
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କେବଳ ପାଠପଢ଼ା ନୁହେଁ, ହାତକାମ ମାଧ୍ୟମରେ ନୂଆ କୌଶଳ ଶିଖିବା ଓ ଆତ୍ମନିର୍ଭର ହେବାର ବାର୍ତ୍ତା ନେଇ ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ବୁଡ଼ାଗୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟରେ ଏକଦିବସୀୟ ଗ୍ରୀଷ୍ମ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ୟାମସୁନ୍ଦର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିବିରରେ ଗିରିଜନ ଉଚ୍ଚ ବିଦ୍ୟାଳୟ, ଋତୁଙ୍ଗିଆର ପ୍ରଧାନଶିକ୍ଷକ ସୁବାଷ ଚନ୍ଦ୍ର ସାମଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ମୋହନ ଚରଣ ବିଷୋୟୀ, ପ୍ରଦୀପ କୁମାର ସାହୁ, ଅଭୟ କୁମାର ପ୍ରଧାନ, ପ୍ରମୋଦ କୁମାର ସାହୁ, ସରସ୍ୱତୀ ବିନ୍ଧାଣୀ ଓ ନୃସିଂହ ଚରଣ ପାତ୍ର ବିଭିନ୍ନ ବିଷୟରେ ସାଧନକର୍ମୀ ଭାବେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଶିବିରରେ ୬୦ ଜଣ ଶିକ୍ଷାର୍ଥୀ ଅଂଶଗ୍ରହଣ କରି ଅଦରକାରୀ ସାମଗ୍ରୀକୁ ଉପଯୋଗ କରି ନୂଆ ସାମଗ୍ରୀ ପ୍ରସ୍ତୁତିର କୌଶଳ ଶିଖିଥିଲେ । ନଷ୍ଟ ହୋଇଥିବା ଏଲ୍ଇଡି ବଲ୍ବର ପୁନଃବ୍ୟବହାର, ପରିତ୍ୟକ୍ତ ପ୍ଲାଷ୍ଟିକରୁ ଖେଳଣା, ଝୋଟ ଓ ବାଉଁଶରୁ ବିଭିନ୍ନ ଘରୋଇ ଉପକରଣ ପ୍ରସ୍ତୁତି ସହ ସିଲେଇ କାମ ଆଦିରେ ଶିକ୍ଷାର୍ଥୀମାନେ ହାତକଳା ପ୍ରଶିକ୍ଷଣ ନେଇଥିଲେ । ଏହି ଅବସରରେ ଅତିଥିମାନେ କହିଥିଲେ ଯେ, ନୂତନ କୌଶଳ ଆହରଣ ଶିକ୍ଷାର୍ଥୀଙ୍କ ଆତ୍ମବିଶ୍ୱାସ ବଢ଼ାଇବା ସହ ଭବିଷ୍ୟତରେ ବିଭିନ୍ନ ବୃତ୍ତିଗତ ସୁଯୋଗ ସୃଷ୍ଟି କରିଥାଏ । ଶିବିର ଶେଷରେ ପ୍ରଶିକ୍ଷଣ ନେଇଥିବା ସମସ୍ତ ଶିକ୍ଷାର୍ଥୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଶେଷରେ ବରିଷ୍ଠ ଶିକ୍ଷକ ବାମଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।