
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ କଲ୍ୟାଣ ମଣ୍ଡପଠାରେ ଜନମୁକ୍ତି ଅନୁଷ୍ଠାନ ଦ୍ଵାରା ପରିଚାଳିତ ଓ ଅଜୀମ ପ୍ରେମଜୀ ଫାଉଣ୍ଡେସନ ସହଯୋଗରେ ଚାଲୁଥିବା ପ୍ରକଳ୍ପ ଦ୍ଵାରା ଏକ ପଞ୍ଚାୟତସ୍ତରୀୟ ନିରନ୍ତର ଜୀବିକା ବିକାଶ ଓ ଆୟ ବୃଦ୍ଧି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ହଳଦୀ ପଞ୍ଚାୟତ ସରପଞ୍ଚ ସୌମୀନା ସେଠ୍ ମୁଖ୍ୟ ଅତିଥି, ଜନମୁକ୍ତି ଅନୁଷ୍ଠାନର ସମ୍ପାଦକ ଭଜରାମ ସାହୁ, ଲଖନା କୃଷି ଅଧିକାରୀ ସସ୍ମିତା ବେହେରା, ମୁରିବାହାଲ କୃଷି ଅଧିକାରୀ ନିରୁପମା ନାୟକ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ । ଏହି କର୍ମଶାଳାରେ ହଳଦୀ ଗ୍ରାମ ପଞ୍ଚାୟତର ୧୬ଟି ଗ୍ରାମର ୫୦ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ନେଇ ଏହି କର୍ମଶାଳା ଅନଷ୍ଠିତ ହୋଇଥିଲା । କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ହେଲା ହଳଦୀ ଗ୍ରାମ ପଞ୍ଚାୟତର ୬୦୦ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ନିରନ୍ତର ଜୀବିକା ବିକାଶ ଓ ଆୟ ବୃଦ୍ଧି ଏବଂ ମାଲିଶିରା ଓ ବିଟାବନ୍ଧ ପଞ୍ଚାୟତର ୬୦୦ ପରିବାରକୁ ସରକାରଙ୍କ ଜନମଙ୍ଗଳ ଯୋଜନାରେ ସାମିଲ କରିବା ଏବଂ ଜୈବିକ ଖତର ପ୍ରସ୍ତୁତି ଓ ବ୍ୟବହାର କରିବା । ଏହି କର୍ମଶାଳାକୁ ଜନମୁକ୍ତି ଅନୁଷ୍ଠାନର କର୍ମୀ ପ୍ରକାଶ କୁମାର ବନ୍ଦିଛୋର ପରିଚାଳନା କରିଥିଲେ । ଚିତ୍ରଲେଖା ସାହୁ ପ୍ରକଳ୍ପର ଛଅ ମାସର ପ୍ରଗତି ବିବରଣୀ ଉପସ୍ଥାପନ କରିଥିବା ବେଳେ ଅନୁଷ୍ଠାନର କର୍ମୀ ସଞ୍ଜୀବ କୁମାର ବାରିକ, ଲଳିତ ରଣା, ଧର୍ମ ସାହୁ, ସଞ୍ଜିତା ହାତୀ, ସୁବର୍ଣ୍ଣ ବାଗ, ଛନ୍ଦା ଚରଣ ସାହୁ, ସୁଶିଲ ସାହୁ, ବୈଷ୍ଣବୀ ମହାକୁର, ବିଧୁ ବାଗ ପ୍ରମୁଖ ସହଯୋଗ କରିଥିଲେ ଓ ଶେଷରେ କିରଣ ଜାଲ ସମସ୍ତଙ୍କୁ ଧନ୍ୟବାଦ ଦେଇ କର୍ମଶାଳାକୁ ସମାପ୍ତ କରିଥିଲେ ।