
ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ନିଖିଳ ଓଡ଼ିଶା ବୈଶ୍ୟ ଶୁଣ୍ଢୀ ସମାଜ, ପଶ୍ଚିମାଞ୍ଚଳ ଓଡ଼ିଶା ପକ୍ଷରୁ ଆୟୋଜିତ ନୂଆଁଖାଇ ଭେଟଘାଟ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଚାନ୍ଦୋତରା ଗ୍ରାମ ପଞ୍ଚାୟତଠାରେ ଭବ୍ୟ ଓ ଆନନ୍ଦମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ଏହି ଭେଟଘାଟ କାର୍ଯ୍ୟକ୍ରମରେ ନିମନ୍ତ୍ରିତ ମୁଖ୍ୟ ଅତିଥି ଭାବେ କେନ୍ଦ୍ରୀୟ କମିଟିର ଉପଦେଷ୍ଟା ବେଣୁଗୋପାଳ ବେହେରା ଯୋଗଦେଇଥିବା ବେଳେ ରମେଶ ଚନ୍ଦ୍ର ବେହେରା, ଅମାଠୋଲା ଅଞ୍ଚଳ, ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ । ସମ୍ମାନନୀୟ ବକ୍ତା ଘନଶ୍ୟାମ ବେହେରା ମଧ୍ୟ ଉପସ୍ଥିତ ରହି ନିଜର ମୂଲ୍ୟବାନ ମତାମତ ରଖିଥିଲେ । ଏଥିସହିତ କେନ୍ଦ୍ରୀୟ କମିଟି, ପଶ୍ଚିମାଞ୍ଚଳର ସଭାପତି ଅନନ୍ତରାମ ବେହେରା, କେନ୍ଦ୍ରୀୟ କମିଟିର ସାଧାରଣ ସମ୍ପାଦକ ଲକ୍ଷ୍ମୀକାନ୍ତ ବେହେରା, ଚାନ୍ଦୋତରା ଅଞ୍ଚଳର ସଭାପତି ନିରଞ୍ଜନ ବେହେରା, ଖପ୍ରାଖୋଲ ଅଞ୍ଚଳର ସଭାପତି ଯୁବରାଜ ବେହେରା, ମୋହନଗିରି ଜୋନର ସଭାପତି ମକରଧ୍ୱଜ ବେହେରା ଏବଂ କେନ୍ଦ୍ରୀୟ ଉପଦେଷ୍ଟା ଗୁପ୍ତେଶ୍ୱର ବେହେରା ପ୍ରମୁଖ ଯୋଗଦେଇଥିଲେ । ଏଥିସହିତ ବିଭିନ୍ନ ଅଞ୍ଚଳର ସମ୍ପାଦକମାନେ ମଧ୍ୟ ଉପସ୍ଥିତ ରହିଥିଲେ । ଅତିଥିମାନେ ନିଜ ମତବ୍ୟକ୍ତ କରି କହିଥିଲେ ଯେ, ନୂଆଁଖାଇ କେବଳ ଏକ ପର୍ବ ନୁହେଁ; ଏହା ପଶ୍ଚିମ ଓଡ଼ିଶାର ସଂସ୍କୃତି, ପରମ୍ପରା, ଭାଇଚାରା ଓ ସମାଜ ଏକତାର ଏକ ମହାନ ମିଳନ ପର୍ବ । ଏହି ପବିତ୍ର ପର୍ବ ଆମ ସାମାଜିକ ଜୀବନରେ ପରସ୍ପର ସ୍ନେହ, ସମ୍ପ୍ରୀତି ଓ ଏକତାର ବାର୍ତ୍ତା ବହନ କରିଥାଏ ବୋଲି ସେମାନେ ମତପ୍ରକାଶ କରିଥିଲେ । ଏହି ନୂଆଁଖାଇ ଭେଟଘାଟରେ ୫ଟି ଜିଲ୍ଲାରୁ ସହସ୍ରାଧିକ ଲୋକଙ୍କ ସମାଗମ ହୋଇଥିଲା । କଳାହାଣ୍ଡିର ବୀରବାଦ୍ୟ ଘୁମୁରା ଏବଂ ଆକର୍ଷଣୀୟ ସମ୍ବଲପୁରୀ ନୃତ୍ୟରେ ଦର୍ଶକମାନେ ମସଗୁଲ ହୋଇ ଆନନ୍ଦ ଉପଭୋଗ କରିଥିଲେ । ସମଗ୍ର ପରିବେଶ ଉତ୍ସବମୁଖର ଓ ଭାଇଚାରାର ଭାବନାରେ ପରିପୂର୍ଣ୍ଣ ହୋଇଉଠିଥିଲା ।