jayashree

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର କାର୍ଯ୍ୟକାରିଣୀ ବୈଠକ : ସରକାରଙ୍କ ଆଦିବାସୀ ଦମନନୀତି ପ୍ରତିବାଦରେ ଆନ୍ଦୋଳନ ଚେତାବନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସାମ୍ବାଦିକ ଭବନରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ସଭାପତି ଶ୍ୟାମ ସୁନ୍ଦର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ବୈଠକରେ ଆଦିବାସୀଙ୍କ ବିଭିନ୍ନ ସମସ୍ୟା ଓ ଅଧିକାର ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଥିଲା । ବନ୍ଦ ହୋଇଥିବା ଅନ୍ଵେଷା ଯୋଜନାକୁ ପୂର୍ବପରି ଲାଗୁ କରି ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ମାଗଣା ଶିକ୍ଷା ଦେବାକୁ ସଂଘ ଦାବି କରିଛି । ଏଥିସହ ବିଏସ୍‌ସି ନର୍ସିଂ ଓ ଜିଏନ୍‌ଏମ୍ ପଢୁଥିବା ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ବନ୍ଦ ହୋଇଥିବା ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପୁନଃ ଆରମ୍ଭ କରିବାକୁ ଦାବି ହୋଇଛି । ସେହିପରି ଜଙ୍ଗଲ ଜମି ଅଧିକାର ଆଇନ ଅନୁସାରେ ଆଦିବାସୀ ଓ ପାରମ୍ପରିକ ବନବାସୀଙ୍କୁ ଜମି ପଟ୍ଟା ପ୍ରଦାନ, ଆଦିବାସୀ ନିର୍ଯ୍ୟାତନା ମାମଲାରେ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ ଏବଂ ପୀଡ଼ିତ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ସଂଘ ଦାବି ଉଠାଇଛି । ଖଣି ଓ ଖଣିଜ ସମ୍ପଦ ସମ୍ପର୍କିତ ନୀତି ଯୋଗୁଁ ଆଦିବାସୀଙ୍କ ଜମି, ଜଙ୍ଗଲ ଓ ଜୀବିକା ପ୍ରଭାବିତ ହେବା ନେଇ ମଧ୍ୟ ସଂଘ ଉଦବେଗ ପ୍ରକାଶ କରିଛି । ଏହା ସହିତ ସମାନ ନାଗରିକ ସଂହିତା ବା ୟୁସିସିକୁ ବିରୋଧ କରିବା ସହ ଆଦିବାସୀଙ୍କ ସ୍ୱତନ୍ତ୍ର ସଂସ୍କୃତି, ପରମ୍ପରା, ଭାଷା ଓ ରୀତିନୀତିର ସୁରକ୍ଷା ଦାବି କରାଯାଇଛି । ଆଦିବାସୀ ଜମିକୁ ଅଣଆଦିବାସୀଙ୍କୁ ବିକ୍ରି କିମ୍ବା ବନ୍ଧକ ରଖିବା ପାଇଁ ଅନୁମତି ବନ୍ଦ କରିବା ସହ ଜାଲ୍ ଜାତି ପ୍ରମାଣପତ୍ର ମାଧ୍ୟମରେ ସରକାରୀ ଚାକିରି କରୁଥିବା ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଦାବି ହୋଇଛି । ବୈଠକରେ ପୂର୍ବତନ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ସମେତ ସଂଘର ବିଭିନ୍ନ ବ୍ଲକ୍‌ର ସଭାପତି, କର୍ମକର୍ତ୍ତା ଓ ନାରୀନେତ୍ରୀମାନେ ଉପସ୍ଥିତ ଥିଲେ । ସାଧାରଣ ସମ୍ପାଦକ ହେମେନ୍ଦ୍ର ନାଥ ହାଁସଦା ସଭା ପରିଚାଳନା କରିଥିଲେ । ଆଦିବାସୀଙ୍କ ଦାବି ପ୍ରତି ସରକାର ତୁରନ୍ତ ପଦକ୍ଷେପ ନନେଲେ ଆଗାମୀ ଦିନରେ ଜିଲ୍ଲାସ୍ତରରେ ବଡ଼ଧରଣର ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

Leave A Reply

Your email address will not be published.