଗୋପାଳକୃଷ୍ଣ ମିଶ୍ର ଏବଂ ଅନ୍ୟ ବହୁ ସଦସ୍ୟ ଉପସ୍ଥିତ ଥିଲେ । ୟୁଜିସି ଅଧିନିୟମକୁ ନେଇ ନିଜର ଆପତ୍ତି ଜଣାଇବା ସହ ନ୍ୟାୟ ଓ ସାମାଜିକ ସମାନତା ରକ୍ଷା ପାଇଁ ମହାସଭା ପକ୍ଷରୁ ଦାବି କରାଯାଇଛି ।