
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ବ୍ଲକ ପାଲୁରୁଗଡ଼ ପଞ୍ଚାୟତ ଅଧିନସ୍ଥ ଗଜପତିନଗର ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରତିଷ୍ଠିତ ପାଞ୍ଚଜଣ ବରପୁତ୍ର ଯଥା :- ଉତ୍କଳ ଗୌରବ ମଧୁସୂଦନ ଦାସ, ନେତାଜୀ ସୁବାଷ ଚନ୍ଦ୍ର ବୋଷ, ସମ୍ବିଧାନ ପ୍ରଣେତା ଡ଼. ଭୀମରାଓ ରାମଜୀ ଆମ୍ବେଦକର, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଓ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓଙ୍କ ପ୍ରତିମୂର୍ତ୍ତି ଆନୁଷ୍ଠାନିକ ଭାବେ ଉନ୍ମୋଚନ ହୋଇଯାଇଛି । ମହାମାନବ ମହାତ୍ମାଗାନ୍ଧୀ ଓ ଶାନ୍ତି ଦୂତ ଲାଲବାହାଦୂର ଶାସ୍ତ୍ରୀଜୀଙ୍କ ଜୟନ୍ତୀ ସମାରୋହ ଅବସରରେ ଏହି ପ୍ରତିମୂର୍ତ୍ତି ଗୁଡ଼ିକର ଉନ୍ମୋଚନ ବର୍ଣ୍ଣାଢ଼୍ୟ ସମାରୋହରେ ସମାହିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ,(ଗଞ୍ଜାମ) ସୁନୀଲ କୁମାର କେରେକେଟ୍ଟା ଯୋଗ ଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ମୁଖ୍ୟବକ୍ତା ରୂପେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସୌରଭ ପ୍ରଧାନ ଯୋଗଦେଇ ଏହି ଦିବସର ମହତ୍ତ୍ୱ ପ୍ରତିପାଦନ କରିବା ସାଂଗକୁ ଭବ୍ୟ ଆୟୋଜିତ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ୟକ୍ତ ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ଭୂୟସୀ ପ୍ରଶଂସା କରିଥିଲେ । ବରିଷ୍ଠ ସଦସ୍ୟ ଯୁଧିଷ୍ଟିର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ରାମଚନ୍ଦ୍ର ମର୍ଦ୍ଦରାଜ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ସନ୍ତୋଷ କୁମାର ପାତ୍ର, ଡ଼. ଏ.ପି.ଜେ. ଅବଦୁଲ୍ କାଲାମ ଜନ କଲ୍ୟାଣ ଚାରିଟେବୁଲ ଟ୍ରଷ୍ଟ (ଖଲ୍ଲିକୋଟ)ର ସଭାପତି ପୂର୍ଣ୍ଣଚନ୍ଦ୍ର ବେହେରା, ସମ୍ପାଦକ ପଞ୍ଚାନନ ସୂର , ଗଞ୍ଜାମ ଜିଲ୍ଲା ଦଳିତ ସାହିତ୍ୟ ଏକାଡେମୀର ସଭାପତି ବଂଶୀଧର ସେଠୀ, ରାଜ୍ୟପାଳ ପୁରସ୍କାରପ୍ରାପ୍ତ ପ୍ରାକ୍ତନ ଶିକ୍ଷକ ତଥା ବିଶିଷ୍ଟ ଶିକ୍ଷାବିତ୍ ବିଜୟ ବିଶ୍ଵାଳ, ଉତ୍କଳ ସ୍ଵାଭିମାନ ମଞ୍ଚର ସମ୍ପାଦକ, ପ୍ରଭାକର ତ୍ରିପାଠୀ, ସଦସ୍ୟ ସୁବାସ ଚନ୍ଦ୍ର ପଣ୍ଡା, ରାମଚନ୍ଦ୍ର ପୃଷ୍ଟି, ରାଧାକାନ୍ତ ମହାପାତ୍ର, ଗଜପତି ନଗରର ସଭାପତି ଡ଼. ବ୍ରଜବନ୍ଧୁ ବେହେରା, ପାଲୁରୁଗଡ଼ ସରପଞ୍ଚ ଶ୍ରୀମତୀ ସନ୍ତୋଷିନୀ ବେହେରା, ଏମ୍.