jayashree

ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ

  • “ସ୍ମୃତିରେ ଶିକ୍ଷାର ଆଲୋକ, ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା”

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜଣେ ଆଦର୍ଶ ଶିକ୍ଷୟିତ୍ରୀଙ୍କ ଅବଦାନ କେବଳ ଶ୍ରେଣୀଗୃହର ଚାରିକାନ୍ଥ ମଧ୍ୟରେ ସୀମିତ ରହେ ନାହିଁ । ତାଙ୍କ ଜ୍ଞାନ, ଆଦର୍ଶ ଓ ମାନବିକ ମୂଲ୍ୟବୋଧ ପିଢ଼ି ପରେ ପିଢ଼ି ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଇଚାଲେ । ଏହି ମହତ୍‌ ଚିନ୍ତାଧାରାକୁ ଆଧାର କରି ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଥମ ପ୍ରଧାନ ଶିକ୍ଷୟିତ୍ରୀ ସ୍ୱର୍ଗତ ଅଳକା ଜେନାଙ୍କ ପବିତ୍ର ସ୍ମୃତିକୁ ଚିରସ୍ମରଣୀୟ କରିବା ଉଦ୍ଦେଶ୍ୟରେ ‘ଅଳକା ଜେନା ସ୍ମୃତି ସମ୍ମାନ’ ପ୍ରଦାନ କରାଯାଇଛି । ବିଦ୍ୟାଳୟରେ ଆୟୋଜିତ ଏହି ସମ୍ମାନ ସମାରୋହରେ ଗତ ୨୦୨୪-୨୫ ଓ ୨୦୨୫-୨୬ ଶିକ୍ଷାବର୍ଷର ମ୍ୟାଟ୍ରିକ୍ ପରୀକ୍ଷାରେ ବିଦ୍ୟାଳୟର ସମସ୍ତ ଛାତ୍ରୀଙ୍କ ମଧ୍ୟରୁ ସର୍ବାଧିକ ମାର୍କ ରଖିଥିବା ମେଧାବୀ ଛାତ୍ରୀମାନଙ୍କୁ ଅର୍ଥରାଶି ସହ ମୋମେଣ୍ଟୋ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ଜ୍ୟୋତିର୍ମୟୀ ପଣ୍ଡାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ରିୟାଂଶୀ ସାଏ ଓ ଶ୍ରଦ୍ଧାଞ୍ଜଳି ସାହୁଙ୍କୁ ‘ଅଳକା ଜେନା ସ୍ମୃତି ସମ୍ମାନ’ରେ ସମ୍ମାନିତ କରାଯାଇଥିଲା । ସମାରୋହରେ ମୁଖ୍ୟ ଅତିଥି ଭାବେ ଚନ୍ଦନଭାଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଇତିଶ୍ରଦ୍ଧା ତ୍ରିପାଠୀ ଯୋଗଦେଇ ସ୍ୱର୍ଗତ ଅଳକା ଜେନାଙ୍କ ଶିକ୍ଷାଦାନ, ଶୃଙ୍ଖଳା ଓ ଛାତ୍ରୀମାନଙ୍କ ପ୍ରତି ତାଙ୍କର ସ୍ନେହପୂର୍ଣ୍ଣ ମନୋଭାବକୁ ସ୍ମରଣ କରିଥିଲେ । ଜଣେ ଶିକ୍ଷୟିତ୍ରୀ ଭାବେ ସେ ଛାତ୍ରୀମାନଙ୍କ ଜୀବନରେ ଯେଉଁ ମୂଲ୍ୟବୋଧର ମଞ୍ଜି ବୁଣିଥିଲେ, ତାହା ଆଜି ମଧ୍ୟ ଏହି ବିଦ୍ୟାଳୟର ପରିବେଶରେ ଜୀବନ୍ତ ବୋଲି ଉଲ୍ଲେଖ କରିଥିଲେ । ଜୀବନରେ ଲକ୍ଷ୍ୟ ନିର୍ଦ୍ଧାରଣ କରି କଠିନ ପରିଶ୍ରମ, ଶୃଙ୍ଖଳା ଓ ନୈତିକତାକୁ ସାଥୀ କରି ଆଗକୁ ବଢ଼ିବାକୁ ସେ ପରାମର୍ଶ ଦେଇଥିଲେ । ଶିକ୍ଷା କେବଳ ଭଲ ନମ୍ବର ହାସଲ କରିବାର ମାଧ୍ୟମ ନୁହେଁ, ବରଂ ଜଣେ ଭଲ ମଣିଷ ହେବାର ମାର୍ଗ ବୋଲି ଶ୍ରୀମତୀ ତ୍ରିପାଠୀ ଛାତ୍ରୀମାନଙ୍କୁ ବୁଝାଇଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସେବାଶ୍ରୀ ଭୋଇ ଓ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସ୍ୱରୂପା ମଞ୍ଜରୀ ସାମନ୍ତରାଙ୍କ ସମେତ ବରିଷ୍ଠ ଶିକ୍ଷୟିତ୍ରୀ ନୂତନ ନାୟକ, ଯାଜ୍ଞସିନୀ ମହାପାତ୍ର ଓ ପ୍ରିୟମ୍ବଦା ଦେବ ଏବଂ ଅନ୍ୟ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମକୁ ସୁରେଶ ବାରିକ ସଂଯୋଜନା କରିଥିବା ବେଳେ ସବିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷା କର୍ମଚାରୀ ସତ୍ୟବାନ ସାଏ, ରୁବିତା ବିଶ୍ୱାଳ, କୁନୀ ନନ୍ଦ, ମନରଞ୍ଜନ ତାଣ୍ଡି ସହଯୋଗ କରିଥିଲେ ।

Leave A Reply

Your email address will not be published.