jayashree

ତାମିଲନାଡୁ ଯିବାକୁ ଥିବା ଦାଦନ ୩୬ ଜଣ ଶ୍ରମିକଙ୍କୁ ବସ୍ ଭିତରୁ ଉଦ୍ଧାର କଲା କେସିଙ୍ଗା ପୋଲିସ

କେସିଙ୍ଗା, (ପ୍ରୀତେଶ ପଟେଲ) : ଓଡ଼ିଶାରେ କାମର ଅଭାବ ହେଉଥିବା ବେଳେ ଲୋକ ନିଜ ଓ ନିଜ ପରିବାରର ପେଟ ପୋଷିବା ପାଇଁ ଅନ୍ୟ ରାଜ୍ୟକୁ କାମ କରିବା ପାଇଁ ଯାଉଥିବା ପ୍ରାୟ ସବୁ ସମୟରେ ଦେଖିବାକୁ ମିଳୁଛି । ସୋମବାର ଦିନ କଳାହାଣ୍ଡି ଜିଲ୍ଲା ଧର୍ମଗଡ ଅଞ୍ଚଳରୁ ତାମିଲନାଡୁ ଯିବା ପାଇଁ ବାହାରିଥିବା ଦାଦନ ଶ୍ରମିକଙ୍କୁ କେସିଙ୍ଗା ଯୋଲକୋ ଛକ ନିକଟରେ ପୁଷ୍ପାଞ୍ଜଳି ନାମକ ଏକ ଘରୋଇ ଯାତ୍ରୀବାହୀ ବସ ଭିତରୁ ଉଦ୍ଧାର କରିଛି କେସିଙ୍ଗା ପୋଲିସ । କୌଣସି ସୂତ୍ରରୁ ଖବର ପାଇ କେସିଙ୍ଗା ପୋଲିସ ଯୋଲକୋ ନିକଟରେ ଅଟକାଇ ଯାଞ୍ଚ କରିଥିଲା, ଯାଞ୍ଚ ସମୟରେ ବସରେ ବହୁ ସଂଖ୍ୟାରେ ଦାଦନ ଶ୍ରମିକ ଥିବା ଜଣାପଡ଼ିଥିଲା । ଏହା ପରେ ପୋଲିସ ବସ ସହିତ ସମସ୍ତ ଶ୍ରମିକଙ୍କୁ ଥାନାକୁ ଆଣି ସେମାନଙ୍କର ପରିଚୟପତ୍ର ତଥା ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ କରିଥିଲା । ସମୁଦାୟ ୩୬ ଜଣ ଶ୍ରମିକ ବସରେ ରହିଥିଲେ ।​ ଏହି ସମସ୍ତ ଶ୍ରମିକ କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ରାଜ ମୋଟେର ଅଞ୍ଚଳର ହୋଇଥିବା ବେଳେ, ସମସ୍ତେ ଧର୍ମଗଡରୁ ବସ ଯୋଗେ ଆସି କେସିଙ୍ଗା ରେଳ ଷ୍ଟେସନରୁ ଟ୍ରେନ ଯୋଗେ ତାମିଲନାଡୁର କୋଇମ୍ବାଟୁର ଯିବା ପାଇଁ ବାହାରିଥିବା ଜଣାପଡ଼ିଛି । ପୋଲିସ ପ୍ରାଥମିକ ତଦନ୍ତ ପରେ ଘଟଣା ସମ୍ପର୍କରେ ଜିଲ୍ଲା ଶ୍ରମ ବିଭାଗକୁ ସୂଚନା ଦେଇଛି । ଶ୍ରମ ବିଭାଗର ଅଧିକାରୀମାନେ ପହଞ୍ଚି ସମସ୍ତ ନଥିପତ୍ର ଓ ଆଇନଗତ ପ୍ରକ୍ରିୟା ଯାଞ୍ଚ କରିବା ପରେ ସରକାରୀ ନିୟମ ଅନୁଯାୟୀ ଏମାନଙ୍କୁ ଛଡ଼ାଯିବ ବୋଲି ସୂଚନା ମିଳିଛି ।​ ସ୍ଥାନୀୟ ଅଞ୍ଚଳରେ ନିୟମିତ କାମଧନ୍ଦା ନ ମିଳିବା, କୃଷି କ୍ଷେତ୍ରରେ ଅନିଶ୍ଚିତତା ଏବଂ ସରକାରୀ ଯୋଜନାର ସଠିକ୍ କାର୍ଯ୍ୟକାରିତା ଅଭାବ ଓ ଉପଯୁକ୍ତ ପାରିଶ୍ରମିକ ନ ମିଳିବା ଯୋଗୁଁ ଲୋକେ ଭିଟାମାଟି ଛାଡୁଥିବା ପ୍ରକାଶ କରିଛନ୍ତି କିଛି ଦାଦନ ଶ୍ରମିକ । ସରକାର ଦାଦନ ରୋକିବା ପାଇଁ ଚେଷ୍ଟା କରୁଥିଲେ ମଧ୍ୟ ପ୍ରତି ବର୍ଷ ହଜାର ହଜାର ସଂଖ୍ୟାରେ ଶ୍ରମିକ ଦାଦନ ଭାବେ ବାହାର ରାଜ୍ୟକୁ ଯାଇଥିବା ବେଳେ ସରକାରୀ ଓ ବେସରକାରୀ ସ୍ତରରେ ଶ୍ରମିକ ମାନଙ୍କ କାର୍ଯ୍ୟ ପର୍ଯ୍ୟାପ୍ତ ହେଉନଥିବା ଓ ଉଚିତ୍ ଦାମ୍ ମିଳୁନଥିବା ଯୋଗୁଁ ବାହାର ରାଜ୍ୟକୁ ଯାଉଥିବା କୁହାଯାଉଛି ।

Leave A Reply

Your email address will not be published.