ଇ. ସ୍କୁଲ ପ୍ରଧାନଶିକ୍ଷକ ସୁଶାନ୍ତ କୁମାର ନାହାକ, ଏମ୍.ଇ.ସ୍କୁଲ ସଭାପତି ଟୁକୁ ବେହେରା, ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଧନୁର୍ଦ୍ଧର ବେହେରା, ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ, ତିନୋଟି ଅଙ୍ଗନବାଡିର କର୍ମୀ ଓ ସହାୟିକା, ପୂର୍ବତନ ଛାତ୍ରଛାତ୍ରୀ, ବିଦ୍ୟାଳୟର ପରିଚାଳନା କମିଟି, ଗ୍ରାମବାସୀ ଓ ସାମ୍ବାଦିକ ବନ୍ଧୁମାନେ ପ୍ରମୁଖ ଉପସ୍ଥିତ ରହି ସକ୍ରୀୟ ସହଯୋଗ କରିଥିଲେ । ବିଭିନ୍ନ କ୍ଷେତ୍ରରେ ନିଜର ପାରଦର୍ଶିତା ପାଇଁ ଛଅ ଜଣ ପ୍ରତିଭାଧାରୀଙ୍କୁ ମୁଖ୍ୟଅତିଥିଙ୍କ ପୁରସ୍କାର ପ୍ରଦାନ ସହ ସମ୍ବର୍ଦ୍ଧିତ ହୋଇଥିଲେ । ସେମାନେ ହେଲେ ଅବସରପ୍ରାପ୍ତ ଶିକ୍ଷକ ତଥା ବିଶିଷ୍ଟ ଶିକ୍ଷାବିତ୍ ଉମାଚରଣ ବିଶ୍ଵାଳ, ବିଶିଷ୍ଟ ସମାଜସେବୀ ଡମ୍ବରୁଧର ବେହେରା, ଉଦିୟମାନ କଣ୍ଠଶିଳ୍ପୀ ଗଣେଶ ପଟ୍ଟନାୟକ, ବିଶିଷ୍ଟ ଚିତ୍ରକାର ସନ୍ତୋଷ କୁମାର ବେହେରା, ଯୁବ ସାହିତ୍ୟିକା ସୁଶ୍ରୀ ତପସ୍ଵିନୀ ବେହେରା ଓ କୃତ୍ତି ବିଦ୍ୟାର୍ଥୀ ସୁଶ୍ରୀ ବିନୋଦିନୀ ପ୍ରଧାନ । ପ୍ରକାଶ ଥାଉକି ସ୍ଥାପନ କରାଯାଇଥିବା ପ୍ରତିମୂର୍ତ୍ତି ଗୁଡିକ, ବିଭିନ୍ନ ଅନୁଷ୍ଠାନ କିମ୍ବା ବ୍ୟକ୍ତିବିଶେଷଙ୍କ ଠାରୁ ପ୍ରାପ୍ତ ହୋଇଥିଲା । ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିକୁ ଦୈନିକ ସମ୍ବାଦପତ୍ର “ସମାଜ”ର ପ୍ରକାଶକ ତଥା ମୁଦ୍ରାକର ରାଜେନ୍ଦ୍ର କୁମାର ଜେନାଙ୍କ ସହଯୋଗରେ ପ୍ରାପ୍ତ ହୋଇଥିଲା ବେଳେ, ଡ଼.ଏପିଜେ ଅବଦୁଲ କଲାମ ଜନ କଲ୍ୟାଣ ଚାରିଟେବୁଲ ଟ୍ରଷ୍ଟ, ଖଲ୍ଲିକୋଟ ଓ ପୂର୍ବତନ ଛାତ୍ରଛାତ୍ରୀଙ୍କ ଠାରୁ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ପ୍ରାପ୍ତ ହୋଇଥିଲା । ସେହିପରି ଉତ୍କଳ ସ୍ଵାଭିମାନ ମଞ୍ଚର କର୍ମକର୍ତ୍ତାମାନେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନିମନ୍ତେ ଆଣିଥିଲେ । ରାମଚନ୍ଦ୍ର ପୃଷ୍ଟିଙ୍କ ଦ୍ଵାରା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ପ୍ରତିମୂର୍ତ୍ତି ସ୍ଥାପିତ ହୋଇଛି । କାର୍ଯ୍ୟକ୍ରମଟିକୁ ଶିକ୍ଷକ ବିଷ୍ଣୁ ବେହେରା ଖୁବ୍ ସୁନ୍ଦର ଶୈଳୀରେ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଗ୍ରାମର ଆବାଳ ବୃଦ୍ଧବନିତା ସହଯୋଗ କରିଥିଲେ । ଶେଷରେ ଡ଼. ଅବଦୁଲ କଲାମ ଜନ କଲ୍ୟାଣ ଚାରିଟେବୁଲ ଟ୍ରଷ୍ଟ ଖଲ୍ଲିକୋଟର ସଭାପତି ପୂର୍ଣ୍ଣ ଚନ୍ଦ୍ର ବେହେରା ସଭିଁଙ୍କୁ ସାଧୁବାଦ ଜଣାଇଥିଲେ ।